ପୁରୀ,୧୬/୦୭ : ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳି ଶ୍ରୀକ୍ଷେତ୍ର । ହେଲେ ଯାତ୍ରୀଙ୍କୁ ମିଳୁନି ମୌଳିକ ସୁବିଧା । ପୁରୀ ସହର ସାରା ଶୌଚ ସମସ୍ୟା ଭୋଗୁଛନ୍ତି ପଥଚାରୀ । ବଡ଼ଦାଣ୍ଡରୁ ବେଳାଭୂମି ଓ ଏପରିକି ଜନଗହଳିପୂର୍ଣ୍ଣ ସ୍ଥାନ କିମ୍ବା ରାସ୍ତାରେ ମଧ୍ୟ କାର୍ଯ୍ୟକ୍ଷମ ଶୌଚାଳୟ ଦେଖିବାକୁ ମିଳୁନି । ପର୍ଯ୍ୟଟକମାନେ ଶୌଚାଳୟ ଖୋଜି ନୟାନ୍ତ ହେବା ପରେ ସରକାରଙ୍କ ଦୋଷ ବାଛୁଛନ୍ତି । ସବୁ ଜାଣି ସବୁ ଦେଖୁଛି ନିଲଠା ପ୍ରଶାସନ । ଏଣୁ ଲୋକ ଲଜ୍ୟା ଛାଡ଼ି ବାଧ୍ୟ ହୋଇ ରାସ୍ତା ପାଶ୍ୱର୍କୁ ଉଭୟ ପୁରୁଷ ଓ ମହିଳା ନିତ୍ୟକର୍ମ ସ୍ଥଳି ଭାବେ ବ୍ୟବହାର କରୁଛନ୍ତି । ଏପଟେ ଅନ୍ୟ ସହର ଭଳି ଶ୍ରୀକ୍ଷେତ୍ରରେ କାହିଁକି ଇ-ଟଏଲେଟ୍ ବ୍ୟବସ୍ଥା କରାଯାଉ ନାହିଁ ବୋଲି ସ୍ଥାନୀୟ ମୁରବି ପ୍ରଶ୍ନ କରୁଛନ୍ତି । ଶୌଚାଳୟର ଅଭାବ ପୁରୀ ସହର ପାଇଁ ଏକ ବଡ଼ ସମସ୍ୟା ପାଲଟିଛି । ସମାଧାନ ପରିବର୍ତ୍ତେ ବର୍ଷ ବର୍ଷ ଏହି ସମସ୍ୟା ଉତ୍କଟ ହେବାରେ ଲାଗିଛି । ପୁରୀକୁ ଯାତ୍ରୀଙ୍କ ସଂଖ୍ୟା ବଢ଼ିବା ସାଙ୍ଗକୁ ସମସ୍ୟା ଘନଉଛି ।
ଯାନିଯାତ୍ରା ସମୟରେ ବେଳାଭୂମି ଓ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱ ଓ ସଂଲଗ୍ନ ଗଳି ସବୁ ମୁକ୍ତାକାଶ ପାଇଖାନାରେ ପରିଣତ ହେଉଛି । ସୁବିଧା ନଥିବାରେ ପ୍ରତିଦିନ ହଜାର ହଜାର ଯାତ୍ରୀ ଶୌଚ ପାଇଁ କଲବଲ ହେଉଛନ୍ତି । ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ପର୍ଯ୍ୟାପ୍ତ ପରିସ୍ରାଗାର ନାହିଁ । ଏଣୁ ଲୋକେ କାନ୍ଥକୁ ଆଢ଼ୁଆଳ କରି କାର୍ଯ୍ୟ ସାରୁଛନ୍ତି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ବୁଲି ଆସିଲେ ପ୍ରତି କ୍ଷଣରେ ଲୋକେ ପରିକ୍ରମା ମାର୍ଗ ପାର୍ଶ୍ୱରେ ପରିସ୍ରା କରୁଥିବା ଦୃଷ୍ଟିକୁ ଆସେ । ସମୁଦ୍ରକୂଳ ଥାନା ସମ୍ମୁଖ ଓ ପାର୍ଶ୍ୱରେ ଲୋକେ ବେଧଡ଼କ କାର୍ଯ୍ୟ ସାରୁଛନ୍ତି । ବଡ଼ ଡ଼ାକ୍ତରଖାନା ପାର୍ଶ୍ୱ ସମେତ ସହରରେ ଶହ ଶହ ଏଭଳି ସ୍ଥାନ ରହିଛି ଯେଉଁଠି ଲୋକେ ଖୋଲାରେ କର୍ମ ସାରିବାରେ ଅଭ୍ୟସ୍ତ । ଏପରିକି ଅଧିକାଂଶ ତୀର୍ଥସ୍ଥଳିରେ ମଧ୍ୟ ଯାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ଶୌଚାଳୟ ନାହିଁ । ପବିତ୍ର ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାକୁ ପ୍ରତି ଦିନ ଶହ ଶହ ଯାତ୍ରୀ ଆସୁଛନ୍ତି । ହେଲେ ପ୍ରଶାସନ ସେଠାରେ ଏକ ଶୌଚାଳୟ କରିପାରି ନାହିଁ ।
ସିଂହଦ୍ୱାରରୁ ସ୍ୱର୍ଗଦ୍ୱାର ପ୍ରାୟ ଦେଢ଼ କିମି ଭଳି ଜନଗହଳିପୂର୍ଣ୍ଣ ବାଲିସାହି ଓ ଦିଗବାରେଣୀ ପର୍ଯ୍ୟନ୍ତ ଦୋଳମଣ୍ଡପ ସାହିରେ ସର୍ବସାଧାରଣ ନିଶୁଳ୍କ ଶୌଚାଳୟ ନାହିଁ । ଏନେଇ ସ୍ଥାନୀୟ ମୁରବି ରବି ନାରାୟଣ ଦାସ କୁହନ୍ତି ଶୌଚାଳୟ ସମସ୍ୟା ସମାଧାନ ପାଇଁ ଇ-ଶୌଚାଳୟର ବ୍ୟବସ୍ଥା ହୋଇପାରନ୍ତା । ଅନ୍ୟ ସହରରେ ଏଭଳି ଅନେକ ବ୍ୟବସ୍ଥା ହୋଇଛି । ବଡ଼ଦାଣ୍ଡ ଉଭୟ ପାର୍ଶ୍ୱ ନାଳ ସ୍ଲାବ୍ ଉପରେ ଅସ୍ଥାୟୀ ଶୌଚାଳୟ ହୋଇପାରନ୍ତା । ଶ୍ରୀମନ୍ଦିର ବାହାର ପରିକ୍ରମା ମାର୍ଗରେ ମଧ୍ୟ ରହିପାରନ୍ତା । ଜିଲ୍ଲା ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱ ନଦେବାରେ କୌଣସି ପଦକ୍ଷେପ ନେଉନାହିଁ । ଏନେଇ ପୁରୀ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା କୁହନ୍ତି ବେଳାଭୂମି ଓ ବଡ଼ଦାଣ୍ଡରେ ବିଭିନ୍ନ ସ୍ଥାନରେ ପେ ଆଣ୍ଡ୍ ୟୁଜ୍ ଶୌଚାଳୟ ରହିଛି । କେତେକ ସ୍ଥାନରେ ପ୍ରଶାସନ ଶୌଚାଳୟ ତିଆରି କାର୍ଯ୍ୟକ୍ଷମ କରିବା ପୂର୍ବରୁ କଳ ଓ ଦାମିକା ଜିନିଷ ଲୋକେ ଚୋରି କରିନେଉଛନ୍ତି । ଅସଲରେ ଅଧିକ ଶୌଚାଳୟ ପାଇଁ ସହରରେ ସ୍ଥାନର ମଧ୍ୟ ଅଭାବ ରହିଛି । ପେ ଆଣ୍ଡ୍ ୟୁଜ୍ ମଡ଼େଲରେ ଅଧିକ ଶୌଚାଳୟ କରାଯିବାକୁ ପଦକ୍ଷେପ ନିଆଯିବ କହିଛନ୍ତି ପୌରାଧିକାରୀ ବେହେରା ।