ଭୁବନେଶ୍ୱର,୧୯/୦୩ : ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ୧୯ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ବୁଧୁବାରଠାରୁ ଆରମ୍ଭ ହେବ । ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ଏହି ମେଳା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଚାଲିବ। ଅପରାହ୍ଣ ୩ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ଷ୍ଟଲ ଖୋଲା ରହିବ। ପ୍ରତ୍ୟେକ ଦିନ ସନ୍ଧ୍ୟା ୬ ରୁ ରାତି ୯ଟା ୩୦ ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ଏନେଇ ରାଜ୍ୟ ଅତିଥି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭ ଉଦ୍ଘାଟନ କରିବେ। ଭାରତୀୟ ପାରମ୍ପରିକ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ ସହ ବୁଣାକାର ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବିକ୍ରି ନିମନ୍ତେ ଏହା ଏକ ବଜାର ଯୋଗାଇଦେବ।
ସୂଚନା ଅନୁସାରେ, ଚଳିତବର୍ଷ ଏହି ମେଳାରେ ୬୫୦ରୁ ଅଧିକ ଷ୍ଟଲର ଆୟୋଜନ ହୋଇଛି । ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆୟୁକ୍ତଙ୍କ ପକ୍ଷରୁ ୧୫୦ଟି ଷ୍ଟଲ, ହସ୍ତତନ୍ତ ବିକାଶ ଆୟୁକ୍ତଙ୍କ ପକ୍ଷରୁ ୫୦ ଟି ଷ୍ଟଲ, ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୨୫୦ ଷ୍ଟଲ, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୧୧୦ ଟି ଷ୍ଟଲ ବ୍ୟବସ୍ଥା ହୋଇଛି । ଓଡ଼ିଶାର ପାରମ୍ପରିକ ଖାଦ୍ୟ ପାଇଁ ୩୫ଟି ଷ୍ଟଲ ରହିବ । ୨୫୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ପ୍ରସ୍ତୁତ ହୋଇଛି ଥିମ ପାଭିଲିଅନ୍ "ଶିଳ୍ପ ସୃଜନୀ’, ଯାହା ଆକର୍ଷଣ କେନ୍ଦ୍ର ପାଲଟିବ । ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ "ଫ୍ୟାଶନ ଶୋ' କରାଯିବ । ଚଳିତ ବର୍ଷ ମେଳାରେ ୩୦ ଲକ୍ଷ ଜନ ସମାବେଶ ସହିତ ୨୮ କୋଟି ଟଙ୍କାର ସାମଗ୍ରୀ ବିକ୍ରି ହେବ ବୋଲି ଆଶା କରାଯାଉଛି ।

ତୋଷାଳି ଜାତୀୟ ମେଳା ପରିସରରେ ସମସ୍ତ ବ୍ୟବସ୍ଥା ଯଥା ଦମକଳ ବାହିନୀ, ନିରାପତ୍ତା ସହାୟତା, ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ, ପ୍ରାଥମିକ ଚିକିତ୍ସା ସେବା, ଆମ୍ବୁଲାନ୍ସ ସେବା, ପାନୀୟ ଜଳ, ଶୌଚାଳୟ, ଏଟିଏମ୍ କାଉଣ୍ଟରର ସୁବିଧା କରାଯାଇଛି । ମହିଳା କାରିଗର ଓ ବୁଣାକାରମାନଙ୍କ ନିମନ୍ତେ ମାଗଣା ରହଣି ତଥା ପରିବହନ ସୁବିଧା ଆଦିର ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ମେଳାରେ ବୟସ୍କ ତଥା ଦିବ୍ୟାଙ୍ଗଙ୍କ ପାଇଁ ହୁଇଲ ଚେୟାର ବ୍ୟବସ୍ଥା କରାଯିବା ସହ ସ୍ୱତନ୍ତ୍ର ହେଲ୍ପ ଡେସ୍କର ବ୍ୟବସ୍ଥା କରାଯାଇଛି । ମା' ଓ ଶିଶୁଙ୍କ ପାଇଁ ଏକ ସ୍ୱତନ୍ତ୍ର ଶିଶୁ ଯତ୍ନ ଗୃହର ପରିକଳ୍ପନା କରାଯାଇଛି । ଏହି ମେଳା ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରଣାଳୟର ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ଓ ବିକାଶ ଆୟୁକ୍ତ (ହସ୍ତତନ୍ତ), ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଏବଂ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ)ର ମିଳିତ ସହଭାଗିତାରେ ଏହି ମେଳା ଆୟୋଜନ ହେଉଛି ।
ଏହି ଖବରଟିକୁ ପଢନ୍ତୁ-ରାଜ୍ୟରେ କାଳବୈଶାଖୀ ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ