ମାଲକାନଗିରି /କାଲିମେଳା,୨୭/୨: ଆଖିରେ ଥିଲା ଆଖିଏ ସ୍ବପ୍ନ । ପିଲାଙ୍କୁ ମଣିଷ କରିବି ସମାଜରେ ନାଁ କରିବେ ମୋ ପୁଅମାନେ । ଯେତେ କଷ୍ଟ ପଡ଼ିଲେ ମଧ୍ୟ ସବୁକୁ ସହିଯିବି । ତିନି ପୁଅଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଛନ୍ତି । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅମ୍ବାଗୁଡା ଗାଁରୁ ଆସିଛି ଏଭଳି ହୃଦୟ ବିଦାରକ ଖବର । ମୃତକ ଶ୍ରମିକ ଜଣଙ୍କ ହେଲେ ଅମ୍ବାଗୁଡା ଗାଁର ପଦିଆ ମାଢି ( ୪୮)।

ହାଇଦ୍ରାବାଦର ଏକ ଘରୋଇ କମ୍ପାନୀ ଏକ ନଳକୂପ ଖୋଳା ଗାଡିରେ କାମ କରୁଥିଲେ । ଗାଁର ଦୁଇ ଜଣଙ୍କ ସହ ସେ ୪ ବର୍ଷ ହେବ ସେଠାରେ କାମ କରି ଆସୁଥିଲେ । ପ୍ରତ୍ୟେକ ବର୍ଷ ନଭେମ୍ବର-ଡିସେମ୍ବର ମାସରେ ଏମାନେ କାମ କରିବା ପାଇଁ ଯାଉଥିଲେ । ବାକି ସମୟରେ ଗାଁରେ ଚାଷ କାମ କରି ପରିବାର ଚଳାନ୍ତି । ତିନି ପୁଅଙ୍କୁ ନେଇ ତାଙ୍କ ପରିବାର । ତାଙ୍କ ସ୍ତ୍ରୀଙ୍କ ଦେହାନ୍ତ ହୋଇଥିବାବେଳେ ଏକା ପିଳାଙ୍କୁ ମଣିଷ କରିବା ପାଇଁ କେତେ ସ୍ବପ୍ନ ଦେଖିଥିଲେ । ପିଲାଙ୍କୁ ଉଚ୍ଚ ଶିକ୍ଷିତ କରିବା ଆଶାରେ ଦାଦନ ଖଟିବାକୁ ଯାଇଥିଲେ । କିନ୍ତୁ ଶୁକ୍ରବାର ଭୋର ସମୟରେ ଗୋଟିଏ ଗାଡ଼ିରେ ତାଙ୍କ ମୃତଦେହ ଆସିଥିଲା । ଗାଁରେ ମୃତଦେହ ରଖି କିଚି ଟଙ୍କା ଦେଇ ସତ୍କାର କର କହି ସେମାନେ ଚାଲିଯାଇଥିଲେ ।

ବାପାଙ୍କ ମୃତଦେହକୁ ଦେଖିବା ପରେ ପିଲାମାନେ କାନ୍ଦି ପକାଇଥିଲେ । ତେବେ କମ୍ପାନୀ ମାଲିକ ଏମିତି କାହିଁକି କଲେ ? ମୃତଦେହକୁ ଏପରି ଛାଡ଼ି ଚାଲିଯିବାକୁ ନେଇ ଗାଁଲୋକେ ସନ୍ଦେହ କରିଛନ୍ତି । ଏନେଇ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା । ଶବ ବ୍ୟବଚ୍ଛେଦ ପରେ ଏବେ ସତ୍କାର କରାଯାଇଛି । କିନ୍ତୁ ତାଙ୍କର କିଭଳି ମୃତ୍ୟୁ ହେଲା ? ନାଁ ତାଙ୍କୁ ହତ୍ୟା କରାଯାଇଛି ? ଏମିତି ପ୍ରଶ୍ନ ଉଠିଥିବାବେଳେ ତିନି ପୁଅ ବାପାଙ୍କୁ ହରାଇ କେମିତି ଚଳିବେ ? କିଛି ସରକାରୀ ସହାୟତା ଯୋଗାଇ ଦିଆଯାଉ ବୋଲି ଗାଁଲୋକେ ଦାବି କରିଛନ୍ତି ।

ଏହାସହ ପଢ଼ନ୍ତୁ : “ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ସହ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଢ଼ିବାରେ ସମସ୍ତେ ଅବଦାନ ରଖିନ୍ତୁ : ମୁଖ୍ୟ ଶାସନ ସଚିବ