କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି)ରେ ଅନ୍ତର୍କନ୍ଦଳ ଦିନକୁ ଦିନ ବଢିବାରେ ଲାଗିଛି। ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ପୁଣି ଥରେ ଦଳୀୟ ସାଂସଦ ମହୁଆ ମୋଇତ୍ରାଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ସେ ମହୁଆଙ୍କୁ “ସମୟର ଅପଚୟ” ଏବଂ “ନିମ୍ନସ୍ତରୀୟ” ବୋଲି ଆଖ୍ୟା ଦେଇଛନ୍ତି। ବାନାର୍ଜୀ କହିଛନ୍ତି, “ମହୁଆ ମୋଇତ୍ରା ମୋ ପାଇଁ ଆଲୋଚନାର ବିଷୟ ନୁହନ୍ତି। ତାଙ୍କ ବିଷୟରେ କହିବା ଅର୍ଥହୀନ, କାରଣ ସେ ଅତ୍ୟନ୍ତ ନିମ୍ନସ୍ତରୀୟ। ତାଙ୍କ କାରଣରୁ ମୁଁ ଅନେକଙ୍କ ଆଗରେ ଖରାପ ହୋଇଛି। ତାଙ୍କୁ ଗୁରୁତ୍ୱ ଦେବା ମୋର ଭୁଲ ଥିଲା।”
ଏହି ବିବାଦ ବଢିବା ପୂର୍ବରୁ କଲ୍ୟାଣ ବାନାର୍ଜୀ ଲୋକସଭାରେ ଟିଏମସିର ମୁଖ୍ୟ ସଚେତକ (ଚୀଫ୍ ହ୍ୱିପ୍) ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ବାରାସାଟର ସାଂସଦ କାକୋଲୀ ଘୋଷ ଦସ୍ତିଦାରଙ୍କୁ ନୂଆ ମୁଖ୍ୟ ସଚେତକ ଏବଂ ବୀରଭୂମର ସାଂସଦ ଶତାବ୍ଦୀ ରାୟଙ୍କୁ ଲୋକସଭାରେ ଟିଏମସିର ଉପନେତା ଭାବେ ନିଯୁକ୍ତ କରାଯାଇଛି। ଏହି ନେତୃତ୍ୱ ପରିବର୍ତ୍ତନ ଦଳ ନେତ୍ରୀ ମମତା ବାନାର୍ଜୀଙ୍କ ଅନୁଶାସନ ବଜାୟ ରଖିବା ପାଇଁ ଏକ କଠୋର ପଦକ୍ଷେପ ବୋଲି ଦେଖାଯାଉଛି।
ଆପଣଙ୍କୁ ଜଣାଇରଖୁ ଯେ, ବାନାର୍ଜୀ ଏବଂ ମୋଇତ୍ରାଙ୍କ ମଧ୍ୟରେ ବିବାଦ ଦୀର୍ଘ ଦିନରୁ ଚାଲିଆସୁଛି। ବିଶେଷକରି, ୨୦୨୩ରେ “ପ୍ରଶ୍ନ ବଦଳରେ ନଗଦ” ମାମଲାରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିବା ସମୟରେ ବାନାର୍ଜୀ ତାଙ୍କ ସମର୍ଥନ କରିଥିଲେ। କିନ୍ତୁ ସମ୍ପ୍ରତି ସେ ମହୁଆଙ୍କ ଦ୍ୱାରା “ମିସୋଜିନିସ୍ଟ” ଏବଂ “ପିଗ୍” ଭଳି ଶବ୍ଦରେ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ବାନାର୍ଜୀ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, “୨୦୨୩ରେ ମୁଁ ମହୁଆଙ୍କୁ ସମର୍ଥନ କରିଥିଲି, କିନ୍ତୁ ସେ ମୋତେ ମିସୋଜିନିସ୍ଟ କହି ତାଙ୍କର କୃତଜ୍ଞତାହୀନତା ଦେଖାଇଛନ୍ତି। ମୁଁ ଦେଶବାସୀଙ୍କୁ କ୍ଷମା ମାଗୁଛି।”
ଏହି ବିବାଦ ଟିଏମସିର ଅନ୍ତର୍ନିହିତ ଭାଗବଣ୍ଟାକୁ ନେଇ ହେଉଥିବା ଅନ୍ତର୍କନ୍ଦଳକୁ ସମସ୍ତଙ୍କ ସାମ୍ନାକୁ ଆଣିଛି। ଯାହା ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ପାଇଁ ଚିନ୍ତାର କାରଣ ହୋଇପାରେ। ମମତା ବାନାର୍ଜୀଙ୍କ ନେତୃତ୍ୱରେ ଦଳ ଏକତା ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଥିବା ବେଳେ, ଏହି ଘଟଣା ଅନ୍ତର୍ଦଳୀୟ ଅସନ୍ତୋଷକୁ ଆହୁରି ବଢାଇବାରେ ଲାଗିଛି।