କଟକ,୦୫/୦୭: ଆଗାମୀ ଦଶହରାରେ  ପୂଜା ପେଣ୍ଡାଲ ନିର୍ମାଣ ପୂର୍ବରୁ ଏନ୍‌ଓସି (ନୋ  ଅବ୍‌ଜେକ୍ସନ୍‌ ସାର୍ଟିଫିକେଟ୍‌) ବା ଲାଇସେନ୍ସ  ପାଇଁ ସମସ୍ତ ପୂଜା କମିଟି ପ୍ରଶାସନ ନିକଟରେ  ଆବେଦନ କରିବ । ଆଜିଠୁ ୭ ତାରିଖ ପର୍ଯ୍ୟନ୍ତ ତିନି ଧରି ଆବେଦନ  କରାଯିବ । ଏଥିପାଇଁ ବାରବାଟୀ ପ୍ୟାଲେସ୍‌ରେ  ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା କରାଯାଇଛି । ସେଠାରେ  ଅଗ୍ନିଶମ, ପୂର୍ତ୍ତ, ବିଦ୍ୟୁତ୍‌, ସ୍ୱାସ୍ଥ୍ୟ ଓ କମିସନ୍‌ରେଟ୍‌  ପୁଲିସର କର୍ମଚାରୀମାନେ ଉପସ୍ଥିତ ରହିବେ ।  

ପ୍ରଥମେ ପେଣ୍ଡାଲ୍‌ ନିର୍ମାଣ ପାଇଁ ପୁଲିସ୍‌ ପୂଜା  କମିଟିକୁ ପ୍ରୋଭିଜିନାଲ୍‌ ଏନ୍‌ଓସି ପ୍ରଦାନ କରିବ ।  ୧୨ ତାରିଖ ଭିତରେ ସମସ୍ତଙ୍କୁ ପ୍ରୋଭିଜିନାଲ ଏନ୍‌ଓସି ଦିଆଯିବ ବୋଲି କଟକ ଜିଲ୍ଲାପାଳ ବୁଧବାର ହାଇକୋର୍ଟଙ୍କୁ ଅବଗତ କରିଥିଲେ । ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଏବଂ  ବିଚାରପତି ଜଷ୍ଟିସ୍‌ ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଜବାବକୁ ରେକର୍ଡ  କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି  ଆସନ୍ତା ୨୫ ତାରିଖକୁ ଧାର୍ଯ୍ୟ କରିଛନ୍ତି ।  

ଚଳିତ ବର୍ଷ ଦୁର୍ଗା ପୂଜା କିପରି  ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବ ତାହା  ଉପରେ ହାଇକୋର୍ଟ ପ୍ରଥମରୁ ଗୁରୁତ୍ୱାରୋପ କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ କଟକ ଜିଲ୍ଲାପାଳଙ୍କୁ ଦଶହରା ପେଣ୍ଡାଲ ତଥା  ଅନ୍ୟାନ୍ୟ କାର୍ଯ୍ୟ ସଂପର୍କରେ ଜବାବ ରଖିବା ଲାଗି  ନିର୍ଦ୍ଦେଶ ଦେଇଥିଲେ ।  କଟକ ଜିଲ୍ଲାପାଳ  ଦତ୍ତାତ୍ରେୟ ଭାଉସାହେବ୍‌ ଶିନ୍ଦେ ସତ୍ୟପାଠ  ଦାଖଲ କରି କଟକ ଦଶହରା କିପରି ଶୃଙ୍ଖଳିତ  ଢଙ୍ଗରେ ପାଳନ କରାଯିବ ତାହା ଉପରେ  ବିସ୍ତୃତ ସୂଚନା ରଖିଛନ୍ତି ।

ସେ ଦର୍ଶାଇଛନ୍ତି ଯେ,  ସମସ୍ତ କମିଟି ପେଣ୍ଡାଲ୍‌ ନିର୍ମାଣ କାମ ଆସନ୍ତା  ୨୨ ତାରିଖ ପୂର୍ବରୁ ଶେଷ କରିବେ । ପରେ  ଏକ ମିଳିତ ଟିମ୍‌ ପୂଜା ପେଣ୍ଡାଲ ପରିଦର୍ଶନ  କରି ସମସ୍ତ ନିମୟ ପାଳନ ହୋଇଥିଲେ ସଂପୃକ୍ତ କମିଟିକୁ ଏନ୍‌ଓସି ପ୍ରଦାନ କରିବେ ।  ଏନ୍‌ଓସି ଦିଆଯିବା ପରେ ଯାଇ ଲାଇସେନ୍ସ ସହ  ବିଦ୍ୟୁତ୍‌ ସେଫ୍ଟି ସାର୍ଟିଫିକେଟ୍‌ ପ୍ରଦାନ କରାଯିବ ।

ଯେହେତୁ ପ୍ରଥମ ଥର ପାଇଁ ସିଙ୍ଗଲ୍‌ ୱିଣ୍ଡୋ  ବ୍ୟବସ୍ଥା ଆରମ୍ଭ ହୋଇଛି ସେଥିପାଇଁ ପ୍ରଶାସନ  ପକ୍ଷରୁ ପ୍ରତି ୬ଟି ପୂଜା ମଣ୍ଡପ ଲାଗି କିଛି  କର୍ମଚାରୀଙ୍କୁ ସ୍ୱତନ୍ତ୍ର ଭାବେ ନିଯୁକ୍ତି ଦିଆଯିବ ।  ଏହି କର୍ମଚାରୀମାନେ ପୂଜା ମଣ୍ଡପଗୁଡ଼ିକୁ  ଏନ୍‌ଓସି ପ୍ରଦାନରେ ସହଯୋଗ କରିବେ । ପ୍ରତି  ୨୦ରୁ ୨୫ଟି ପୂଜା ମଣ୍ଡପ ପାଇଁ ଜଣେ ବରିଷ୍ଠ  ଅଧିକାରୀ ରହିବେ । ଅଗ୍ନିଶମ ସାର୍ଟିଫିକେଟ୍‌,  ବିଦ୍ୟୁତ୍‌ ସାର୍ଟିଫିକେଟ୍‌ ଏବଂ ନିର୍ମାଣ (ଷ୍ଟ୍ରକ୍‌ଚରାଲ୍‌)  ସାର୍ଟିଫିକେଟ୍‌ ଉପରେ ବିଶେଷ ଗୁରୁତ୍ୱ  ଦିଆଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।

ପୂଜା ମଣ୍ଡପ ଓ ତୋରଣ ନିର୍ମାଣ ଦ୍ୱାରା ଯେପରି  ଟ୍ରାଫିକ୍‌ ଜାମ୍‌, ରାସ୍ତା ଅବରୋଧ ନହୁଏ ତାହାକୁ  ଦୃଷ୍ଟିରେ ରଖି ପୁଲିସ୍‌ ଏନ୍‌ଓସି ପ୍ରଦାନ କରିବ । ଭସାଣି ସମୟରେ ଅଘଟଣ ଏଡାଇବା ପାଇଁ  ଜଣେ ସୁପର୍‌ଭାଇଜିଂ ଅଫିସର ନିଯୁକ୍ତ ରହିବେ ।  ଏଥିସହ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ  ମଧ୍ୟ ବିଭିନ୍ନ ସ୍ଥାନରେ ନିୟୋଜିତ ହେବେ । ପୂଜା ଶେଷ ପରେ ପୋତା ଯାଇଥିବା ବାଉଁଶ  ତଥା ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ନିର୍ଦ୍ଦିଷ୍ଟ ସମୟ  ମଧ୍ୟରେ ହଟାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଶୁଣାଣି ଅବସରରେ କଟକ ଡିସିପି ଖିଲାରୀ  ରିଶିକେଶ ଦ୍ୟାନ୍‌ଦେଓ ମଧ୍ୟ ଏକ ସତ୍ୟପାଠ ଦାଖଲ  କରିଥିଲେ । ଅଗ୍ନିଶମ, ବିଦ୍ୟୁତ୍‌ ଆଦି ସାର୍ଟିଫିକେଟ୍‌  ନେବା ପରେ ସାଂସ୍କୃତିକ, ଡେକୋରେସନ୍‌ ଆଦି  ପାଇଁ ଅନୁମତି ଦିଆଯିବ ବୋଲି ଡିସିପି କହିଛନ୍ତି ।  ପୂଜା ମଣ୍ଡପ ନିର୍ମାଣ ପାଇଁ ପ୍ରତ୍ୟେକ ପୂଜା କମିଟି  ପକ୍ଷରୁ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ସିଏମ୍‌ସିରେ ଜମା  କରାଯିବ । ଉକ୍ତ ଜମା ଅର୍ଥର ରସିଦ୍‌ ଡିସିପିଙ୍କ  କାର୍ଯ୍ୟାଳୟରେ ଜମା କରିବା ପରେ ସମସ୍ତଙ୍କୁ  ଲାଇସେନ୍ସ ପ୍ରଦାନ କରାଯିବ । ପ୍ରତେକ ପୂଜା କମିଟି  ନିଜ ତରଫରୁ ସ୍ୱେଚ୍ଛାସେବୀ ମୁତୟନ କରିବା  ଓ ସିସି କ୍ୟାମେରା ଲଗାଇବାକୁ କୁହାଯାଇଛି ।