ପ୍ରୟାଗରାଜ,୧୩/୧୨ (ରାମଜୀବନ ଗୋଛାୟତ): ଶୁକ୍ରବାର ଉତ୍ତର ପ୍ରଦେଶର ପ୍ରୟାଗରାଜ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରୟାଗରାଜରେ ୫୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଲୋକାର୍ପଣ କରିବେ । ସେହିପରି ୨୦୨୫ରେ ହେବାକୁ ଥିବା ମହାକୁମ୍ଭର ବିଭିନ୍ନ ପ୍ରକଳ୍ପ, ରେଳ ଓ ସଡ଼କ ପ୍ରକଳ୍ପ ବି ଲୋକାର୍ପଣ କରିବେ । ପ୍ରୟାଗରାଜବାସୀଙ୍କୁ ୧୦ଟି ନୂତନ ଫ୍ଲାଏଓଭର, ସ୍ଥାୟୀ ଘାଟ ଏବଂ ନଦୀ କୂଳର ରାସ୍ତା ଭେଟି ଦେବେ ମୋଦି । ଏହା ସହିତ ପ୍ରଧାନମନ୍ତ୍ରୀ କୁମ୍ଭ "ସହାୟକ' ଚାଟ୍ବଟ୍ର ମଧ୍ୟ ଶୁଭାରମ୍ଭ କରିବେ । ତେବେ ମୋଦିଙ୍କ ଗସ୍ତ ପାଇଁ ସଜେଇ ହୋଇଛି ବାରାଣସୀରୁ ପ୍ରୟାଗରାଜ । ସବୁଠି ଛାଇ ଯାଇଛି ବଡ଼ ବଡ଼ ବ୍ୟାନର ଓ ହୋର୍ଡିଂ ।
ପ୍ରଧାନମନ୍ତ୍ରୀ ଅପରାହ୍ନ ୧୨ଟା ୧୫ରେ ସଙ୍ଗମ ସାଇଟରେ ପ୍ରାର୍ଥନା ଏବଂ ଦର୍ଶନ କରିବେ । ଏହାପରେ ପ୍ରାୟ ୧୨ଟା ୪୦ରେ ଅକ୍ଷୟ ବଟ ବୃକ୍ଷ ମୂଳରେ ପୂଜାର୍ଚ୍ଚନା କରିବେ । ପରେ ପ୍ରଧାନମନ୍ତ୍ରୀ ହନୁମାନ ମନ୍ଦିର ଏବଂ ସରସ୍ୱତୀ କୂଅକୁ ଯାଇ ପୂଜାର୍ଚ୍ଚନା କରିବେ । ସେ ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ମହାକୁମ୍ଭ ପ୍ରଦର୍ଶନୀ ସ୍ଥାନ ପରିଦର୍ଶନ କରିବେ । ଏହା ପରେ ଅପରାହ୍ନ ୨ଟାରେ ପ୍ରୟାଗରାଜରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ।