ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ପର୍ଯ୍ୟଟନର ବିକାଶ ନାଁରେ ବିନାଶ: ଅସନ୍ତୁଳିତ ଦେଓମାଳିର ପରିସଂସ୍ଥାନ, ନଷ୍ଟ ହୋଇଯିବ ୧୦ ପ୍ରଜାତିର ସରୀସୃପ

Published By : Prameya | January 19, 2025 2:56 PM

ଭୁବନେଶ୍ୱର,୧୯/୦୧: ଓଡ଼ିଶାର ଉଚ୍ଚତମ ଶୃଙ୍ଗ କୋରାପୁଟ  ଜିଲ୍ଲାର ଦେଓମାଳି ଆଖପାଖରୁ  ନିଶ୍ଚିହ୍ନ ହୋଇଯିବ ପାଖାପାଖି ୮ରୁ ୧୦ ପ୍ରଜାତିର ସରୀସୃପ । ଦେଓମାଳିଙ୍କୁ ରାସ୍ତା  ସମ୍ପ୍ରସାରଣ ନାମରେ ଏବେ ଯେପରି ପିଚୁ  ଢଳା ହେଉଛି, ଏଥିରେ ଯଦି ନିୟନ୍ତ୍ରଣ  ନ ଲାଗେ ତାହେଲେ ଏମାନେ ଦିନେ  ନଷ୍ଟ ହୋଇଯିବେ । ଏଭଳି ଆକଳନ  କରୁଛନ୍ତି ଜୈବବିବିଧତା ଉପରେ କାମ  କରୁଥିବା ଗବେଷକ । ଦେଓମାଳିକୁ  ବଞ୍ଚାଇବାକୁ ହେଲେ ସମନ୍ୱିତ ଭାବେ  ବିଭିନ୍ନ ବିଭାଗ ଆଲୋଚନା କରି (ଜଙ୍ଗଲ  ବିଭାଗ, ପର୍ଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପଞ୍ଚାୟତ, ସ୍ଥାନୀୟ  ସ୍ୱୟଂ ସହାୟକ ଗୋଷ୍ଠୀ ଓ ସ୍ୱେଚ୍ଛାସେବୀ  ସଙ୍ଗଠନ, ଗବେଷକ ସମୁଦାୟ)  ଏକ ପରିଚାଳନା ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି ସେମାନେ ମତ ରଖନ୍ତି ।  

ଦେଓମାଳିର ଜୈବବିବିଧତା ଅନ୍ୟ  ପର୍ବତ ତୁଳନାରେ ଢେର ଅଲଗା ।  ଦେଓମାଳି ଜୈବବିବିଧତାକୁ ଯଦି ଆମେ  ସାଧାରଣ ଭାବେ ବୁଝିବା, ଏଠାରେ  ପାଖାପାଖି ୬୫୦ ପ୍ରଜାତିର ଗଛ  ଦେଖାଯାଉଥିବା ବେଳେ ୩୦ ପ୍ରଜାତିର  ଘାସ ବୁଦା ଦେଖାଯାଆନ୍ତି । ସେଥିମଧ୍ୟରୁ  ବିଲୁପ୍ତ ପ୍ରାୟ ତାଲିକାରେ ଅଛନ୍ତି ଚିତ୍ରିକା  (ଷ୍ଟ୍ରୋବିଲାନ୍ଥେସ୍‌ ଜୟପୁରେନ୍ସିସ୍‌),  ବଣକାଳୀ (ହାଇପରିକମ୍‌ ଜାଇଟି) ।  ବାଇଗଣି ରଙ୍ଗର ଫୁଲ ଫୁଟୁଥିବା ଚିତ୍ରିକା  ଗଛରେ ଏକାସାଙ୍ଗରେ ଫୁଲ ଫୁଟେ ପୁଣି  ତାହା ପ୍ରତି ୭ ବର୍ଷରେ ଥରେ । ପୂର୍ବଘାଟ  ପର୍ବତମାଳରେ ଏହି ଗଛ ବିଲୁପ୍ତପ୍ରାୟ  ଅବସ୍ଥାରେ ଥିବା ବେଳେ ଏହା ଦେଓମାଳି  ଓ ଆଖପାଖ ଅଞ୍ଚଳରେ କେବଳ  ଦେଖାଯାଏ । ଏହାଛଡ଼ା ଦେଓମାଳି  ଅଞ୍ଚଳରେ କେବଳ ଦୁଇ ପ୍ରଜାତିର  ମାଂଶାସୀ ଉଦ୍ଭିଦ ଦେଖାଯାଆନ୍ତି ।  ସେଗୁଡ଼ିକ ହେଲା ଡ୍ରୋସେରା  ବର୍ମାନୀ ଓ ଡ୍ରୋସେରା ଇଣ୍ଡିକା ।  

ଦେଓମାଳିରେ ପାଖାପାଖି ୭  ପ୍ରକାର ବେଙ୍ଗ, ୧୬ ପ୍ରକାର ମାଛ, ୨୫  ପ୍ରକାର କଙ୍କି, ୭୪ ପ୍ରକାର ପ୍ରଜାପତି  ଦେଖାଯାଆନ୍ତି । ସରୀସୃପମାନଙ୍କ  ଭିତରେ ବିଲୁପ୍ତପ୍ରାୟ ତାଲିକାରେ ଅଛି  ଜୟପୁର ହିଲ୍‌ ଗେକୋ । ଏହା ଝିଟିପିଟି  ପ୍ରଜାତିର ଏକ ସରୀସୃପ । ଯାହାକି ୧୮୭୭ ମସିହାରେ ପ୍ରଥମେ ପଟାଙ୍ଗୀ  ଅଞ୍ଚଳରୁ ଉଦ୍ଭାବନ ହୋଇଥିଲା ।  ୧୩୫ ବର୍ଷ ପରେ ୨୦୧୦ ମସିହାରେ  ଏହାକୁ ବେଙ୍ଗାଲୁରୁସ୍ଥିତ ଭାରତୀୟ  ବିଜ୍ଞାନ ପ୍ରତିଷ୍ଠାନର ବୈଜ୍ଞାନିକମାନେ  ଦେଓମାଳି ପର୍ବତମାଳାରୁ ପୁନଃ  ଆବିଷ୍କାର କରିଥିଲେ । ଯାହାକି ଏବେ  ରାସ୍ତା ସମ୍ପ୍ରସାରଣ ଓ ବିକାଶ ନାମରେ  ଲୀନ ହେବାକୁ ବସିଛନ୍ତି । ଦେଓମାଳିର  ପରିସଂସ୍ଥାନ ଓ ପ୍ରାକୃତିକ ଆବାସ  ସ୍ଥଳୀ ବି ନଷ୍ଟ ହେବାକୁ ବସିଛି।  କେବଳ ସେତିକି ନୁହେଁ ଏବେ  ଦେଓମାଳି ପର୍ବତମାଳା ଅଞ୍ଚଳରେ  ପାଖାପାଖି ୫ ପ୍ରକାର ପ୍ରଜାପତି,  ୭ ପ୍ରକାର କଙ୍କି, ୪ ପ୍ରକାର ମାଛ,  ୩ ପ୍ରକାର ବେଙ୍ଗମାନଙ୍କର ସଂଖ୍ୟା  ଆଉ ଆଗଭଳି ଦେଖିବାକୁ ମିଳୁନି । 

୨୦୧୦ରୁ ଇତିମଧ୍ୟରେ ପଟାଙ୍ଗୀରୁ  ଦେଓମାଳି ଯିବାକୁ ପଡୁଥିବା ରାସ୍ତା  ୨ଥାକିଆ ହୋଇଛି । ହେଲେ ଏହି  ରାସ୍ତା ସମ୍ପ୍ରସାରଣ ଯୋଗୁଁ ଛୋଟବଡ଼  ୪ରୁ ୫ଟି ଜଳପ୍ରପାତ ପ୍ରଭାବିତ  ହୋଇଥିବା ବେଳେ ଅନେକ ଜଳାଶୟ  ପୋତି ହୋଇଯାଇଛି । ଏହାର  ସବୁଠାରୁ ବଡ଼ ଉଦାହରଣ ହେଉଛି  ଦେଓମାଳି ପହଞ୍ଚିବାକୁ ପଡୁଥିବା  ଶେଷ ବୁଲାଣିର ବାମପଟେ ଥିବା  ଜଳାଶୟ । ଯାହାକି ବିକାଶ ଆଳରେ  ନିଶ୍ଚିହ୍ନ ହୋଇଯାଇଛି । ସେହିଭଳି  ଜଳାଶୟ ନିକଟରେ ଥିବା ପରିସଂସ୍ଥାନ  ବି ପ୍ରଭାବିତ ହୋଇଛି । ଫଳରେ ସେହି  ଅଞ୍ଚଳରେ ସ୍ୱତନ୍ତ୍ର ଭାବେ ଦେଖାଯାଉଥିବା  ଗୋଡ଼ହାତବିହୀନ ବେଙ୍ଗ ପ୍ରଜାତିର  ପ୍ରାଣୀ (ଇଷ୍ଟ ଇଣ୍ଡିଆନ୍‌ ଗିଗ୍‌) ବି ୨୦୧୩  ପରଠାରୁ ଆଉ ଦେଖିବାକୁ ମିଳୁନାହିଁ । କୋରାପୁଟର ଦେଓମାଳି  ଓ ଗୁପ୍ତେଶ୍ୱରକୁ ଜୈବବିବିଧତା  ଐତିହ୍ୟସ୍ଥଳୀ କରିବା ପାଇଁ ରାଜ୍ୟ  ସରକାର ଅଣ୍ଟା ଭିଡ଼ିଛନ୍ତି । ହେଲେ  ଏସବୁ ସ୍ଥାନକୁ ଆସୁଥିବା ପର୍ଯ୍ୟଟକଙ୍କ  ଯିବାଆସିବା ଓ ସେମାନଙ୍କ ଦ୍ୱାରା  ପ୍ରଦୂଷିତ ହେଉଥିବା ପରିବେଶକୁ  ପରିଚାଳନା କରିବା ପାଇଁ କୌଣସି ନୀତି ନିର୍ଦ୍ଧାରଣ କରିନାହାନ୍ତି । 

କୋରାପୁଟ ଜିଲ୍ଲା ପର୍ଯ୍ୟଟନ  ବିଭାଗର ସୂଚନା ଅନୁସାରେ, ୨୦୨୩  ମସିହାରେ ଦେଓମାଳି ପର୍ବତ ଶିଖରକୁ  ସମୁଦାୟ ୩ ଲକ୍ଷ ୯୫ ହଜାର ପର୍ଯ୍ୟଟକ  ଆସିଥିବା ବେଳେ ୨୦୨୪ ଶେଷ  ସୁଦ୍ଧା ପାଖାପାଖି ୪ ଲକ୍ଷ ୮୦ ହଜାର  ପର୍ଯ୍ୟଟକ ଆସିଛନ୍ତି । ସମସ୍ତ ପର୍ଯ୍ୟଟକ  ୪ ଚକିଆରେ ଆସିଥିବା ବେଳେ ଗୋଟିଏ  ଗାଡ଼ିରେ ହାରାହାରି ୫ ଜଣ ଆସିଛନ୍ତି ।  ସେମାନଙ୍କ ଭିତରୁ ୪୦% ରାତିରେ କ୍ୟାମ୍ପ  କରି ରହିଛନ୍ତି । ବନ ବିଭାଗର ତଥ୍ୟ  ଅନୁସାରେ, ବର୍ତ୍ତମାନ ସୁଦ୍ଧା ବନ ବିଭାଗ  ପକ୍ଷରୁ କରାଯାଇଥିବା ଇକୋ କଟେଜ୍‌ରେ  ୨୬୫୦ ଲୋକ ରାତିରେ ରହିଛନ୍ତି । 

ହାରାହାରି ଦେଓମାଳିକୁ ପ୍ରତିଦିନ  ୧୪୫୦ ଲୋକ ଆସୁଥିବା ବେଳେ  ସେମାନେ ୩୬୫.୪ କେଜି ଅଙ୍ଗାରକାମ୍ଳ  ତ୍ୟାଗ କରିଥାନ୍ତି । ଗୋଟିଏ ବଡ଼  ଗଛ ବର୍ଷକୁ ୨୫ କିଲୋଗ୍ରାମର  ଅଙ୍ଗାରକାମ୍ଳ ଗ୍ରହଣ କରିଥାଏ । ଏଣୁ  ପ୍ରତିବର୍ଷ ଦେଓମାଳିକୁ ଆସୁଥିବା  ପର୍ଯ୍ୟଟକ ଓ ସେମାନଙ୍କୁ ବୋହି  ଆଣୁଥିବା ଗାଡ଼ି ତ୍ୟାଗ କରୁଥିବା  ଅଙ୍ଗାରକାମ୍ଳ କିପରି ପରିବେଶକୁ  ପ୍ରଭାବିତ କରୁଛି ତାହା ଚିନ୍ତାର ବିଷୟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.