ଭୁବନେଶ୍ୱର,୦୧/୧୧: ଆଜି ଓଡ଼ିଶା ଆସିବେ ରେଳ ତଥା ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀଙ୍କ ଏହି ଦିନିକିଆ ଗସ୍ତ ବେଳେ ଇନଫୋ ଭ୍ୟାଲିରେ ସେମିକଣ୍ଡକ୍ଟର୍‌  ଫାବ୍ରିକେସନ୍‌ ୟୁନିଟ୍‌ (ସିକସେମ୍‌)  ଭୂମିପୂଜନ ସମାରୋହରେ ଯୋଗ ଦେବେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ।

ରେଳମନ୍ତ୍ରୀ ସକାଳ ୯ଟା ୨୦ରେ  ଭୁବନେଶ୍ୱର ବିମାନବନ୍ଦରରେ  ପହଞ୍ଚିବା ପରେ ସଡ଼କ ପଥରେ  ଇନଫୋ ଭ୍ୟାଲି ଗସ୍ତ କରିବେ ।  ସିକ୍‌ସେମ୍‌ର ଅର୍ଦ୍ଧପରିବାହୀ ନିର୍ମାଣ  ୟୁନିଟ୍‌ର ଭୂମିପୂଜନ ସମାରୋହରେ  ଯୋଗ ଦେବେ । ମେକ୍‌ ଇନ୍‌ ଇଣ୍ଡିଆ  ଓ ଡିଜିଟାଲ୍‌ ଇଣ୍ଡିଆ ଦୃଷ୍ଟିକୋଣରେ  ତିଆରି ହେଉଥିବା ଏହି ପ୍ରକଳ୍ପ  ଭାରତର ଅର୍ଦ୍ଧପରିବାହୀ ଉତ୍ପାଦନ  ଇକୋସିଷ୍ଟମକୁ ସୁଦୃଢ଼ କରିବ । ଏ  ବାବଦରେ ଇଡ଼କୋ ୨୩ ଏକର  ଜମି ଯୋଗାଇ ଦେଇଥିବା ବେଳେ  ସିକସେମ୍‌ ୨୦୬୭ କୋଟି ଟଙ୍କା  ବିନିଯୋଗ କରିବ । ଫଳରେ ପ୍ରତ୍ୟକ୍ଷ  ଭାବେ ହଜାରେରୁ ଅଧିକ ଲୋକ ନିଯୁକ୍ତି ପାଇବା ସହିତ ପରୋକ୍ଷରେ ବହୁ  ଲୋକଙ୍କୁ ନିଯୁକ୍ତି ମିଳିପାରିବ । ସେହିପରି ରେଳମନ୍ତ୍ରୀଙ୍କ  ଗସ୍ତ ବେଳେ ରାଜ୍ୟରେ ହେବାକୁ ଥିବା ବିଭିନ୍ନ ନୂଆ  ରେଳ ପ୍ରକଳ୍ପ ବାବଦରେ ବୁଝାମଣାପତ୍ର(ଏମଓୟୁ)  ସ୍ୱାକ୍ଷର ହେବ ।

ଗୁରୁବାର ରେଳ ମନ୍ତ୍ରୀ ଘୋଷଣା  କରିଥିବା ଓଡ଼ିଶାରେ ୯୨ଟି ନୂଆ ରେଳ ଓଭରବ୍ରିଜ୍‌ର  ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ପୂର୍ବରୁ  ଉଭୟ ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାର ଏହି  ରେଳ ଓଭରବ୍ରିଜ୍‌ଗୁଡ଼ିକ ପାଇଁ ୫୦-୫୦ ଅନୁପାତରେ  ଖର୍ଚ୍ଚ କରିବେ ବୋଲି ସ୍ଥିର ହୋଇଥିଲା । ଏହି ସମସ୍ତ  କାର୍ଯ୍ୟକ୍ରମ ଲୋକସେବା ଭବନରେ ମଧ୍ୟାହ୍ନ ୧୨ଟା  ୧୦ରୁ ସାଢ଼େ ୧୨ଟା ମଧ୍ୟରେ ସରିବ । ୧୨ଟା ୪୦ରୁ  ଗୋଟାଏ ତିରିଶ ମିନିଟ ପର୍ଯ୍ୟନ୍ତ ଭୁବନେଶ୍ୱର ରେଳ  ଷ୍ଟେସନରେ ଚାଲିଥିବା ନିର୍ମାଣ କାମର କରିବେ ସମୀକ୍ଷା ।  ଅମୃତ ଭାରତ ଷ୍ଟେସନ ଯୋଜନାରେ ଚାଲିଥିବା  ଭୁବନେଶ୍ୱର ରେଳ ଷ୍ଟେସନର ଏହି ପୁନଃବିକାଶ ଏବଂ  ଆଧୁନିକୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ  ରେଳମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା  କରିବେ । ଯଦି କୌଣସି ଅସୁବିଧା ପାଇଁ କାମ ଅଟକିଛିତାହା ବୁଝି ସମାଧାନର ବାଟ ବାହାର କରିବେ ବୋଲି  ରେଳ ଅଧିକାରୀମାନେ ସୂଚନା ଦେଇଛନ୍ତି ।