ଭୁବନେଶ୍ୱର,୧୦/୦୮: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି  ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର (ବ୍ରୋଞ୍ଜ) ୨୦୨୫ । ୨୨ ଲକ୍ଷ ଟଙ୍କାର ମୋଟ୍‌ ପୁରସ୍କାର ରାଶି  ବିଶିଷ୍ଟ ଏହି ପ୍ରତିଯୋଗିତାରେ ୧୭ଟି ଦେଶରୁ ୧୬୦  ଜଣ ଖେଳାଳି ଭାଗ ନେଉଛନ୍ତି । ସେମାନଙ୍କ ମଧ୍ୟରେ  ୯୩ ଭାରତୀୟ ଏବଂ ୬୭ ବିଦେଶୀ ଖେଳାଳି  ରହିଛନ୍ତି । ଭାରତର ଦ୍ରୁତତମ ଧାବକ ଅନିମେଶ  କୁଜୁର ଏବଂ ମହିଳା ଜାଭେଲିନ ଥ୍ରୋୟର ଅନୁ  ରାଣୀ ପ୍ରତିଯୋଗିତାରେ ମୁଖ୍ୟ ଆକର୍ଷଣ ସାଜିବେ ।

କଳିଙ୍ଗ ଷ୍ଟାଡିୟମରେ ଆଜି ଆୟୋଜିତ  ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ  ଭାରତୀୟ ଆଥଲେଟିକ୍ସ ସଂଘ  (ଏଏଫ୍‌ଆଇ) ସଭାପତି ବାହାଦୂର  ସିଂ ସାଗୁ, ବିଶ୍ୱ ଆଥଲେଟିକ୍ସର  ଉପ ସଭାପତି ଅଦିଲ ସୁମାରିୱାଲା  ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା  ବିଭାଗର ସଚିବ ସଚିନ ଯାଦବ ପ୍ରମୁଖ  ଉପସ୍ଥିତ ରହି ଏ ବିଷୟରେ ସୂଚନା ଦେଇଥିଲେ । 

ପ୍ରଥମ ଥର ଏହି ପ୍ରତିଯୋଗିତା ଭାରତରେ ଆୟୋଜିତ ହେଉଛି । ଦୁଇଟି ଅଧିବେଶନରେ ପ୍ରତିଯୋଗିତା ହେବାକୁ ଯାଉଛି । ସକାଳ ଅଧିବେଶନରେ ୫ଟି ଇଭେଣ୍ଟର ହିଟ୍‌ ରହିଛି । ୧୯ରୁ  ଊଦ୍ଧ୍ୱର୍ ଇଭେଣ୍ଟରେ ପ୍ରତିଯୋଗିତା ହେବ । ସନ୍ଧ୍ୟା  ଅଧିବେଶନରେ ସମସ୍ତ ଇଭେଣ୍ଟର ଫାଇନାଲ ରହିଛି । 

ଏଏଫ୍‌ଆଇ ସଭାପତି ସାଗୁ କହିଥିଲେ, ‘ବିଶ୍ୱ  ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର (ବ୍ରୋଞ୍ଜ) ଆମ  ଖେଳାଳିଙ୍କ ପାଇଁ ଭଲ ପ୍ରଦର୍ଶନ କରିବାର ଏକ ବଡ଼  ପ୍ଲାଟଫର୍ମ ଏବଂ ଟୋକିଓ ବିଶ୍ୱ ଆଥଲେଟିକ୍ସକୁ ଯୋଗ୍ୟତା  ହାସଲ କରିବାର ସୁଯୋଗ ଆଣି ଦେଇଛି । ଏ ପର୍ଯ୍ୟନ୍ତ ୧୦  ଜଣ ଭାରତୀୟ ଟୋକିଓ ଟିକେଟ୍‌ ହାସଲ କରିସାରିଛନ୍ତି ।  ମୋର ବିଶ୍ୱାସ କଣ୍ଟିନେଣ୍ଟାଲ ଟୁର ମାଧ୍ୟମରେ  ଆଉ କିଛି ଖେଳାଳି ଯୋଗ୍ୟତା ହାସଲ କରିବେ ।’ 

ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ସଚିନ  ଯାଦବ କହିଥିଲେ, ‘କଣ୍ଟିନେଣ୍ଟାଲ ଟୁର ପାଇଁ ସମସ୍ତ  ପ୍ରସ୍ତୁତି ଶେଷ ହୋଇଛି । ଭୁବନେଶ୍ୱରରେ ଏଭଳି ଏକ  ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ କରି ରାଜ୍ୟ  ସରକାର ଉତ୍ସାହିତ ରହିଛନ୍ତି । ଆଗାମୀ  ଭବିଷ୍ୟତରେ ଏଭଳି ଅନ୍ତର୍ଜାତୀୟ  ପ୍ରତିଯୋଗିତା ଆୟୋଜନ ଜାରି ରହିବ ।’

୨୦୦ ମିଟରରେ ଉପରେ ଫୋକସ

ଅନିମେଶ ୨୦୦ ମିଟରରେ ବିଶ୍ୱ ମାନ୍ୟତାରେ  ୪୨ତମ ସ୍ଥାନରେ ରହିଛନ୍ତି । ଶ୍ରେଷ୍ଠ ୪୮ ଜଣ  ଟୋକିଓ ବିଶ୍ୱ ଆଥଲେଟିକ୍ସରେ ଭାଗ ନେବେ ।  ଏହି ଇଭେଣ୍ଟରେ ଯୋଗ୍ୟତା ଟାଇମିଂ ରହିଛି  ୨୦.୧୬ ସେକେଣ୍ଡ । ଅନିମେଶଙ୍କ ନାମରେ ଜାତୀୟ  ରେକର୍ଡ ରହିଛି ୨୦.୩୨ ସେକେଣ୍ଡ । ସେ କହିଛନ୍ତି,  ‘ଆସନ୍ତାକାଲି କେବଳ ୨୦୦ ମିଟରରେ ମୋର  ଅଧିକ ଧ୍ୟାନ କେନ୍ଦ୍ରୀଭୂତ ରହିବ ।’ ସେମିତି ଅନୁ  କହିଛନ୍ତି, ‘ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ  ପ୍ରୟାସ କରିବି ।’ ସେହିପରି ଜାଭେଲିନ ଥ୍ରୋୟର  ସଚିନ ଯାଦବ, ଲଙ୍ଗ ଜମ୍ପର ମୂରଲୀ ଶ୍ରୀଶଙ୍କର ଏବଂ  ସାଇଲି ସିଂ ମଧ୍ୟ ସମସ୍ତଙ୍କ ନିଜରରେ ରହିବେ ।