ନୂଆଦିଲ୍ଲୀ,୨୭।୧୧: ବିଶ୍ବରେ ୧୦୦ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶହେ ବର୍ଷରୁ ଅଧିକ ବଞ୍ଚୁଥିବା ଗ୍ଲୋବାଲ ଲିଷ୍ଟରେ ଜାପାନ ଏବେ ଶୀର୍ଷରେ ରହିଛି। ସେଠାରେ ଏ ଭଳି୧୨୩,୩୩୦ ଲୋକ ରୁହନ୍ତି, ଯାହାଙ୍କ ବୟସ ଶହେ ବର୍ଷରୁ ଅଧିକ ହୋଇସାରିଛି। ଏହି ଲିଷ୍ଟରେ ଜାପାନ ପରେ ଆମେରିକାର ସ୍ଥାନ ରହିଛି। ଯେଉଁଠି ଏଭଳି ବୟସ୍କଙ୍କ ସଂଖ୍ୟା ୭୩,୬୨୯ ରହିଛି। ତୃତୀୟ ସ୍ଥାନରେ ଚୀନ୍ ଓ ଚତୁର୍ଥ ସ୍ଥାନରେ ଭାରତ ରହିଛି।
ସଂଖ୍ୟା କହୁଛି ଯେ, ଚୀନ୍ରେ ୧୦୦ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୪୮,୫୬୬ ରହିଛି। ସେଭଳି ଭାରତରେ ଏହି ସଂଖ୍ୟା ୩୭,୯୮୮ ରହିଛି। ଟପ୍ ୫ଟି ଦେଶର ଲିଷ୍ଟରେ ପଞ୍ଚମ ସ୍ଥାନରେ ଫ୍ରାନ୍ସ ରହିଛି। ସେଠାରେ ୩୩,୨୨୦ ବୟସ୍କ ଶହେ ବର୍ଷରୁ ଉପରେ ରହିଛନ୍ତି। ଏହି ସଂଖ୍ୟା ବଦଳୁଥିବା ଲାଇଫଷ୍ଟାଇଲ୍, ସୁନ୍ଦର ହେଲଥ୍ କେୟାର ଓ ଅତ୍ୟାଧୁନିକ ଓ ସୁଲଭ ସ୍ବାସ୍ଥ୍ୟ ସୁବିଧା ଦେଖାଉଛି, ଯାହାକି ଲୋକଙ୍କୁ ଗତ ପୀଢି ତୁଳନାରେ ଅଧିକ ବୟସ ପର୍ଯ୍ୟନ୍ତ ବଞ୍ଚିବାରେ ସାହାଯ୍ୟ କରୁଛି।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ୧୦୦ ବର୍ଷରୁ ଅଧିକ ବୟସ୍କ ଦେଶର ସୂଚୀରେ ଏହି ୫ଟି ଦେଶ ବ୍ୟତୀତ ବହୁ ଦେଶ ରହିଛି, ଯେଉଁଠି ୧୦୦ ବର୍ଷରୁ ଉପରୁ ଅଧିକ ଲୋକଙ୍କ ସଂଖ୍ୟା ବଢୁଛି। ଏଭଳି ଦେଶରେ ଇଟାଲୀ, ରୁଷ, ଜର୍ମାନୀ, ୟୁନାଇଟେଡ୍ କିଙ୍ଗଡମ୍, ସ୍ପେନ୍, ଥାଇଲାଣ୍ଡ, କାନାଡା ଓ ଦକ୍ଷିଣ କୋରିଆ ରହିଛି। ଏହି ଦେଶରେ ଏଭଳି ବୟସ୍କ ସଂଖ୍ୟା ୧୧ ହଜାରରୁ ୨୩ ହଜାର ଭିତରେ ରହିଛି। ବୈଜ୍ଞାନିକଙ୍କ କହିବା ଅନୁସାରେ, ଦୁନିଆରେ ଏବେ ପୂର୍ବ ତୁଳନାରେ ଅଧିକ ଶହେ ବର୍ଷରୁ ଅଧିକ ବଞ୍ଚିଥିବା ଲୋକ ରହିଛନ୍ତି। ଗତ ୧୫ ବର୍ଷରେ ସାରା ଦୁନିଆରେ ଏମାନଙ୍କ ସଂଖ୍ୟା ପ୍ରାୟ ଦୁଇଗୁଣା ବଢିଛି। ୨୦୦୯ ରେ ଏଭଳି ଲୋକଙ୍କ ସଂଖ୍ୟା ୪୫୫,୦୦୦ ଥିଲା,ଯାହାକି ୨୦୨୪ ରେ ବଢିକି ୯୩୫,୦୦୦ ହୋଇଯାଇଛି।