ଭୁବନେଶ୍ୱର,୧୧/୦୫: ସ୍କୁଲ, କଲେଜ ଛୁଟି । ଜମିଥାଆନ୍ତା ପରିବାର ସହ ବୁଲାବୁଲି । କିଏ ପଶ୍ଚିମବଙ୍ଗରୁ, କିଏ ମହାରାଷ୍ଟ୍ର ଓ ଆଉ କିଏ ଗୁଜରାଟରୁ ଆସି ଥାଆନ୍ତେ ଭୁବନେଶ୍ୱର, ପୁରୀ, ଗୋପାଳପୁର । ବିମାନ ସହ ହୋଟେଲ ଟିକଟ ବୁକିଂ ସରିଥିଲା । ଏତିକିବେଳେ ମାଡ଼ି ଆସିଲା ଯୁଦ୍ଧ ଭୟ । ଭାରତ-ପାକିସ୍ତାନ ସଂଘର୍ଷ ଭିତରେ ଚାଲିଲା ମିସାଇଲ ବର୍ଷା । ଦେଶର ଅନେକ ବିମାନବନ୍ଦରକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଗଲା । କିଛି ବିମାନ ଟିକଟ ଆପେ ବାତିଲ ହେଲା । ବାକି ନିଜ ଆଡ଼ୁ ବିମାନ, ଟ୍ରେନ ଓ ହୋଟେଲ ଟିକଟ ବାତିଲ କରିଦେଲେ ଭୟରେ। ଆଗାମୀ ୭ ଦିନ ପାଇଁ ଓଡ଼ିଶାକୁ ରାଜ୍ୟ ବାହାରୁ କରାଯାଇଥିବା ସମସ୍ତ ପର୍ଯ୍ୟଟକଙ୍କ ଟିକଟ ବୁକିଂ ବାତିଲ୍ ହୋଇଛି । ଯୁଦ୍ଧ ଆତଙ୍କ ଭିତରେ ମାଡ଼ ଖାଇଛି ପର୍ଯ୍ୟଟନ । କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ପର୍ଯ୍ୟଟନ । ସ୍ଥିତି ଏମିତି, ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ର ବିରତି ଘୋଷଣା ପରେ ବି ପର୍ଯ୍ୟଟନ ପୁଣି ଥରେ ଟ୍ରାକକୁ ଫେରିବା ନେଇ ଅନିଶ୍ଚିତତା ରହିଛି ।
କାଶ୍ମୀରରେ ଦୀର୍ଘବର୍ଷ ପରେ ସୁଧୁରି ଆସୁଥିଲା ପର୍ଯ୍ୟଟନ ଶିଳ୍ପ । ମାତ୍ର ପହଲଗାମ୍ରେ ଯେଉଁଭଳି ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ନିର୍ମମ ଭାବେ ହତ୍ୟା କଲେ, ପୂରା କାଶ୍ମୀରରେ ଧ୍ୱସ୍ତବିଧ୍ୱସ୍ତ ହୋଇଗଲା ପର୍ଯ୍ୟଟନ । ଏହାର ପ୍ରଭାବ ସାରା ଦେଶରେ ପଡ଼ିବା ଆରମ୍ଭ କଲା । ବିଦେଶୀ ପର୍ଯ୍ୟଟକଙ୍କ ଭାରତ ଆଗମନ କମିଲା । ଏପଟେ ଯୁଦ୍ଧ ଭୟ ବଢ଼ିବା ପରେ ଦେଶୀୟ ପର୍ଯ୍ୟଟକଙ୍କ ସଂଖ୍ୟା ବି ହ୍ରାସ ପାଇଛି ।
ଓଡ଼ିଶାର ପୁରୀ, କୋଣାର୍କ, ଗୋପାଳପୁର, ଚିଲିକା, ଭୁବନେଶ୍ୱର, ଚାନ୍ଦିପୁର, କୋରାପୁଟ ଆଦି ପର୍ଯ୍ୟଟନସ୍ଥଳ ବର୍ଷତମାମ ପର୍ଯ୍ୟଟକଙ୍କ ପସନ୍ଦର ସ୍ଥାନ ହୋଇଥାଏ । ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ମହାରାଷ୍ଟ୍ର ଓ ଗୁଜରାଟରୁ ବହୁ ପର୍ଯ୍ୟଟକ ଓଡ଼ିଶାକୁ ଆସନ୍ତି । ଏବେ ପିଲାଙ୍କ ଖରା ଛୁଟି ଚାଲିଥିବାରୁ ବହୁ ଲୋକେ ପରିବାର ସହ ଓଡ଼ିଶା ବୁଲିବା ପାଇଁ ଯୋଜନା କରିଥିଲେ । ମାତ୍ର ଦେଶରେ ଉତ୍ତେଜନାମୂଳକ ସ୍ଥିତି ଯୋଗୁ ଅଚାନକ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି । ଓଡ଼ିଶା ହୋଟେଲ ଓ ରେସ୍ତୋରାଁ ଆସୋସିଏସନ ଚେୟାରମ୍ୟାନ ଜେ.କେ.ମହାନ୍ତିଙ୍କ କହିବାନୁସାରେ ପର୍ଯ୍ୟଟନକୁ ବହୁତ ବଡ଼ କ୍ଷତି ପହଞ୍ଚିଛି । ଦେଶର ୨୪ଟି ବିମାନବନ୍ଦର ବନ୍ଦ ଘୋଷଣା ହେବା ପରେ କେହି ନିଜ ଘର ଛାଡ଼ି ବାହାରକୁ ବୁଲିବାକୁ ଆସୁନାହାନ୍ତି । ଆସନ୍ତା ୭ ଦିନ ପାଇଁ ଓଡ଼ିଶାକୁ ଥିବା ସମସ୍ତ ପର୍ଯ୍ୟଟକଙ୍କ ବୁକିଂ ବାତିଲ ହୋଇଛି ।
କେବଳ ବୁଲାବୁଲି ନୁହେଁ, ବହୁ ସଂସ୍ଥା ଭୁବନେଶ୍ୱର, ପୁରୀ, ଗୋପାଳପୁର, ପାରାଦୀପରେ ବିଭିନ୍ନ ସମ୍ମିଳନୀ ପାଇଁ ଆସନ୍ତି, ତାହା ମଧ୍ୟ ବାତିଲ ହୋଇଛି । ମଧ୍ୟବିତ୍ତ ପରିବାର ଲୋକେ ବହୁ କଷ୍ଟରେ ବର୍ଷତମାମ ଅର୍ଥ ସଞ୍ଚୟ କରି ବାହାରକୁ ବୁଲି ଯିବାକୁ ଯୋଜନା କରିଥାନ୍ତି । ଥରେ ଟିକଟ ବାତିଲ୍ ପରେ ପୁଣି ତତ୍କାଳ ଆସିବା ସମ୍ଭାବନା କମ୍ । ପର୍ଯ୍ୟଟନକୁ ଯେଉଁ କ୍ଷତି ପହଞ୍ଚିଛି, ତା’ର ପ୍ରଭାବ କେତେ ଦିନ ପର୍ଯ୍ୟନ୍ତ ରହିବ, ଏବେଠାରୁ ଆକଳନ ସହଜ ନୁହେଁ ।
କ୍ରାଉନ ହୋଟେଲର ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ କହିଛନ୍ତି, ସାରା ଦେଶରେ ପର୍ଯ୍ୟଟନ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହାର ପ୍ରଭାବ କେବଳ ହୋଟେଲ ବ୍ୟବସାୟ ନୁହେଁ, ଟୁର ଅପରେଟର୍, ଗାଇଡ୍, ହସ୍ତଶିଳ୍ପ ଓ ବୟନ କ୍ଷେତ୍ର ସମେତ ସ୍ଥାନୀୟ ବ୍ୟବସାୟୀଙ୍କ ଉପରେ ପଡ଼ିବ । ଓଡ଼ିଶାକୁ ଖରାଦିନେ ରାଜ୍ୟ ବାହାରୁ ଯେତିକି ପର୍ଯ୍ୟଟକ ଆସନ୍ତି, ସେଥିରୁ ୧୨ରୁ ୧୫% ପର୍ଯ୍ୟଟକଙ୍କ ଆଗମନ କମିଛି । ଦେଶରେ ପର୍ଯ୍ୟଟନ ଶିଳ୍ପକୁ ପୁଣି ସ୍ୱାଭାବିକ ହେବା ନେଇ ସରକାରଙ୍କୁ ଠୋସ୍ ପଦକ୍ଷେପ ନେବାକୁ ପଡ଼ିବ ।