ମୁମ୍ବାଇ,୨୮/୪ : ବୈଭବ ସୂର୍ଯ୍ୟବଂଶୀ ନିଜ ଦମଦାର୍ ବ୍ୟାଟିଂରେ ପୂରା ବିଶ୍ବକୁ ଚକିତ କରିଛନ୍ତି । ଆଇପିଏଲ୍ ୨୦୨୬ରେ ଏବେ ପର୍ଯ୍ୟନ୍ତ ୮ମ୍ୟାଚରେ ୩୫୭ରନ୍ କରି ସାରିଛନ୍ତି । ଯେଉଁଥିରେ ଏକ ଶତକ ବି ଆସିଛି । ୧୫ବର୍ଷୀୟ ବୈଭବଙ୍କୁ ଭାରତର ବରିଷ୍ଠ କ୍ରିକେଟର ଟିମରେ ସୁଯୋଗ ଦେବା ଲାଗି କଳ୍ପନା ଜଳ୍ପନା ଜାରି ରହିଛି । ଯଦି ବୈଭବ ଏହିଭଳି ଫର୍ମ ରଖିବେ ତେବେ ସେହି ସମୟ ବେଶୀ ଦୂର ନୁହେଁ ଯେତେବେଳେ ୧୫ବର୍ଷୀୟ ଏହି ଖେଳାଳୀ ଟିମ୍ ଇଣ୍ଡିଆ ଲାଗି ଡେବ୍ୟୁ କରୁଥିବା ଦେଖାଯିବେ । ଏହା ପୂର୍ବରୁ ଆସନ୍ତୁ ଜାଣିବା ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠାରୁ କମ୍ ବୟସରେ ଡେବ୍ୟୁ କରିଥିବା ଖେଳାଳୀ କେଉଁମାନେ ?
ପାକିସ୍ତାନର ହସନ ରଜାଙ୍କ ନାମରେ ସବୁଠାରୁ କମ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବାର ରେକର୍ଡ ରହିଛି। ଅଫ୍-ସ୍ପିନର ହସନ ୧୪ ବର୍ଷ ୨୨୭ ଦିନ ବୟସରେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେ ୧୯୯୬ ମସିହାରେ ଜିମ୍ବାୱେ ବିପକ୍ଷରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିଥିଲେ। ଦ୍ୱିତୀୟ ସ୍ଥାନରେ ବାଂଲାଦେଶର ମହମ୍ମଦ ସରିଫ ଅଛନ୍ତି, ସେ ୧୫ ବର୍ଷ ୧୧୬ ଦିନ ବୟସରେ ଜିମ୍ବାୱେ ବିପକ୍ଷରେ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ।
ତାଲିକାରେ ଥିବା ଆଉ ଜଣେ ପାକିସ୍ତାନୀ ଖେଳାଳି ମହମ୍ମଦ ମୁସ୍ତାକ ୧୯୫୯ ମସିହାରେ ୧୫ ବର୍ଷ ୧୨୪ ଦିନ ବୟସରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଭାରତୀୟ ଭାବରେ ସବୁଠାରୁ କମ୍ ବୟସରେ ଅନ୍ତର୍ଜାତୀୟ ଡେବ୍ୟୁ କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଅଛି। । ସେ ୧୬ ବର୍ଷ ୨୦୫ ଦିନ ବୟସରେ ପ୍ରଥମ ମ୍ୟାଚ୍ ଖେଳିଥିଲେ ।
୧୪ ବର୍ଷ ୨୨୭ ଦିନ - ହସନ ରାଜା - ପାକିସ୍ତାନ
୧୫ ବର୍ଷ ୧୧୬ ଦିନ - ମହମ୍ମଦ ସରିଫ - ବାଂଲାଦେଶ
୧୫ ବର୍ଷ ୧୨୪ ଦିନ - ମହମ୍ମଦ ମୁସ୍ତାକ - ପାକିସ୍ତାନ
୧୬ ବର୍ଷ ୧୨୭ ଦିନ - ଆକିବ ଜାଭେଦ୍ - ପାକିସ୍ଥାନ
୧୬ ବର୍ଷ ୨୦୫ ଦିନ - ସଚିନ ତେନ୍ଦୁଲକର - ଭାରତ
କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ୨୦୨୬ ଶେଷ ହେବା ପରେ ଜୁନ୍ ମାସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟର୍ଲାଣ୍ଡ ଗସ୍ତ କରିବାର ସୁଯୋଗ ମିଳିପାରେ। ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଦୁଇଟି ଟି-୨୦ ମ୍ୟାଚ୍ ଖେଳାଯିବ। ସେତେବେଳ ପର୍ଯ୍ରନ୍ତ ବୈଭବ ୧୫ ବର୍ଷ ୧୦୦ ଦିନର ମଧ୍ୟ ହୋଇନଥିବେ। ଯଦି ବୈଭବ ସୂର୍ଯ୍ୟବଂଶୀ ଆୟର୍ଲାଣ୍ଡ ଗସ୍ତରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରନ୍ତି, ତେବେ ସେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳି ଏବଂ ଭାରତ ପାଇଁ ଖେଳିଥିବା ସର୍ବକନିଷ୍ଠ ଖେଳାଳି ହୋଇପାରିବେ।