ମୁମ୍ବାଇ,୦୨/୦୨: ରବିବାର ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ୱାଙ୍ଖଡ଼େ ଷ୍ଟାଡ଼ିୟମ୍‌ରେ ଖେଳାଯିବ ପଞ୍ଚମ ଟି-ଟ୍ୱେଣ୍ଟି । ଭାରତ ଇତି ମଧ୍ୟରେ ସିରିଜ କବ୍‌ଜା କରି ସାରିଛି । ଅନ୍ତିମ ମ୍ୟାଚ୍‌ ଜରିଆରେ ବାକି ରହିଯାଇଥିବା ଖେଳାଳିଙ୍କୁ ସୁଯୋଗ ଦେବା ସହ ବ୍ୟାଟିଂ ତ୍ରୁଟି ସୁଧାରିବା ଉପରେ ଗୁରୁତ୍ୱ ଦେବ । ଇଂଲଣ୍ଡ ମଧ୍ୟ ଦିନିକିଆ ସିରିଜ ପୂର୍ବରୁ ବିଜୟ ହାସଲ କରି ମନୋବଳ ବଢାଇବାକୁ ଉଦ୍ୟମ  କରିବ । 

ପୁନେରେ ଅନୁଷ୍ଠିତ ଚତୁର୍ଥ ଦିନିକିଆରେ ଭାରତ ବିଜୟ ହାସଲ କରିଥିଲେ ହେଁ କିଛି ନିଷ୍ପତ୍ତିକୁ ନେଇ ବିବାଦ ଦେଖା ଦେଇଥିଲା । ବ୍ୟାଟିଂ ବେଳେ ଶିବମ ଦୁବେଙ୍କ ହେଲମେଟରେ ବଲ୍‌ ବାଜିଥିଲା । ପରେ କନକୁସନ ବଦଳ ଭାବେ ଦୁବେଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା । ସେ ୩ଟି ୱିକେଟ୍‌ ନେଇ ବିଜୟରେ ଗୁରୁତ୍ୱପୂର୍ଣ୍ଣ  ଭୂମିକା ନିର୍ବାହ କରିଥିଲେ । ଦୁବେଙ୍କ ବଦଳ ଭାବେ  ହର୍ଷିତଙ୍କୁ ଖେଳିବାକୁ ଅମ୍ପାୟାର ଅନୁମତି ଦେବା  ସଠିକ୍‌ ମନେ ହେଉ ନଥିବା ମ୍ୟାଚ୍‌ ପରେ ଇଂଲଣ୍ଡ  ଅଧିନାୟକ ଜୋସ ବଟଲର ଆପତ୍ତି ଉଠାଇଥିଲେ ।  

ରବିବାର ଇଂଲଣ୍ଡ ସବୁ ଅସନ୍ତୋଷକୁ ବିଜୟରେ ରୂପାନ୍ତରିତ କରିବାକୁ ଚେଷ୍ଟା କରିବ। ଦିନିକିଆ ସିରିଜ ପୂର୍ବରୁ ସବୁ ଖେଳାଳି ଫର୍ମକୁ ଫେରିସାରିଛନ୍ତି । ତେଣୁ ରବିବାର ଇଂଲଣ୍ଡ ବିନା ଚାପରେ ଖେଳିବ ଓ ବିସ୍ଫୋରକ ବ୍ୟାଟିଂକୁ ପ୍ରାଥମିକତା ଦେବ । ତଥାପି ଓପନିଂ ଭାଗିଦାରୀକୁ  ସୁଧାରିବାର ଆବଶ୍ୟକତା ରହିଛି ।  

BCCI Awards: ଜସପ୍ରୀତ ବୁମରା-ସ୍ମୃତି ମନ୍ଦାନାଙ୍କୁ ମିଳିଲା ବଡ଼ ପୁରସ୍କାର, ଆସିଲେନି ବିରାଟ କୋହଲି

ରବିବାର ଭାରତ ଏକାଦଶରେ ପରିବର୍ତ୍ତନ କରିପାରେ । ଦିନିକିଆ ସିରିଜ ପୂର୍ବରୁ ମହମ୍ମଦ ସାମିଙ୍କୁ ପ୍ରସ୍ତୁତ ହେବା ପାଇଁ ଆଉ ଏକ ମ୍ୟାଚ ମିଳିପାରେ । ଶିବମ ଦୁବେ ମଧ୍ୟ ଖେଳିବା ସମ୍ଭାବନା ନାହିଁ । ତାଙ୍କ ସ୍ଥାନରେ  ରମଣଦୀପ ସିଂହ କିମ୍ବା ହର୍ଷିତ ରାଣାଙ୍କୁ ଏକାଦଶରେ ସ୍ଥାନ ମିଳିବ । ଭାରତର ଦୁଇ ଓପନର  ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ ଉପରେ  ନଜର ରହିବ । ଉଭୟ ବିସ୍ଫୋରକ ବ୍ୟାଟିଂ ପାଇଁ  ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ହେଁ 

ଇଂଲଣ୍ଡର  ଫାଷ୍ଟ ବୋଲରଙ୍କ ବିପକ୍ଷରେ ବିଫଳ ହେଉଛନ୍ତି । ସାମସନ ସର୍ଟ ପିଚ ବଲ୍‌କୁ ଖେଳିବାରେ ବିଫଳ  ହେଉଛନ୍ତି । ଅଭିଷେକ ମଧ୍ୟ ଲେଙ୍ଗ୍‌ଥ ପରିଖିବାରେ  ବିଫଳ ହୋଇଛନ୍ତି । ରବିବାର ଦର୍ଶକ ଉଭୟଙ୍କ  ବ୍ୟାଟ୍‌ର ବଡ଼ ଇନିଂସ ଦେଖିବାକୁ ଆଶା ରଖିବେ ।  ଇଂଲଣ୍ଡ ଏକାଦଶରେ ପରିବର୍ତ୍ତନ କରିବା  ସମ୍ଭାବନା ନାହିଁ । ପୁନେରେ ଘାତକ ବୋଲିଂ କରିଥିବା ପେସ ବୋଲର ସାକିବ ମହମ୍ମଦ ଆସନ୍ତାକାଲି ଖେଳିବା ଏକ ପ୍ରକାର ନିଶ୍ଚିତ । ତଥାପି ଜୋଫ୍ରା  ଆର୍ଚରଙ୍କୁ ବିଶ୍ରାମ ଦେଇ ଲେଗ ସ୍ପିନର ରେହାନ ଅହମ୍ମଦଙ୍କୁ ଖେଳାଇବାକୁ ଇଂଲଣ୍ଡ ଯୋଜନା  କରିପାରେ । 

ଟସ୍‌ ଜିତିଲେ ଫିଲ୍ଡିଂ: ୱାଙ୍ଖଡ଼େ ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌ ଅନୁକୂଳ। ସଂଧ୍ୟା ସମୟରେ ପେସ ବୋଲରମାନେ ମଧ୍ୟ ପିଚ୍‌ର ଫାଇଦା ଉଠାଇବେ। ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବ । ଏଠାରେ  ଖେଳାଯାଇଥିବା ୮ଟି ଟି-ଟ୍ୱେଣ୍ଟିରୁ ପ୍ରଥମେ ବ୍ୟାଟିଂ  କରିଥିବା ୫ଟି ମ୍ୟାଚ୍‌ରେ ପରାଜିତ ହୋଇଛି ।

ସମ୍ଭାବ୍ୟ ଦଳ

ଭାରତ: ସଞ୍ଜୁ ସାମସନ, ଅଭିଷେକ ଶର୍ମା,  ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ),  ହାର୍ଦ୍ଦିକ ପାଣ୍ଡ୍ୟା, ହର୍ଷିତ ରାଣା/ରମଣଦୀପ ସିଂହ, ୱାସିଂଟନ ସୁନ୍ଦର, ଅକ୍ଷର ପଟେଲ, ରବି  ବିଷ୍ଣୋଇ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ । 

ଇଂଲଣ୍ଡ: ଫିଲ ସଲ୍ଟ, ବେନ ଡକେଟ୍‌, ଜୋସ  ବଟଲର(ଅଧିନାୟକ), ହ୍ୟାରୀ ବ୍ରୁକ୍‌, ଲାଏମ  ଲିଭିଙ୍ଗଷ୍ଟୋନ,ଜାମି ସ୍ମିଥ/ଜାକବ ବେଥେଲ, ଜାମି  ଓଭରଟନ, ବ୍ରାଇଡନ କାର୍ସ, ସାକିବ ଅହମ୍ମଦ,  ଜୋଫ୍ରା ଆର୍ଚର/ଗସ ଆଟକିନସନ, ଆଦିଲ  ରସିଦ/ରେହାନ ଅହମ୍ମଦ ।