ବାଲିଗୁଡ଼ା,୦୧/୦୩: ମାସେ ହେଲା ହଷ୍ଟେଲରେ ଶୌଚାଳୟ ସମସ୍ୟା । ଏଣୁ ସ୍ନାନ, ଶୌଚ ପାଇଁ ଜାତୀୟ ରାଜପଥ ଡେଇଁ ଗୋଟେ କିଲୋମିଟର ଦୂର ନଦୀ, ନାଳ ଓ ଡ୍ୟାମରେ ସ୍ନାନଶୌଚ କରୁଛନ୍ତି ଛାତ୍ରଛାତ୍ରୀ । ସକାଳୁ ପାହାଡ଼ ନିକଟ ନଦୀକୁ ଯାଉଛନ୍ତି ଛାତ୍ରୀମାନେ ଏବଂ ଛାତ୍ର ଯାଉଛନ୍ତି ଚେକ୍ ଡ୍ୟାମ୍କୁ । ୫୯ ନମ୍ବର ଜାତୀୟ ରାଜପଥରେ ଗାଡ଼ି ମୋଟର ବିପଦ ସାଙ୍ଗକୁ ଜଙ୍ଗଲ ନିକଟ ନଦୀରେ ସରୀସୃପ ଭୟ ରହିଛି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଏହି ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଛି । କେତେବେଳେ କଣ ଅଘଟଣ ଘଟିବା ନେଇ ଆଶଙ୍କା ରହିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ପରମପାଙ୍ଗା ପଞ୍ଚାୟତର ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାସେ ହେଲା ଏଭଳି ସମସ୍ୟା ଲାଗି ରହିଛି । ପ୍ରଧାନ ଶିକ୍ଷୟିତ୍ରୀ ଆଇଟିଡିଏ ପିଏଙ୍କୁ ଜଣାଇଥିବା କହି ଦାୟିତ୍ୱ ସାରିଦେଇଛନ୍ତି ।
ଜିଲ୍ଲା ଶିକ୍ଷା ଅଧିକାରୀ ଏ ସମସସ୍ୟା ସମ୍ପର୍କରେ ଜାଣି ନ ଥିବା କହିଛନ୍ତି । ଛାତ୍ରଛାତ୍ରୀଙ୍କ ଏହି ସମସ୍ୟା ପ୍ରତି ଅଣଦେଖାକୁ ନେଇ ଅଭିଭାବକଙ୍କ ମଧ୍ୟରେ ସୃଷ୍ଟି କରିଛି ଅସନ୍ତୋଷ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାକ୍ଷେତ୍ରରେ ବିକାଶ ପାଇଁ ଅନେକ ଯୋଜନାରେ କୋଟିକୋଟି ଟଙ୍କା ବ୍ୟୟ ଅଟକଳ କରୁଛନ୍ତି ସରକାର । କନ୍ଧମାଳରେ ସମସ୍ତ ପଞ୍ଚାୟତରେ ସରକାରୀ ସେବାଶ୍ରମ ବିଦ୍ୟାଳୟ ରହିଛି । ଏଠାରେ ଉନ୍ନତ ମାନର ଶିକ୍ଷା ସହିତ ଆଶ୍ରମରେ ରହିବା ନିମନ୍ତେ କରାଯାଉଛି ସମସ୍ତ ବ୍ୟବସ୍ଥା । କିନ୍ତୁ ଯୋଜନା ଓ ଏହାର କାର୍ଯ୍ୟକାରିତା କିଭଳି ହେଉଛି ତାହାର ଉଦାହରଣ ଦେଖିବାକୁ ମିଳୁଛି ପରମପାଙ୍ଗା ପଞ୍ଚାୟତର ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ୧ମରୁ ୧୦ମ ପର୍ଯ୍ୟନ୍ତ ୧୦୮ ଜଣ ଛାତ୍ରୀ ଓ ୩୮ ଜଣ ଛାତ୍ର ରହିଛନ୍ତି । ବିଦ୍ୟାଳୟ ପରିସରରେ ଥିବା ଶୌଚାଳୟ ମାସେ ହେଲା ଖରାପ ।
ପ୍ରଧାନ ଶିକ୍ଷୟିତ୍ରୀ କମଳିନୀ ଦେଶୀନାୟକ ଏହାକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ବିଦ୍ୟାଳୟର ଶୌଚାଳୟ ସମସ୍ୟା ରହିଛି । ଏନେଇ ବାଲିଗୁଡ଼ା ଆଇଟିଡିଏ ପିଏଙ୍କୁ କହିଛି । ସେ କହିଛନ୍ତି ତୁରନ୍ତ କାର୍ଯ୍ୟକ୍ଷମ କରିଦେବେ । ବାଲିଗୁଡ଼ା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କୁ ପଚାରିବାରେ ଉତ୍ତର ମିଳିଲା ଯେ, ଏହି ବିଦ୍ୟାଳୟ ଦାୟିତ୍ୱରେ ଜିଲ୍ଲା ଶିକ୍ଷା ଅଧିକାରୀ ଅଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ ସ୍ୱାଇଁ ‘ଏହି ବିଷୟରେ ଜାଣିନଥିଲି, ବୁଝି ପଦକ୍ଷେପ ନେବି’ ବୋଲି କହିଛନ୍ତି । ପରମପାଙ୍ଗା ସରପଞ୍ଚ ରଜନୀ ମଳିକ କହିଛନ୍ତି ଏହି ବିଷୟରେ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କହିଲେ ବି କିଛି ଦୃଷ୍ଟି ଦେଉନାହାନ୍ତି । ଯଦି ପିଲାଙ୍କ ଅସୁବିଧା ପିଲାଙ୍କ ହୁଏ, ତେବେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ କରିଛନ୍ତି । ନଦୀରେ ଛାତ୍ରୀମାନେ ଗାଧୋଉଥିବା ବେଳେ କେତେବେଳେ ଉପର ମୁଣ୍ଡରେ ପାଣି ପଳାଇ ଆସିଲେ ଭସାଇ ନେବା ଆଶଙ୍କା ରହିଛି । ଛାତ୍ର ଚେକ୍ ଡ୍ୟାମ୍ ଉପରେ ଗାଧୋଉଛନ୍ତି । ସାମାନ୍ୟ ଅସାବଧାନତାରେ ବଡ଼ ଅଘଟଣ ଘଟିପାରେ । ଏହାପୂର୍ବରୁ ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଜରୁରି ହୋଇପଡ଼ିଛି ।
ଆହୁରି ପଢନ୍ତୁ- ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବର୍ବରକାଣ୍ଡ: IED ବିସ୍ଫୋରଣରେ କୋବ୍ରା ବାହିନୀର ସହକାରୀ କମାଣ୍ଡାଣ୍ଟ ଗୁରୁତର
ସୂଚନାଥାଉ କି, ଜାନୁଆରୀ ୨୨ ତାରିଖରେ ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ୍ ନୂଆପଡ଼ା ଶିଶୁମନ୍ଦିରର ଦୁଇ ଛାତ୍ରଙ୍କ ବାହୁଦା ନଦୀରେ ବୁଡ଼ି ମୃତ୍ୟୁ ହୋଇଥିଲା । ଫେବ୍ରୁଆରୀ ୨୦୨୫ରେ ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ଦୁଇ ଛାତ୍ର ବୁଡ଼ି ଯାଇଥିଲେ । ସେହିଭଳି ଗତବର୍ଷ ଅକ୍ଟୋବରରେ ଘାଗରା ଜଳପ୍ରପାତକୁ ପିକ୍ନିକ୍ କରିବାକୁ ଯାଇଥିବା ରାଉରକେଲାର ଏକ ଘରୋଇ ସ୍କୁଲ୍ର ଦୁଇ ଜଣ ଛାତ୍ରଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିଲା । ପାଣିରେ ବୁଡ଼ି ଛାତ୍ର ମୃତ୍ୟୁ ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବାବେଳେ ଉପରୋକ୍ତ ଘଟଣା ଅଭିଭାବକଙ୍କ ଚିନ୍ତାର କାରଣ ପାଲଟିଛି । ଜିଲ୍ଲାପାଳ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।