ମନମୁଣ୍ଡା,୨୫/୭ : କୁରୁମୁଣ୍ଡା ନାଳ ବନ୍ୟା ଜଳରେ ଭାସି ଯାଇଥିବା ଟ୍ରାକ୍ଟର ପୁଲିସ ଉପସ୍ଥିତିରେ ଆଜି ଉଦ୍ଧାର କରାଯାଇଛି । ପୁଲିସ ଉକ୍ତ ଟ୍ରାକ୍ଟର ଟିକୁ ଜବତ କରି ଶଗଡ଼ା ଫାଣ୍ଡିରେ ରଖିଛି । ଆଜି କାଲି ଦ୍ରୁତ, ବେପରୁଆ ଗାଡ଼ି ଚାଳନା ଇତ୍ୟାଦି ନିୟମ ଭାଙ୍ଗି ଗାଡ଼ି ଚାଳନା କରିବାବେଳେ ପୁଲିସ ସେମାନଙ୍କ ବିରୁଦ୍ଧରେ ଚାଲାଣ କାଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ଗୁରୁବାର ପାହାଡ଼ ଓ ଜଙ୍ଗଲର ପ୍ରଖର ଜଳ ବରଗୋଛା ଲକ୍ଷ୍ମିସାଗର ଏମଆଇପି ବନ୍ଧରେ ପଡ଼ି ସେଠାରୁ ଉଦବୃତ୍ତ ବନ୍ୟା ଜଳ ଉକ୍ତ ନାଳରେ ପ୍ରବାହିତ ହେଉଥିଲା।
ଟ୍ରାକ୍ଟର ଚାଳକ ଆଉ ଜଣେ ସହଯୋଗୀଙ୍କୁ ବସାଇ ଦୁଃସାହସିକ ଭାବେ ବାହାଦୂରୀ ଦେଖାଇ ନାଳକୁ ପାର କରୁଥିବାବେଳେ ସମ୍ପୂର୍ଣ୍ଣ ବୁଡ଼ି ଭାସି ଯାଇଥିଲା । ତେବେ ଟ୍ରାକ୍ଟର ଚାଳକ ଓ ସହଯୋଗୀ ସୌଭାଗ୍ୟ ବଶତଃ ବଞ୍ଚି ଯାଇଥିଲେ। ଏପରି ବେପରୁଆ ଓ ନିୟମ ଭାଙ୍ଗି ନାଳ ପାର କରିବା କ୍ଷେତ୍ରରେ ପୁଲିସ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା।