ନୂଆଦିଲ୍ଲୀ: ଇଭିଏମକୁ ବିରୋଧ କରୁଥିବା କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ଇଣ୍ଡି ମେଣ୍ଟର ସଦସ୍ୟ ଦଳ କଂଗ୍ରେସର ଏହି ଅଭିଯୋଗକୁ ସମର୍ଥନ କରୁନାହାନ୍ତି । ପ୍ରଥମେ ଜମ୍ମୁକାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା କଂଗ୍ରେସର ଇଭିଏମକୁ ନେଇ ଆପତ୍ତିରେ ରାଜି ନଥିବା କହିଥିଲେ । ଆଉ ଆଜି ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ମଧ୍ୟ ସମାନ ଢ଼ଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି । ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ କହିଛନ୍ତି ଯେ, ଇଭିଏମ୍ ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା କୌଣସି ଲାଭ ହେବ ନାହିଁ । ଯଦି କାହା ପାଖରେ ପ୍ରମାଣ ଅଛି ତେବେ ନିର୍ବାଚନ ଆୟୋଗଙ୍କୁ ଦେବା ଦରକାର । ସେଠାରେ ଡେମୋ ଦେଖାଇ ଇଭିଏମରେ ତ୍ରୁଟି ଥିବା କହିବା ଦରକାର ।
ଅଭିଷେକ ବାନାର୍ଜୀ କହିଛନ୍ତି, ‘ମୋ ମତରେ ଯେଉଁମାନେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଉଛନ୍ତି । ସେମାନେ ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବା ଦରକାର । ଇଭିଏମରେ କଣ ତ୍ରୁଟି ରହିଛି ତାହା କହିବା ଦରକାର । ନିର୍ବାଚନ କମିଶନଙ୍କୁ ଡେମୋ ସହ ପ୍ରମାଣ ଦେବାକୁ ପଡ଼ିବ । ବୁଥ୍ରେ ଯିଏ କାମ କରେ, ଯଦି ମକ୍ ପୋଲ୍ ସମୟରେ ଯାଞ୍ଚ କରିବ ଏବଂ କାଉଣ୍ଟିଂ ସମୟରେ ଯାଞ୍ଚ କରିବ ତେବେ କିଛି ଗଡ଼ବଡ଼ ହେବ ନାହିଁ । ତଥାପି ଇଭିଏମ୍ ହ୍ୟାକ୍ ହୋଇପାରିବ ବୋଲି ଯଦି କିଏ ଭାବୁଛି ତେବେ ନିର୍ବାଚନ ଆୟୋଗଙ୍କ ନିକଟରେ ମେସିନକୁ କିପରି ହ୍ୟାକ୍ କରାଯାଇପାରିବା ତାହା ଦେଖାନ୍ତୁ ବୋଲି କହିଛନ୍ତି ଅଭିଷେକ ।
ଟିଏମସି ସାଂସଦ ଆହୁରି କହିଛନ୍ତି ଯେ, ଯଦି କାହା ମନରେ ସନ୍ଦେହ ରହୁଛି ତେବେ ଗ୍ରାଉଣ୍ଡକୁ ଓହ୍ଲାଇ ଆନ୍ଦୋଳନ କରନ୍ତୁ । ମିଡିଆରେ ମନ୍ତବ୍ୟ ଦେଲେ କୌଣସି ଲାଭ ହେବ ନାହିଁ । ଉଲ୍ଲେଖଯୋଗ୍ୟ , ଏହା ପୂର୍ବରୁ ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ମଧ୍ୟ ଇଭିଏମ୍ ଉପରେ କଂଗ୍ରେସର ଆପତ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ, ଯେତେବେଳେ ଇଭିଏମରୁ ସଂସଦକୁ ଆପଣଙ୍କ ଅଧିକ ସାଂସଦ ପହଞ୍ଚିଥିଲେ ସେତେବେଳେ ବିଜୟର ଉତ୍ସବ ପାଳୁଥିଲେ । କିଛି ମାସ ପରେ ନିଜ ସପକ୍ଷରେ ନିର୍ବାଚନ ପରିଣାମ ନଗଲେ ଇଭିଏମ୍କୁ ନାପସନ୍ଦ କହିପାରିବେ ନାହିଁ । ଓମାରଙ୍କ ଏହି ପ୍ରତିକ୍ରିୟା ଉପରେ କଂଗ୍ରେସ ମଧ୍ୟ ପାଲଟା ଜବାବ ଦେଇଛି । ମୁଖ୍ୟମନ୍ତ୍ରୀ ହେବା ପରେ ଆପଣ କିପରି ବଦଳିଗଲେ ? ମୁଖ୍ୟମନ୍ତ୍ରୀ ହେବା ପରେ ଓମାର ନିଜ ସହଯୋଗୀ ଦଳଙ୍କ ପ୍ରତି ଏଭଳି ଆଚରଣ କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ମଣିକ୍କମ ଟାଗୋର ।