ନୂଆଦିଲ୍ଲୀ: ତିରୁପତି ଲଡୁ ମାମଲାରେ ତଦନ୍ତ ଲାଗି ସୁପ୍ରିମକୋର୍ଟ ୫ ସଦସ୍ୟ ବିଶିଷ୍ଟ ସ୍ବତନ୍ତ୍ର ତଦନ୍ତ ଟିମ୍‌ (ଏସଆଇଟି) ଗଠନ କରିଛନ୍ତି । ରାଜ୍ୟର ଏସଆଇଟିକୁ ରଦ୍ଦ କରି ଦେଇଛନ୍ତି ସୁପ୍ରିମକୋର୍ଟ । ଏବେ ଏହି ମାମଲାରେ ତଦନ୍ତ କରିବାକୁ ଥିବା ଟିମ୍‌ରେ ସିବିଆଇର ଦୁଇ ଜଣ ଅଧିକାରୀ ରହିବେ । ଏହା ବ୍ୟତୀତ ରାଜ୍ୟର ୨ ଜଣ ପୋଲିସ ଅଧିକାରୀ ଏବଂ ଜଣେ FSSAIର ଅଧିକାରୀ ସାମିଲ ରହିବେ । ମାମଲାର ନିରପେକ୍ଷ ତଦନ୍ତ କରିବାକୁ ଏସଆଇଟିକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

ଶୁଣାଣି ସମୟରେ ଜଷ୍ଟିସ୍‌ ଭୂଷଣ ରାମକ୍ରିଷ୍ଣା ଗବାଇ କହିଛନ୍ତି ଯେ, ଆମେ ଚାହୁଁନାହୁଁ ଏହା ରାଜନୈତିକ ନାଟକ ହେଉ । ସ୍ବତନ୍ତ୍ର ଟିମ୍‌ ହେଲେ ହିଁ ଆତ୍ମବିଶ୍ବାସ ରହିବ । ଗତ ଶୁଣାଣି ସମୟରେ ସୁପ୍ରିମକୋର୍ଟ ସଲିସିଟ୍‌ର ଜେନେରାଲ ତୁଷାର ମେହେଟାଙ୍କୁ ପ୍ରଶ୍ନ କରିଥିଲେ ଯେ, ରାଜ୍ୟ ସରକାରଙ୍କ ଏସଆଇଟି ପର୍ଯ୍ୟାପ୍ତ ନା ସ୍ବତନ୍ତ୍ର ଏଜେନ୍ସିକୁ ତଦନ୍ତ ଭାର ଦିଆଯିବା ଦରକାର ? କିନ୍ତୁ ଏସଜି ରାଜ୍ୟ ସରକାରଙ୍କ ଏସଆଇଟି ଉପରେ ବିଶ୍ବାସ ପ୍ରକଟ କରିଥିଲେ ଏବଂ ଏହାର ନତେୃତ୍ବ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ନିଅନ୍ତୁ ବୋଲି କହିଥିଲେ । ଏହା ସତ୍ତ୍ୱେ ଆଜି ସୁପ୍ରିମକୋର୍ଟ ଦ୍ବତନ୍ତ୍ର ତଦନ୍ତ ଟିମ୍‌ ଗଠନ କରିଛନ୍ତି । 

ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦାବି କରିଥିଲେ ଯେ ରାଜ୍ୟରେ ପୂର୍ବ ସରକାର ସମୟରେ ତିରୁପତି ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିଲା । ନାଇଡୁଙ୍କ ଏହି ମନ୍ତବ୍ୟ ପରେ ଦେଶବ୍ୟାପୀ ରାଜନୀତି ଜୋର ଧରିଛି । ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟରେ ୩ରୁ ଅଧିକ ଆବେଦନ ହୋଇଛି । ଆବେଦନ ଦାଖଲକାରୀଙ୍କ ମଧ୍ୟରେ ସୁବ୍ରମଣ୍ୟମ ସ୍ବାମୀ, ରାଜ୍ୟସଭା ସାଂସଦ ସୁବ୍ବା ରେଡ୍ଡୀ ଏବଂ ଐତିହାସିକ ବିକ୍ରମ ସଂପତ ସାମିଲ ଅଛନ୍ତି । ସେପ୍ଟେମ୍ବର ୩୦ରେ ଏହି ମାମଲାର ଶୁଣାଣି ହୋଇଥିଲା । ଏହି ସମୟରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରିଥିଲେ । ଏହି ମାମଲାରେ ଅତିକମ୍‌ରେ ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖନ୍ତୁ ବୋଲି କହିଥିଲେ ସୁପ୍ରିମକୋର୍ଟ ।