ନୂଆଦିଲ୍ଲୀ,୨୨/୦୯: ନବରାତ୍ରରୁ ଜିଏସ୍‌ଟି ବଚତ୍‌ ଉତ୍ସବ । ଆଜିଠୁ କାର୍ଯ୍ୟକାରୀ ହେଲା ଜିଏସ୍‌ଟି ୨.୦। ୧୨% ଓ ୨୮% ଜିଏସ୍‌ଟି ସ୍ଲାବ୍ ସଂପୂର୍ଣ୍ଣ ଉଚ୍ଛେଦ। ୫%  ଓ ୧୮% ଭଳି ୨ଟି ସ୍ଲାବ ଲାଗୁ। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ଶସ୍ତା ହୋଇଛି।  ପରିବର୍ତ୍ତିତ ଜିଏସ୍‌ଟି ଲାଗୁ ହେବାରୁ ପନିର, ଘିଅ, ସାବୁନ, ସାମ୍ପୁ ସହ ଏସି ଏବଂ  କାର୍‌ ଭଳି ବିସ୍ତୃତ ବର୍ଗରେ ଦର ହ୍ରାସ ପାଇଛି। ବିଳାସପୂର୍ଣ୍ଣ ଏବଂ ଅବଗୁଣକାରୀ ସାମଗ୍ରୀ  ଉପରେ ଲାଗିଛି ୪୦% ଜିଏସ୍‌ଟି । ତମାଖୁ, ପାନ  ମସଲା, କାର୍ବୋନେଟେଡ୍‌ ଡ୍ରିଙ୍କ, ବିଳାସ ସାମଗ୍ରୀ  ଯଥା ବଡ଼ କାର, ୟଟ୍‌, ବ୍ୟକ୍ତିଗତ ବିମାନ ଏହି  ସ୍ଲାବ୍‌ରେ ସାମିଲ ହୋଇଛି।

ସୋମବାରଠାରୁ ଦେଶରେ ଜିଏସ୍‌ଟି ୨.୦ କାର୍ଯ୍ୟକାରୀ ହୋଇଛି । ଏହାର  ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ରବିବାର ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ପ୍ରାୟ  ୨୦ ମିନିଟ୍‌ର ସମ୍ବୋଧନରେ ସେ ଜିଏସ୍‌ଟି  ସଂସ୍କାର, ଆତ୍ମନିର୍ଭର ଭାରତ ଏବଂ ସ୍ୱଦେଶୀ  ସାମଗ୍ରୀର ବ୍ୟବହାର ଉପରେ ଅଗ୍ରାଧିକାର ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ନବରାତ୍ରିର ପ୍ରଥମ ଦିନରେ ଦେଶ ଆତ୍ମନିର୍ଭର  ଭାରତ ଦିଗରେ ଏକ ବଡ଼ ପଦକ୍ଷେପ । ଜିଏସ୍‌ଟି ସଂସ୍କାର ଦେଶର ଅଭିବୃଦ୍ଧିକୁ  ବଳ ଦେବ। ଘରୋଇ ବଜାରର ଆବଶ୍ୟକତା  ଏବଂ ଭବିଷ୍ୟତ ସ୍ୱପ୍ନକୁ ଧ୍ୟାନରେ ରଖି ଏଭଳି  ସଂସ୍କାର କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏହା  ବାଣିଜ୍ୟ ସୁଗମତା ବଢ଼ାଇବ । ନିବେଶକୁ ପ୍ରୋତ୍ସାହନ ମିଳିବ। ସବୁ ରାଜ୍ୟକୁ  ମିଳିତ ଭାବେ ଅଭିବୃଦ୍ଧିର ସୁଯୋଗ ମିଳିବ । ଏଥିସହ  ଦେଶବାସୀଙ୍କ ସଞ୍ଚୟ ବଢ଼ିବ । ସେମାନେ ନିଜ ପସନ୍ଦର  ସାମଗ୍ରୀ କିଣିବାକୁ ଉତ୍ସାହିତ ହେବେ । ଜିଏସ୍‌ଟି ବଚତ୍‌  ଉତ୍ସବ ଦେଶର ସବୁବର୍ଗଙ୍କୁ ଲାଭ ଦେବ । ଦେଶର ସମୃଦ୍ଧିକୁ  ସ୍ୱଦେଶୀରୁ ଶକ୍ତି ମିଳିବ ।

 

ମୋଦି ପୁଣି କହିଲେ, ଚଳିତ ବର୍ଷ ୧୨ ଲକ୍ଷ ଟଙ୍କା  ଯାଏ ଆୟକର ଛାଡ଼ ହୋଇଛି । ନବରାତ୍ରିର ପ୍ରଥମ ଦିନରୁ  ଜିଏସ୍‌ଟି ହ୍ରାସର ଫାଇଦା ଖାଉଟି ପାଇବେ । ଟିକସ ସଂସ୍କାର ଦେଶର ସାଧାରଣ ଲୋକ ଏବଂ ମଧ୍ୟବିତ୍ତଙ୍କ ଲାଗି ଡବଲ୍‌ ବୋନାଞ୍ଜା । ଗତ ୧୧ ବର୍ଷରେ ଦେଶର ୨୫  କୋଟି ଲୋକଙ୍କ ଦାରିଦ୍ର‌୍ୟ କବଳରୁ ବାହାରକୁ ଆସିଛନ୍ତି । ଏମାନେ ଏବେ ନୂଆ ମଧ୍ୟବିତ୍ତ । ଦେଶ ଅଭିବୃଦ୍ଧିରେ  ଏବେ ସେମାନେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି ।  ସେମାନଙ୍କର ନିଜସ୍ୱ ଆକାଂକ୍ଷା ଏବଂ ସ୍ୱପ୍ନ ରହିଛି । ୧୨  ଲକ୍ଷ ଟଙ୍କା ଯାଏ ଆୟକର ଆଶ୍ୱସ୍ତି ଏବଂ ଜିଏସ୍‌ଟି ହ୍ରାସ  ସୁବିଧା ସହମଧ୍ୟବିତ୍ତ ବର୍ଗଙ୍କ ଜୀବନରେ ପରିବର୍ତ୍ତନ  ହେବେ । ସେମାନେ ନିଜ ସ୍ୱପ୍ନ ପୂରଣ କରିପାରିବେ ।  ଜିଏସ୍‌ଟି ସଂସ୍କାର ସହ ‘ନାଗରିକ ଦେବୋ ଭବ’ ମନ୍ତ୍ରକୁ  ପ୍ରାଥମିକତା ଦିଆଯାଇଛି । ଉଭୟ ଆୟକର ଏବଂ ଜିଏସ୍‌ଟି  ଆଶ୍ୱସ୍ତି ଯୋଗୁ ୨.୫ ଲକ୍ଷ କୋଟି ସଞ୍ଚୟ ହେବ । ଏହାକୁ ସଞ୍ଚୟ ପର୍ବ ବୋଲି କହିବା ଯଥାର୍ଥ ହେବ ।

ଆତ୍ମନିର୍ଭର ଭାରତ ସମ୍ପର୍କରେ ମୋଦି କହିଲେ ଯେ  ସ୍ୱଦେଶୀ ସାମଗ୍ରୀକୁ ଦେଶବାସୀ ପ୍ରାଥମିକତା ଦିଅନ୍ତୁ ।  ଆତ୍ମନିର୍ଭର ଭାରତ ଗଠନରେ ଏମ୍‌ଏସ୍‌ଏମ୍‌ଇ ପ୍ରମୁଖ  ଭୂମିକା ଗ୍ରହଣ କରିବେ । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ଠାରୁ  ଦେଶ ବହୁତ କିଛି ଆଶା ରଖିଛି । ସେମାନେ ବିଶ୍ୱ ସ୍ତରୀୟ  ଉତ୍ପାଦ ପ୍ରସ୍ତୁତ କରନ୍ତୁ । ଦେଶରେ ଏଭଳି ଉତ୍ପାଦ ପ୍ରସ୍ତୁତ  ହେଉ ଯାହା ବିଶ୍ୱର ଯେକୌଣସି କଠିନ ପରୀକ୍ଷାରେ  ସଫଳ ହେବ । ସ୍ୱଦେଶୀ ମନ୍ତ୍ରରେ ହିଁ ଦେଶର ଅଭିବୃଦ୍ଧି  ଧାରା ତ୍ୱରାନ୍ୱିତ ହେବ । ଆମେ ଦୈନଦିନ ଜୀବନରେ  ବ୍ୟବହାର କରୁଥିବା ଅଧିକାଂଶ ଉତ୍ପାଦ ଘରୋଇ ବଜାରରେ  ପ୍ରସ୍ତୁତ ହେଉନି । ଅନେକ ସାମଗ୍ରୀ ବିଦେଶରୁ ଆସୁଛି।  ଏଥିରୁ ଆମକୁ ମୁକ୍ତି ପାଇବାକୁ ପଡିବ । ଆମ ଲୋକଙ୍କ  ଝାଳବୁହା କଷ୍ଟରେ ପ୍ରସ୍ତୁତ ହେଉଥିବା ମେଡ୍‌ ଇନ୍‌ ଇଣ୍ଡିଆ  ଉତ୍ପାଦ ଆମେ କିଣିବା । ପ୍ରତିଟି ଘରକୁ ଆମେ ସ୍ୱଦେଶର  ପ୍ରତୀକ ଭାବେ ବନାଇବା । ସବୁ ଦେକାନକୁ ସ୍ୱଦେଶୀ  ସାମଗ୍ରୀରେ ସଜାଇବା । ସ୍ୱଦେଶୀ ଉତ୍ପାଦକୁ ନେଇ ଗର୍ବ  କରିବା । ସବୁ ରାଜ୍ୟ ସରକାର ସ୍ୱଦେଶୀ ଅଭିଯାନ ଚଳାନ୍ତୁ ।  ବିନିର୍ମାଣ କ୍ଷେତ୍ରକୁ ପ୍ରୋତ୍ସାହନ ସହ ନିବେଶ ଆକୃଷ୍ଟ କରିବା  ଲାଗି ଏକ ଉନ୍ନତ ପରିବେଶ ସୃଷ୍ଟି କରନ୍ତୁ ବୋଲି ମୋଦି  ଆହ୍ୱାନ ଦେଇଛନ୍ତି।