ଭୁବନେଶ୍ୱର,୧୬/୦୫: ଆଜି ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ପାଳିଥାନ୍ତି ପତ୍ନୀ । ଏଥିପାଇଁ ମହିଳାମାନଙ୍କୁ ଫଳ ପୂଜା କରି ଦିନତମାମ୍ ଉପବାସ ରହିବାକୁ ପଡିଥାଏ । ବ୍ରତ ପୂର୍ବରୁ ଶଙ୍ଖା, ସିନ୍ଦୁର, ବ୍ରତଠାରୁ ଆରମ୍ଭ କରି ସମସ୍ତ ପୂଜା ସାମଗ୍ରୀ ବଜାରରୁ କିଣିଛନ୍ତି । ସାବିତ୍ରୀ ବ୍ରତରେ ଭଳି ଭଳି ଫଳ ଓ ଶାଢ଼ିରମଧ୍ୟ ବେଶ୍ ଗୁରୁତ୍ୱ ରହିଛି । ତେଣୁ ପୂଜା ପୂର୍ବ ଦୁଇଦିନ ବଜାର ବେଶ୍ ସରଗରମ ରହିଥିଲା । ବିଶେଷକରି ସପିଙ୍ଗ୍ ମଲଗୁଡ଼ିକରେ ଶାଢ଼ି କିଣାକିଣି କରିବାକୁ ମହିଳାମାନଙ୍କ ଭିଡ଼ ଜମିଥିଲା । ସାବିତ୍ରୀମାନେ ଏକ ସଙ୍ଗେ ନିଜ ପାଇଁ ଶାଢ଼ି କିଣିବା ସହ ଶାଶୁ, ନଣନ୍ଦ ଓ ଯାଆଙ୍କ ପାଇଁ ମଧ୍ୟ କିଣିଥିଲେ ।ସେହିପରି ସାବିତ୍ରୀ ପାଇଁ ଫଳ ବଜାର ମଧ୍ୟ ଉଷ୍ମ ରହିଥିଲା । ଚଢ଼ା ଦର ସତ୍ତେ୍ୱ କେହି କିଣାକିଣିରେ ହେଳା କରିନଥିଲେ ।
କାହାର ପସନ୍ଦ ହସ୍ତତନ୍ତ, ଆଉ କାହାର ଫ୍ୟାନ୍ସି
ସାବିତ୍ରୀ ପାଇଁ ରାଜଧାନୀର ବିଭିନ୍ନ ସପିଙ୍ଗ ମଲରେ ଭିଡ଼ ପରିଲକ୍ଷିତ ହୋଇଛି । କିଏ ହସ୍ତତନ୍ତ ଶାଢ଼ି କିଣିଥିଲେ ତ ଆଉ କିଏ ଫ୍ୟାନ୍ସି । ସତ୍ୟବାନଙ୍କୁ ଧରି ସପିଙ୍ଗ ମଲରେ ପହଞ୍ଚିଥିଲେ ସାବିତ୍ରୀ, ଆଉ ମନକୁ ପାଇଲା ଭଳି ଶାଢ଼ି କିଣିଥିଲେ । ଖାଳି ନିଜ ପାଇଁ ନୁହେଁ, ପରିବାରର ଅନ୍ୟମାନଙ୍କ ପାଇଁ ମଧ୍ୟ କିଣିଥିଲେ । ତେଣୁ ଗୋଟିଏ ଗୋଟିଏ ଘରୁ ପାଖାପାଖି ୪ରୁ ୫ଖଣ୍ଡ ଶାଢ଼ି କିଣା ହୋଇଥିଲା । ସେହିପରି ଝିଅ ଘରକୁ ଭାର ପଠାଇବା ପାଇଁ ମା’ମାନେ ଶାଢ଼ି କିଣିବାକୁ ଆସିଥିଲେ ।ବିଶେଷକରି ସନ୍ଧ୍ୟା ସମୟରେ ମହିଳାମାନେ ସାବିତ୍ରୀ ସଜ ପାଇଁ ବଜାରକୁ ବହୁଳ ମାତ୍ରାରେ ଆସିଥିଲେ । ମହିଳାଙ୍କ ଆଗ୍ରହକୁ ଦେଖି ଦୋକାନୀମାନେ ହସ୍ତତନ୍ତର ସୂତା, ଟିସୁ ସିଲ୍କ, ଅର୍ଗେଞ୍ଜା ଭଳି ଶାଢି ଦେଖାଇ ଥିଲେ । ଖାଲି ଆକର୍ଷଣୀୟ ଶାଢ଼ି ନୁହେଁ, ପକେଟକୁ ସୁହାଇଲା ଭଳି ରିହାତି ମଧ୍ୟ ଦେଇଥିଲେ ।
ଭାଗଲପୁରୀ କଟନ୍ ଶାଢିର ମୂଲ୍ୟ ୬ଶହ ଟଙ୍କାରୁ ୧୨ଶହ ଟଙ୍କା, କଲ୍ୟାଣୀ ସିଲ୍କ ୫ଶହରୁ ୧ ହଜାର ଟଙ୍କା, ପାରମ୍ପରିକ ଆର୍ଟ ସିଲ୍କ ୮ଶହ ଟଙ୍କାରୁ ୧୮ ଶହ ଟଙ୍କା, ଅର୍ଗେଞ୍ଜାର ଶାଢି ଦେଢ ହଜାର ଟଙ୍କାରୁ ୪ ହଜାର ଟଙ୍କା, ସୁରଟର ଇମ୍ପୋଟେଡ୍ ଶାଢି ୧ ହଜାରରୁ ୩ ହଜାର, କଟନ୍ ଶାଢି ୨ ଶହ ଟଙ୍କାରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ବିଶେଷକରି ଲାଲ, ଲେମନ୍ ୟେଲୋ, ଗୋଲାପୀ, ଖଇରିଆ ରଙ୍ଗର ଶାଢିକୁ ମହିଳାମାନେ ଅଧିକ ପସନ୍ଦ କରିଥିଲେ । କିଛି ଦୋକାନୀ ୧୫ ପ୍ରତିଶତ ତ ଆଉ କିଛି ଦୋକାନୀ ୨୦ ପ୍ରତିଶତ ରିହାତି ଦେଇଥିଲେ । ହସ୍ତତନ୍ତ ଶାଢିଗୁଡ଼ିକ ବିଶେଷକରି ଆମ ରାଜ୍ୟର ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ବେଳେ ଅଧିକାଂଶ ସୂତା ଏବଂ ସିଲ୍କ ଶାଢି ବମ୍ବେ ଓ ସୁରଟରୁ ଆସୁଛି । ନବବିବାହିତାମାନେ ଫ୍ୟାନ୍ସି ଶାଢି କିଣୁଥିବା ବେଳେ ବୟସ୍କ ମହିଳାମାନେ କଟନ୍ ଓ ହସ୍ତତନ୍ତ ଶାଢି କିଣିବାକୁ ଅଧିକ ପସନ୍ଦ କରୁଛନ୍ତି ।
ରାସ୍ତା କଡ଼ରେ ପୂଜା ସାମଗ୍ରୀ ପସରା
ସାବିତ୍ରୀ ପାଇଁ ରାସ୍ତାକଡ଼ରେ ଶଙ୍ଖା, ସିନ୍ଦୂର, ଅଳତା, ଚୁଡ଼ି, ନାଲି ସୂତା, ମେହେନ୍ଦୀ ଭଳି ବିଭିନ୍ନ ପୂଜା ସାମଗ୍ରୀ ପସରା ମେଲିଥିଲା । ଯାହାର ମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ ହୋଇ ୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସମସ୍ତ ପୂଜା ସାମଗ୍ରୀ ଥିବା ପ୍ୟାକେଟ୍ର ମୂଲ୍ୟ ୪୦ଟଙ୍କାରୁ ଆରମ୍ଭ, ଯାହାକୁ ଆଗୁଆ ମହିଳାମାନେ କିଣି ନେଇଥିଲେ ।
ଫଳ ବଜାର ସରଗରମ ଶୁକ୍ରବାର ସଂକ୍ରାନ୍ତି, ଶନିବାର ସାବିତ୍ରୀ । ତେଣୁ ଫଳ ବଜାର ସରଗରମ ଥିଲା । ସେଓରୁ ନେଇ ଲିଚୁ, କମଳା, ଅଙ୍ଗୁର ହେଉ କି କଦଳୀ । ଯାହାର ଦର ପଚାରିବ ସବୁ ୨୦୦ରୁ ୩୦୦ । କଦଳୀ ଡଜନେକୁ ୧୨୦ରୁ ୧୪୦ ଟଙ୍କା । ୫୦୦ ଟଙ୍କାରେ ବି ବ୍ୟାଗ ଭର୍ତ୍ତି ହେଉନି । ଅଢେଇଶହ ମାଗିଲେ ବି କଣ୍ଟା ଧରୁନି । ବାଧ୍ୟହୋଇ ୧ କିଗ୍ରା ଜାଗାରେ ୫ଶହ କିମ୍ବା ଅଢ଼େଇ ଶହ ଗ୍ରାମ୍ କିଣି ଫେରିଥିଲେ ଗ୍ରାହକ । ଭୁବନେଶ୍ୱର ୧ ନମ୍ବର ହାଟରୁ ନେଇ କଳ୍ପନା ରୋଡ୍, ୟୁନିଟ-୮, ନୂଆ ଏୟାରପୋର୍ଟ ରୋଡ୍, ଜୟଦେବ ବିହାର, ନୂଆପଲ୍ଲୀ, ଡମଣା, ପଟିଆ, ରସୁଲଗଡ଼ ଆଦି ସ୍ଥାନରେ ଛୋଟବଡ଼ ଫଳ ବଜାର ରହିଛି । ଗତ ଦୁଇଦିନ ହେବ ଏହି ସବୁ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବଜାରରେ ଚାରିପ୍ରକାର ସେଓ ଅଛି । ଭଲ କ୍ୱାଲିଟିର ସେଓର ଦାମ୍ ୩୫୦ରୁ ୪୦୦ଟଙ୍କା ରହିଛି ।
ଅନ୍ୟ ସେଓର ମୂଲ୍ୟ ୩୦୦, ୨୫୦ ଓ ୧୫୦ ଟଙ୍କା ଅଛି । ଡାଳିମ୍ବ କେଜି ୩ଶହରୁ ୩୫୦, ଅଙ୍ଗୁର କେଜି ୨୦୦ରୁ ୨୫୦, କମଳା ୨୦୦, ଆମ୍ବ ୧୫୦ରୁ ୨୦୦, ପଣସ ୧୫୦ ଟଙ୍କା ଅଛି । ଏଥିସହ ନଡ଼ିଆ ୩୦ରୁ ନେଇ ୮୦, ତାଳ ୫୦, ଖଜୁରୀ ୧୦୦ ଟଙ୍କାରେ ବିକ୍ରି ହେଉଥିଲା । ଏସବୁ ଫଳ ଓଡ଼ିଶା ବାହାରୁ ଆସୁଛି । ବେଙ୍ଗାଲୁରୁ, କେରଳ, ଆନ୍ଧ୍ରପ୍ରଦେଶ, ଚେନ୍ନାଇରୁ ଫଳ ଆସୁଥିବାରୁ ପରିବହନ ଖର୍ଚ୍ଚ ୧୦ରୁ ୨୦ ଟଙ୍କା ବଢିଯାଇଛି ବୋଲି ବେପାରୀମାନେ କହିଛନ୍ତି । ଜଣେ ଗ୍ରାହକ ସତ୍ୟନାରାୟଣ ସାହୁ କହିଛନ୍ତି, ଫଳ ଦର ଶୁଣିଲେ, କିଣିବାକୁ ଆଉ ମନ ମାନୁନି । ଓଷା ପାଇଁ ସବୁ ଫଳରୁ ଗୋଟିଏ ଗୋଟିଏ କିଣିବାକୁ ପଡ଼ୁଛି । ଯେଉଁଭଳି ଦର ବଢିଚାଲିଛି, ତାହା ମଧ୍ୟବିତ୍ତ ପରିବାର ଉପରେ ବଜ୍ରପାତ ଭଳି ଲାଗୁଛି । ଫଳ ଦୋକାନୀ ମନୋଜ ସାହୁ କୁହନ୍ତି, ସାବିତ୍ରୀ ପାଇଁ ଝିଅଘରକୁ ଭାର ଦେବାକୁ ଅନେକ ଲୋକ ସବୁପ୍ରକାର ଫଳଥିବା ଝୁଡ଼ି ବରାଦି ଦେଇଥିଲେ । ବାହାରୁ ଫଳ କିଣି ଆଣୁଥିବାରୁ ଉଚ୍ଚା ଦରରେ ବିକ୍ରି କରିବାକୁ ଆମେ ବାଧ୍ୟ ହେଉଛୁ ।
ଆହୁରି ପଢନ୍ତୁ-Petrol Crisis: ଖରା ତାତିକୁ ବଳିଗଲା ତେଲ ତାତି; ଧାଡ଼ିରେ ଛିଡ଼ା ସାରା ଓଡ଼ିଶା, ୨୭୮ ଟାଙ୍କିରେ ନୋ-ଷ୍ଟକ୍
ଏଥର ଫଳ ନୁହେଁ, ସତ୍ୟବାନଙ୍କୁ ପେଟ୍ରୋଲ ଚିନ୍ତା
ସାବିତ୍ରୀ ବ୍ରତ ପାଇଁ କିଣାକିଣି କରିବାକୁ ତ ବଜାରକୁ ଚାଲି ଆସିଲେ, ହେଲେ ଗାଡ଼ିରୁ ତେଲ ସରିଗଲେ କରିବେ କ’ଣ । କାରଣ ରାଜଧାନୀର ଅନେକ ପେଟ୍ରୋଲ ପମ୍ପରେ ତେଲ ମିଳୁନି । ଯେଉଁ ଟାଙ୍କିରେ ତେଲ ମିଳୁଛି, ସେଠାରେ ସାବିତ୍ରୀ ବଜାରଠାରୁ ଅଧିକ ଭିଡ଼ । ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଯାଇ ତେଲ ମିଳିବ । ତା’ଛଡ଼ା ଯେଉଁମାନଙ୍କ ଗାଡ଼ିରେ ତେଲ ଅଛି, ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଅଧିକ ବୁଲାବୁଲି କରି କିଣାକିଣି କରିବାରେ ସେମାନେ ଗାଡ଼ି ତେଲ ସାରିବାକୁ ଚାହିଁ ନଥିଲେ । ତେଣୁ ଏଥର ବଜାରରେ ଫଳ, ଭୋଗ କିମ୍ବା ଶାଢ଼ି ଆଦି କିଣିବାକୁ ଯେତିକି ଚିନ୍ତା ନୁହେଁ, ତାଠାରୁ ଅଧିକ ପେଟ୍ରୋଲ ଚିନ୍ତା ଘାରିଥିଲା ସତ୍ୟବାନଙ୍କୁ ।