ଖରାଦିନ ଆସିଲେ ତାପମାତ୍ରା ସାଙ୍ଗକୁ ସାଧାରଣ ଜନତାଙ୍କ ମୁଣ୍ଡବିନ୍ଧାର କାରଣ ସାଜେ 'ଇଲେକ୍ଟ୍ରିସିଟି ବିଲ୍' । ଫ୍ୟାନ୍, କୁଲର୍ ଆଉ ଏସିର ଅତ୍ୟଧିକ ବ୍ୟବହାର ଯୋଗୁଁ ମାସ ଶେଷକୁ ପକେଟ୍ ଖାଲି ହୋଇଯାଏ । କିନ୍ତୁ ଆପଣ ଜାଣିଛନ୍ତି କି, କେବଳ କିଛି ପଦକ୍ଷେପ ଏବଂ ଚତୁରତା ଆପଣଙ୍କ ବିଜୁଳି ମିଟରର ବେଗକୁ ଧିମା କରିଦେଇପାରିବ ? ଆସନ୍ତୁ ଜାଣିବା ସେହି ସହଜ ଉପାୟ, ଯାହା ଆପଣଙ୍କୁ ଏହି ଗରମରେ ଦେବ ଆରାମ ଏବଂ ଚଢ଼ା ବିଲ୍‌ରୁ ଦେବ ମୁକ୍ତି:

AC ବ୍ୟବହାରରେ କରନ୍ତୁ ଏହି ପରିବର୍ତ୍ତନ:

ଅନେକ ଲୋକ ଶୀଘ୍ର ଥଣ୍ଡା ପାଇବା ପାଇଁ ଏସିକୁ ୧୮ ଡିଗ୍ରୀରେ ଚଲାନ୍ତି, ଯାହା ବିଲ୍ ବଢ଼ାଇବାର ମୁଖ୍ୟ କାରଣ । ବିଶେଷଜ୍ଞଙ୍କ ଅନୁସାରେ, ଏସିକୁ ୨୪ ରୁ ୨୬ ଡିଗ୍ରୀ ମଧ୍ୟରେ ରଖିବା ସବୁଠୁ ଭଲ । ମନେରଖନ୍ତୁ, ମାତ୍ର ୧ ଡିଗ୍ରୀ ତାପମାତ୍ରା ବଢ଼ାଇଲେ ଆପଣ ୬ ପ୍ରତିଶତ ବିଜୁଳି ବଞ୍ଚାଇ ପାରିବେ । ଏସି ସହିତ ହାଲୁକା ସ୍ପିଡ୍‌ରେ ଫ୍ୟାନ୍ ଚଲାନ୍ତୁ, ଯାହାଫଳରେ ଥଣ୍ଡା ପବନ ସାରା ରୁମ୍‌ରେ ଶୀଘ୍ର ଖେଳିଯିବ । 

ଏହା ବି ପଢ଼ନ୍ତୁ... 'ଟାଇମ୍ ବମ୍' ପାଲଟିପାରେ ପୁରୁଣା ମୋବାଇଲ: ହୋଇଯାନ୍ତୁ ସତର୍କ, ନଚେତ୍ ଘଟିପାରେ ବଡ଼ ଅଘଟଣ

ପ୍ରାକୃତିକ ଉପାୟରେ ଘରକୁ ରଖନ୍ତୁ ଥଣ୍ଡା:

ସବୁବେଳେ ମେସିନ୍ ଉପରେ ନିର୍ଭର ନକରି ପ୍ରାକୃତିକ ପଦ୍ଧତି ଆପଣାନ୍ତୁ । ଦିନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଘରର ଝରକା ଏବଂ ମୋଟା ପରଦା ଘୋଡ଼ାଇ ରଖନ୍ତୁ । ଏହା ଦ୍ୱାରା ବାହାରର ପ୍ରଖର ସୂର୍ଯ୍ୟକିରଣ ଘର ଭିତରକୁ ଆସିପାରିବ ନାହିଁ । ଯଦି ଆପଣ ଉପର ମହଲାରେ ରହୁଛନ୍ତି, ତେବେ ଛାତ ଉପରେ ଧଳା ରିଫ୍ଲେକ୍ଟିଭ୍ ପେଣ୍ଟ ଲଗାନ୍ତୁ, ଯାହା ଛାତକୁ ଗରମ ହେବାରୁ ରକ୍ଷା କରିବ । 

ଫ୍ରିଜ୍ ବ୍ୟବହାରରେ ସତର୍କତା:

ଘରେ ୨୪ ଘଣ୍ଟା ଚାଲୁଥିବା ଏକମାତ୍ର ଯନ୍ତ୍ର ହେଉଛି ଫ୍ରିଜ୍ । ଏହାକୁ କେବେ ବି କାନ୍ଥକୁ ଲଗାଇ ରଖନ୍ତୁ ନାହିଁ, ଅତିକମ୍ରେ ୬ ଇଞ୍ଚ ଦୂରତା ରଖନ୍ତୁ । ଫ୍ରିଜ୍‌ରେ କେବେ ବି ଗରମ ଖାଦ୍ୟ ରଖନ୍ତୁ ନାହିଁ ଏବଂ ବାରମ୍ବାର ଫ୍ରିଜ୍ କବାଟ ଖୋଲନ୍ତୁ ନାହିଁ । ଏହାଦ୍ୱାରା କମ୍ପ୍ରେସର ଉପରେ ଚାପ କମ୍ ପଡ଼ିବ ଏବଂ ବିଜୁଳି ବଞ୍ଚିବ ।

ସୁଇଚ୍ ଅଫ୍:

ଆମେ ପ୍ରାୟତଃ ଟିଭି କିମ୍ବା ଲାପଟପ୍ ଚାର୍ଜରକୁ ରିମୋଟ୍‌ରେ ବନ୍ଦ କରିଦେଇ ସୁଇଚ୍ ଅନ୍ ରଖିଥାଉ । ଏହି 'ଷ୍ଟାଣ୍ଡବାଏ ମୋଡ୍' ମଧ୍ୟ ଧୀରେ ଧୀରେ ବିଜୁଳି ଖର୍ଚ୍ଚ କରିଥାଏ । ବ୍ୟବହାର ସରିବା ପରେ ପ୍ଲଗ୍ ବାହାର କରିଦେବା ଏକ ଭଲ ଅଭ୍ୟାସ ।

LED ବଲ୍‌ର ଯାଦୁ:

ଯଦି ଏବେ ବି ଆପଣ ପୁରୁଣା ଫିଲାମେଣ୍ଟ ବଲ୍ କିମ୍ବା ଟ୍ୟୁବଲାଇଟ୍ ବ୍ୟବହାର କରୁଛନ୍ତି, ତେବେ ଆଜି ହିଁ ତାହାକୁ ବଦଳାଇ LED ବଲ୍ ଲଗାନ୍ତୁ । ଏହା କମ୍ ପାୱାର୍ରେ ଅଧିକ ଆଲୋକ ଦିଏ ଏବଂ ଘରକୁ ଗରମ ମଧ୍ୟ କରେ ନାହିଁ ।

ଟିପ୍ସ: ପ୍ରତି ୧୫ ଦିନରେ ଥରେ ନିଜ ଏସିର ଏୟାର ଫିଲ୍ଟର ସଫା କରନ୍ତୁ । ମଇଳା ଫିଲ୍ଟର ଯୋଗୁଁ ମୋଟର ଉପରେ ଅଧିକ ଚାପ ପଡ଼େ, ଯାହା ବିଲ୍ ବଢ଼ାଇଥାଏ । ଏହି ସହଜ ଉପାୟଗୁଡ଼ିକୁ ଆପଣାଇ ଆପଣ ନିଜ ମାସିକ ବିଜୁଳି ବି ୩୦% ରୁ ୪୦% ପର୍ଯ୍ୟନ୍ତ କମ୍ କରିପାରିବେ ।