ଜଗତସିଂହପୁର,୦୩/୦୧: ପ୍ରଶାସନକୁ ଅନ୍ଧାରରେ ରଖି ତିର୍ତ୍ତୋଲ ଥାନାଧିକାରୀ ପ୍ରଦୀପ୍ତ ସେଠୀ ଜବତ କେତୋଟି ହାଇୱାକୁ ଛାଡ଼ି ଦେଇ ହରଡ଼ଘଣାରେ ପଡ଼ିଛନ୍ତି । ଘଟଣା ପ୍ରଘଟ ହେବା ପରେ ଜିଲ୍ଲାପାଳଙ୍କ ଦପ୍ତର ପକ୍ଷରୁ ଥାନାଧିକାରୀ ଶ୍ରୀ ସେଠୀଙ୍କୁ ଗତକାଲି ଚିଠି ସଂଖ୍ୟା ୨୦୨ ଜରିଆରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।ଚିଠି ପାଇବାର ଦୁଇ ଦିନ ଭିତରେ ଏହାର ଉତ୍ତର ରଖିବାକୁ ମହଲତ ଦିଆଯାଇଛି । ନଚେତ୍ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଚେତାବନୀ ଦିଆଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚଳିତ ଜାନୁଆରୀ ମାସର ଦରମାକୁ ସ୍ଥଗିତ ରଖାଯିବ ବୋଲି ଜଣାଇ ଦିଆଯାଇଛି ।

ଗତ ଡିସେମ୍ବର ମାସ ୧୧ ତାରିଖରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ନେତୃତ୍ୱରେ ତିର୍ତ୍ତୋଲ ଥାନା ଅଧୀନ ଜୟପୁର ବାଲିସୈରାତ୍ରେ ଚଢ଼ଉ କରାଯାଇଥିଲା । ଜୟପୁର ମହାନଦୀ ବାଲୁକାଖଣୀ ବା ସୈରାତ୍ରେ ଚଢ଼ଉ ସମୟରେ ୨୨ଟି ହାଇୱା ଓ ୨ଟି ଏକ୍ସାଭେଟରକୁ ଜବତ କରାଯାଇଥିଲା । ପରେ ତତ୍କାଳୀନ ଜିଲ୍ଲା ଖଣି ଅଧିକାରୀ ସତୀଶ କୁମାର ତରାଇ ତିର୍ତ୍ତୋଲ ଥାନାରେ ଏସଂକ୍ରାନ୍ତରେ ଏକ ଲିଖିତ ଏତଲା ଦେଇଥିଲେ । ଚଢ଼ଉ ବେଳେ ଅନେକ ହାଇୱା ଚାଳକ ଚମ୍ପଟ ମାରିଥିଲେ ସୁଦ୍ଧା ଢେଙ୍କାନାଳ କାମାକ୍ଷାନଗର ତେନ୍ତୁଳିସିଂ ଗ୍ରାମର କାଳନ୍ଦୀ ନାୟକ, ତିର୍ତ୍ତୋଲ ଜଗନ୍ନାଥପୁର ଚାନ୍ଦ ଗ୍ରାମର ସ୍ମୃତିରଞ୍ଜନ ଲେଙ୍କା ଓ ପଶ୍ଚିମବଙ୍ଗ ମୁର୍ଶିଦାବାଦା କାଟବଙ୍ଗ ଗ୍ରାମର ମହମ୍ମଦ ଇଦ୍ରିସ ସେଖ୍ ଧରା ପଡ଼ି ଯାଇଥିଲେ । ଏଣେ ଅଧିକ ଖୋଳତାଡ଼ ପରେ ଉକ୍ତ ବାଲି ସୈରାତ୍ରୁ ମନମୁଖି ବାଲି ଉତ୍ତୋଳନ ହୋଇଥିବା ଜଣାପଡ଼ିଥିଲା । ଉକ୍ତ ସୈରାତ୍‌ର ନିଲାମଧାରୀ କଟକ ଜିଲ୍ଲା ବାରଙ୍ଗ ତଥା ବ୍ରାହ୍ମଣୀଗାଁର ବଂଶୀଧର ସ୍ୱାଇଁ ଥିବା ଜଣାପଡ଼ିଥିଲା । ଲିଜ୍‌ଧାରୀ ବାର୍ଷିକ ୧୯୭୪୦ ଘନମିଟର ବାଲି ଉତ୍ତୋଳନ ନିମନ୍ତେ ଅନୁମିତପ୍ରାପ୍ତ ରହିଥିଲେ ସୁଦ୍ଧା ସରକାରୀ ନିୟମକୁ ଉଲ୍ଲଂଘନ କରାଯାଇ ଏଠାରୁ ଆଖିବୁଜା ବାଲି ଉଠାଣ ହୋଇଥିଲା । ସୀମା ସରହଦକୁ ଭ୍ରୁକ୍ଷେପ କରାନଯାଇ ପର୍ଯ୍ୟାପ୍ତ ବାଲି ଉଠାଣ ଦ୍ୱାରା ପରିବେଶ ପ୍ରତି ଘାତକ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ଅଣାଯାଇଥିଲା । ଏତଦ୍ଭିନ୍ ସରକାରୀ ନିୟମାନୁସାରେ ସୈରାତ୍‌ର ପରିଧିକୁ ପିଲାର ଦ୍ୱାରା ଆବଦ୍ଧ କରାଯାଇନଥିବା ଅଭିଯୋଗ ଆଣି ଖଣି ଅଧିକାରୀଙ୍କ ପକ୍ଷରୁ ଉକ୍ତ ବାଲି ସୈରାତ୍ ଲିଜ୍‌ଧାରୀଙ୍କ ସମେତ ଜବତ ଗାଡ଼ି ଓ ମେସିନ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୁଲିସର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ହାଇୱା ଗୁଡ଼ିକ ଜବତ ହୋଇଥିବାରୁ କିଛି ଗାଡ଼ି ମାଲିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲାର ବିଚାର କରି ଆବେଦନକାରୀଙ୍କୁ ୧୦, ୧୫ ଦିନ ଭିତରେ ତିର୍ତ୍ତୋଲ ଥାନାଧିକାରୀ, ଉପଜିଲ୍ଲାପାଳ ଓ ଜିଲ୍ଲା ଖଣି ଅଧିକାରୀଙ୍କ ନିକଟରେ ଏ ସଂକ୍ରାନ୍ତ ସମସ୍ତ କାଗଜପତ୍ର ଦାଖଲ କରି ଗାଡ଼ି ଛାଡ଼ିବାକୁ ଅନୁରୋଧ କରିବେ ଏବଂ ଆବେଦନକାରୀଙ୍କ ଏହି ଅନୁରୋଧକୁ ବିଚାରକୁ ନେଇ ବିଭାଗୀୟ ଅଧିକାରୀ ଏହା ଉପରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ହାଇକୋର୍ଟ ନିଜ ଆଦେଶରେ ସ୍ପଷ୍ଟ କରିଥିଲେ ।

ଏଣେ କିନ୍ତୁ ହାଇକୋର୍ଟଙ୍କ ଉକ୍ତ ଆଦେଶର ବିପରୀତ କାର୍ଯ୍ୟ କରି ତିର୍ତ୍ତୋଲ ଥାନାଧିକାରୀ ଶ୍ରୀ ସେଠୀ ଇତି ମଧ୍ୟରେ କିଛି ହାଇୱାକୁ ସେସବୁ ଗାଡ଼ିର ମାଲିକଙ୍କ ଜିମାରେ ଛାଡ଼ି ଦେଇଛନ୍ତି । ଏଣେ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ମଧ୍ୟ କିଛି ଜବତ ହାଇୱା ପୁଲିସ ଛାଡ଼ିବା ସଂକ୍ରାନ୍ତରେ ସଂପୂର୍ଣ୍ଣ ଅନ୍ଧାରରେ ଥିବା ‘ପ୍ରମେୟ’କୁ କହିଛନ୍ତି । ଏ ସଂକ୍ରାନ୍ତ ଏକ ମାମଲାରେ ବି ଜିଲ୍ଲା କନିଷ୍ଠ ଖଣି ଅଧିକାରୀ ଜବତ ଗାଡ଼ି ଛାଡ଼ିବା ନେଇ କାଗଜପତ୍ରରେ ଦସ୍ତଖତ ଦେଇନଥିଲେ । ତଥାପି ତିର୍ତ୍ତୋଲ ଥାନାଧିକାରୀ ଉକ୍ତ ଗାଡ଼ିକୁ ଛାଡ଼ି ଦେଇଥିଲେ । ଯାହାକି ହାଇକୋର୍ଟଙ୍କ ଆଦେଶର ଖୋଲା ଉଲ୍ଲଂଘନ ବୋଲି ଜାରି ହୋଇଥିବା କାରଣଦର୍ଶାଅ ନୋଟିସ୍ରେ ଉଲ୍ଲେଖ କରାଯାଇଛି । କ୍ଷମତାର ଦୁରୁପଯୋଗ ଏବଂ ବେନିୟମ କାର୍ଯ୍ୟ ନେଇ ଏବେ ଥାନାଧିକାରୀ ଶ୍ରୀ ସେଠୀ କାରଣଦର୍ଶାଅ ନୋଟିସ୍ର ସମ୍ମୁଖୀନ ହୋଇଛନ୍ତି ।

ସୂଚନା ଥାଉ କି, ନିକଟରେ ତିର୍ତ୍ତୋଲର କିଲିପାଳ ବାଲି ସୈରାତ୍ରେ ବି ପ୍ରଶାସନ ଓ ପୁଲିସ ପକ୍ଷରୁ ବଡ଼ଧରଣର ଚଢ଼ଉ କରାଯାଇଥିଲା । ସେଠାରୁ ୪୬ଟି ହାଇୱା ଓ ୩ଟି ଏକ୍‌ସକ୍ୟାଭେଟର ଜବତ କରାଯାଇଥିଲା । ବିପୁଳ ପରିମାଣର ବାଲି ଚୋରା ଚାଲାଣ, ସରକାରଙ୍କ ରାଜସ୍ୱ ହାନି ସହ ପରିବେଶ ନଷ୍ଟ କରାଯାଉଥିବା ଦେଖି ପ୍ରଶାସନ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା ।