କଟକ,୩୧/୦: ଆଜିଠୁ କଟକରେ ପ୍ରଥମ ପର୍ଯ୍ୟାୟ ଗଣେଶ ଭସାଣି ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ପ୍ରାୟ ୩୯୫ଟି  ଗଣେଶ ପ୍ରତିମା ବିସର୍ଜନ ହେବ । ଭସାଣି ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ମୁକାବିଲା କରିବା ପାଇଁ ମୋଟ୍‌ ୨୮ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ ହେବେ । ପ୍ରାୟ୨୨ଟି ବିସର୍ଜନ ସ୍ଥଳୀରେ ନିର୍ମାଣ କରାଯାଇଥିବା  ଅସ୍ଥାୟୀ ପୋଖରୀରେ ପ୍ରତିମାଗୁଡ଼ିକୁ ବିସର୍ଜନ କରାଯିବ । ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ଗଣେଶ ଭସାଣି ତିନୋଟି ରବିବାର ଆୟୋଜିତ ହେବ । ଅଗଷ୍ଟ ୩୧, ସେପ୍ଟେମ୍ବର ୭ ଓ ୧୪ ତାରିଖରେ ମେଢ଼ଗୁଡ଼ିକ ପଡ଼ିବ ।

ରବିବାର ପ୍ରଥମ ପର୍ଯ୍ୟାୟ ଭସାଣି ହେବ । ପୁଲିସଠାରୁ ବିଭିନ୍ନ କ୍ଲବ୍‌ ଓ କମିଟି ନେଇଥିବା ଭସାଣି ଅନୁମତି ବା ଲାଇସେନ୍ସ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୮୦ଟି ମେଢ ସହର ଭିତରେ ବିସର୍ଜନ ହେବ । ସେହିପରି ସହର ଉପକଣ୍ଠ ଥାନା ଅଞ୍ଚଳରେ ପ୍ରାୟ ୧୧୫ଟି ମେଢ ଶୋଭାଯାତ୍ରାରେ ଯାଇ ବିସର୍ଜନ ସ୍ଥଳରେ ପହଞ୍ଚିବ । ପ୍ରତି ମେଢ ପାଇଁ ୨ଜଣ କନ୍‌ଷ୍ଟେବଲ୍‌ କିମ୍ବା ଜଣେ ହୋମ୍‌ଗାର୍ଡ ଓ ଜଣେ ସିପାହୀ ଦାୟିତ୍ୱରେ ରହିବେ । ଭସାଣି ରୁଟ୍‌ରେ ପ୍ରାୟ ୨୯ଟି  ଏଡ୍‌ ପୋଷ୍ଟ ହୋଇଛି । ସେହିପରି ରୁଟ୍‌ର ବିଭିନ୍ନ ଛକରେ ମଧ୍ୟ ଅଧିକାରୀ ରହିବେ । ଭସାଣି ସ୍ଥଳ ଓ ଭସାଣି ସ୍ଥଳ ପାଖ ରୁଟ୍‌ରେ ଜଣେ କରି ଇନ୍ସପେକ୍ଟର ଓ ଏସିପି ରହିବେ । ଏହାଛଡା ପ୍ରତି ଥାନାକୁ ଗୋଟିଏ କରି ସେକ୍ସନ ଫୋର୍ସ ଦିଆଯାଇଛି । କୌଣସି ମେଢ ପାଖରେ ଗଣ୍ଡଗୋଳ ହେଲେ ତୁରନ୍ତ ସେଠାରେ ପହଞ୍ଚି  ସ୍ଥିତି ସମ୍ଭାଳିବେ । 

୨୨ଟି ବିସର୍ଜନ ସ୍ଥଳୀରେ ମଧ୍ୟ ଗୋଟିଏ  କରି ସେକ୍ସନ ଫୋର୍ସ ରହିବେ । ଏହାସହ କଟକ ସହର ପୁଲିସ ଅଧିନରେ କାମ କରୁଥିବା ଏଏସ୍‌ଆଇଠାରୁ ଏଡିସିପି ପର୍ଯ୍ୟନ୍ତ ପ୍ରାୟ ୨ ଶହ ଅଫିସରଙ୍କୁ ଆଇନଶୃଙ୍ଖଳା ତଦାରଖ ଦାୟିତ୍ୱ ଦିଆଯାଇଛି । କୌଣସି ପୂଜା କମିଟି ଯେପରି ୬୫ ଡେସିବେଲ୍‌ରୁ ଅଧିକ ମାତ୍ରାର ଶବ୍ଦ କରିବେ ନାହିଁ ତାହା ତଦାରଖ କରିବାକୁ ସବୁ ଥାନାକୁ ଦାୟିତ୍ୱ ଦିଆଯାଇଛି । ଶବ୍ଦ ପ୍ରଦୂଷଣ  ସ୍ଥିତି ଯାଞ୍ଚ୍‌ ପାଇଁ ପଲ୍ୟୁସନ୍‌ କଣ୍ଟ୍ରୋଲ୍‌ ବୋର୍ଡର ସଦସ୍ୟ ଏବଂ  ସ୍ଥାନୀୟ ଥାନା ପୁଲିସ ବିଭିନ୍ନ ମେଢ଼ ଯାଞ୍ଚ୍‌ କରିବେ । ସଂପୂର୍ଣ୍ଣ  ସ୍ଥିତି ଉପରେ ଡିସିପି ଖିଲାରୀ ରିଷିକେଶ ଦ୍ୟାନ୍‌ଦେଓ ନଜର  ରଖିବେ । ଏପରିକି ପୁଲିସ କମିସନର ଏସ୍‌.ଦେବଦତ୍ତ ସିଂହ ମଧ୍ୟ ରବିବାର ପୁରୀଘାଟ ଥାନାକୁ ଆସିବେ ବୋଲି ସୂଚନା ମିଳିଛି।