ବୈଦିକ ଋଷିମାନଙ୍କ ମତରେ, ଗଙ୍ଗା- ଯମୁନା-ସରସ୍ୱତୀର ସଂଗମ ଆଧିଭୌତିକ  ସଂଗମ । ପ୍ରାଣବାୟୁର ଅହରହ ପ୍ରବାହରେ  ଶରୀରରେ ଇଡା, ପିଙ୍ଗଳା ଓ ସୁଷୁମ୍ନା ନାଡ଼ିର  ସଂଘାତକୁ ଆଧ୍ୟାତ୍ମିକ ସଂଗମ କୁହାଯାଏ ।  ନର-ନାର (ଜଳ ବା ଗଙ୍ଗାଜଳ) ଏବଂ  ନାରାୟଣ (ଅନନ୍ତ ଜଳସାଗର ନିବାସୀ)ଙ୍କର  ସଂଗମକୁ ଅଧିଦୈବିକ ସଂଗମ କୁହାଯାଏ ।  ଏଥିପାଇଁ ପ୍ରତ୍ୟେକ ନର, ଗଙ୍ଗାଜଳ ପାନ କରି  ମୃତ୍ୟୁ ଏବଂ ଗଙ୍ଗାରେ ତାର ଅସ୍ଥି ବିସର୍ଜନକୁ  ମୋକ୍ଷପ୍ରାପ୍ତିର ଅନ୍ତିମ କାମନା କରିଥାଏ ।

ଭାରତ ତଥା ବିଶ୍ୱର ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ଉତ୍ସବ ଓ ସାଂସ୍କୃତିକ ମହୋତ୍ସବ ରୂପେ ‘ମହାକୁମ୍ଭ  ମେଳା’ (୧୩.୧.୨୦୨୫ରୁ ୨୬.୨.୨୦୨୫) ଉଦ୍‌ଯାପିତ  ହୋଇଯାଇଛି । ଏହା ହଜାର ବର୍ଷର ପରାଧୀନତା ପରେ  ସନାତନୀ (ହିନ୍ଦୁ)ମାନଙ୍କ ମଧ୍ୟରେ ଅଭୂତପୂର୍ବ ଜାଗରଣ  ସୃଷ୍ଟି କରିବା ସହ ଯୁଦ୍ଧଗ୍ରସ୍ତ ପୃଥିବୀକୁ ଶାନ୍ତି ଓ ସଂହତିର  ସନ୍ଦେଶ ଦେଇଛି । ଏହି ମେଳା ଅବସରରେ ପ୍ରୟାଗରାଜ  (ତ୍ରିବେଣୀ ସଙ୍ଗମ)ରେ ସୃଷ୍ଟି ହୋଇଥିବା  ଆଧ୍ୟାତ୍ମିକ ସୁନାମି ବିଶ୍ୱର ସବୁ ଶ୍ରେଣୀ,  ବର୍ଗ ଓ ବର୍ଣ୍ଣର ଲୋକଙ୍କ ହୃଦୟରେ  ଉତ୍ସାହ ଓ ଅନୁସନ୍ଧିତ୍ସାର ଦୋଳନ ସୃଷ୍ଟି  କରିଥିଲା । ଧର୍ମପ୍ରାଣ ଭାରତୀୟଙ୍କ  ମନରେ ତ୍ରିବେଣୀ ସଙ୍ଗମରେ ବୁଡ଼  ପକାଇ ପାପନାଶ ଓ ପୁଣ୍ୟପ୍ରାପ୍ତି ପାଇଁ ଚିର  ଇପ୍‌ସିତ କାମନାର ଅନ୍ତିମ ସୁଯୋଗର  କୁହୁକ ମନ୍ତ୍ର ଝଙ୍କୃତ ହୋଇଥିଲା । ମାତ୍ର  ବୟାଳିଶି ହେକ୍ଟର ଜମି ପରିମିତ ମହାକୁମ୍ଭ ମେଳାରେ  ଭାରତ ତଥା ବିଶ୍ୱର କୋଣ ଅନୁକୋଣରୁ ୬୬କୋଟିରୁ  ଊଦ୍ଧ୍ୱର୍ ଲୋକ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିଲେ ।  ସମସ୍ତେ ଆନନ୍ଦରେ ଆସୁଥିଲେ, ବୁଡ଼ ପକାଇ ଆନନ୍ଦରେ  ଫେରୁଥିଲେ ଏବଂ ତ୍ରିବେଣୀରେ ସ୍ନାନ ପାଇଁ ଗ୍ରାମବାସୀଙ୍କ  ଦ୍ୱାରା ସମ୍ବର୍ଦ୍ଧିତ ହେଉଥିଲେ । 

ବିଗତ ଦଶନ୍ଧିର ବଲିଉଡ୍‌ ସୁନ୍ଦରୀ ମମତା କୁଲକର୍ଣ୍ଣୀ,  ଭାରତ ସୁନ୍ଦରୀ ହର୍ଷ ଇଚାରିଆଙ୍କ ଠାରୁ ଆରମ୍ଭ କରି  ଆପଲ କମ୍ପୁଟରର ମାଲିକାଣୀ କୋଟିପତି ଶ୍ରୀମତୀ  ପାଉଏଲଙ୍କ ପର୍ଯ୍ୟନ୍ତ ସମସ୍ତେ ଚିତା ଚୈତନ୍ୟ ଆବୋରି  ସାଧ୍ୱୀ ହେଉଥିଲେ । ଅର୍ପଣ, ତର୍ପଣ ଓ ସମର୍ପଣ ସର୍ବସ୍ୱ ସନାତନ ସଂସ୍କୃତିର ଭାବରେ ସମସ୍ତେ ବିହ୍ୱଳ ଥିଲେ ।  ଅହରହ “ଗଙ୍ଗା ମାତା କୀ ଜୟ, ଯମୁନା ମାତା କୀ  ଜୟ, ସରସ୍ୱତୀ ମାତା କୀ ଜୟ, ଭାରତ ମାତା କୀ ଜୟ,  ସନାତନ ସଂସ୍କୃତି କୀ ଜୟ” ଆଦିରେ ତ୍ରିବେଣୀ ସଙ୍ଗମ  ମୁଖରିତ ହେଉଥିଲା । ସମସ୍ତଙ୍କର ଲକ୍ଷ୍ୟ ଥିଲା ଗୋଟିଏ, ମନ ଥିଲା ଗୋଟିଏ, ସଂକଳ୍ପ ଥିଲା ଗୋଟିଏ ଏବଂ ମନ୍ତ୍ର  ଥିଲା ଗୋଟିଏ (ଋକ୍‌ ବେଦ ୧୦/୧୯୧/୩) । ଗୋଟିଏ  ଛୋଟିଆ ଜାଗାରେ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ଆସିଥିବା  ବିଶାଳ ଜନରାଶିର ସମାଗମ ଏକ ଧାରଣା ଦେଉଥିଲା,  ଯେମିତିକି ଏହା ଏକ ବିଶାଳ ବିଶ୍ୱର କ୍ଷୁଦ୍ର ନିଳୟ (ଯଜୁଃ  ବେଦ ୩୨/୮) । 

ବସୁଧୈବ କୁଟୁମ୍ବକମ୍‌ର ବାର୍ତ୍ତା ପ୍ରେରଣ କରି  ଗଙ୍ଗା ମାତାର ଆଶୀର୍ବାଦ ଦ୍ୱାରା ବିଶ୍ୱକଲ୍ୟାଣ ଯଜ୍ଞ ସହ ଗାଜା ଯୁଦ୍ଧ ଏବଂ ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଶାନ୍ତିଯଜ୍ଞମାନ  ହେଉଥିଲା । ନାଗା ସାଧୁମାନଙ୍କର ଦେଶପ୍ରେମ ତଥା  ମୋଗଲ ଓ ଇଂରେଜମାନଙ୍କ ବିରୁଦ୍ଧରେ ସେମାନଙ୍କର  ବିଦ୍ରୋହର କାହାଣୀ ପରିବେଶରେ ଆଧ୍ୟାତ୍ମିକ ଉତ୍ସାହ  ଉଦ୍ଦୀପନା ସହ ବୀର ରସର ପୁଲକ ସୃଷ୍ଟି କରୁଥିଲା । ନାଗା ସାଧୁମାନଙ୍କର ୧୪ଟି ଆଖଡ଼ା, ଯୁଦ୍ଧଉଦ୍ୟତ  ବେଶ ପୋଷାକରେ ସ୍ୱତନ୍ତ୍ର ଭାବରେ ଅମୃତ ସ୍ନାନରେ  ବୁଡ଼ ପକାଇବା, ଅର୍ପଣ ଓ ତର୍ପଣର ଦୃଶ୍ୟ ବେଶ୍‌  ଚିତ୍ତାକର୍ଷକ ଥିଲା । ମହାକୁମ୍ଭ ମେଳାରେ ନଥିଲା ପରସ୍ପର  ମଧ୍ୟରେ ଦୂରତା ରଖିବା, ନଥିଲା ମାସ୍କ ପିନ୍ଧିବା, ନଥିଲା  ସାନିଟାଇଜର ପ୍ରୟୋଗ, ନଥିଲା ସଂକ୍ରାମକ ରୋଗର ସୃଷ୍ଟି  ବା ପ୍ରସାର । ନଥିଲା ନାରୀ ନିର୍ଯାତନା, ନାରୀ ଅପହରଣ, ଯୌନଶୋଷଣ ବା ବ୍ୟଭିଚାର । ନଥିଲା ଚୋର ତସ୍କର ବା  ଅସାମାଜିକ, ଉଗ୍ରପନ୍ଥୀ ଓ ଆତଙ୍କବାଦୀଙ୍କ ଦୌରାତ୍ମ୍ୟ ।  କୁମ୍ଭମେଳାର ସଫଳ ଆୟୋଜନ ବିଶ୍ୱର ମ୍ୟାନେଜମେଣ୍ଟ  ଅନୁଷ୍ଠାନଙ୍କ ପାଇଁ ଗବେଷଣା ଓ ଅନୁସନ୍ଧାନ ପାଇଁ  ଉପାଦାନ ଯୋଗାଇଛି । 

ପୁରାଣ ଆଦି ସ୍ମୃତି ଶାସ୍ତ୍ର ମତରେ, ଦେବ-ଦାନବଙ୍କ  ସମୁଦ୍ର ମନ୍ଥନରୁ ଆବିଷ୍କୃତ ଅମୃତକୁମ୍ଭର ଅମୃତ ସେମାନଙ୍କ  ମଧ୍ୟରେ ଚତୁରତାରେ ବଣ୍ଟନ ପ୍ରୟାସ ସମୟରେ ଚାରି  ବୁନ୍ଦା ଅମୃତ ଆକାଶରୁ ପ୍ରୟାଗରାଜ ଆଦି ଚାରି  ସ୍ଥାନରେ ପଡ଼ି ସେ ସ୍ଥାନକୁ ପବିତ୍ର ଓ ପୁଣ୍ୟ  କରିଥିଲା । ପୁନଶ୍ଚ ପୁରାଣ କହେ- ଭଗବାନ  ବିଷ୍ଣୁଙ୍କ ପାଦନିସୃତ ଜଳ, ସ୍ରଷ୍ଟା ବ୍ରହ୍ମାଙ୍କର ହସ୍ତ  (କମଣ୍ଡଳୁ) ଏବଂ ସଂସ୍କାରକ ଶିବଙ୍କ ଶିର ଜଟା  ଦେଇ ଆକାଶଗଙ୍ଗାର ଧାରା ଗଙ୍ଗାନଦୀ ରୂପରେ  ପ୍ରୟାଗରାଜ ଦେଇ ଭାରତରେ ପ୍ରବାହିତ  ହେଉଛି । ଏଥିପାଇଁ ସନାତନ ସଂସ୍କୃତିରେ  ଗଙ୍ଗାକୁ ମାତ୍ୟ, ପୁଣ୍ୟା ଏବଂ ପାବନୀ ତଥା  ଭବସାଗର ମୁକ୍ତିଦାତ୍ରୀ ରୂପେ ପୂଜା କରାଯାଏ ।  ହିମାଳୟର ଗିରି ଗହ୍ୱର ଦେଇ ବହିଆସିଥିବା  ଗଙ୍ଗାନଦୀ ବହୁବିଧ ଖଣିଜ ଦ୍ରବ୍ୟ, ଆୟୁର୍ବେଦିକ  ଚେର, ମୂଳ, ପତ୍ର ପୁଷ୍ପ ଓ ଧାତୁ ସଂସ୍ପର୍ଶରେ ଆସିଥିବାରୁ  ଗଙ୍ଗାର ଜଳ ପୁଣ୍ୟ-ପାବକ ହେବା ସହ ରୋଗ ଜୀବାଣୁ  ନାଶକ, ସ୍ୱାସ୍ଥ୍ୟପ୍ରଦ ଏବଂ ଆୟୁବର୍ଦ୍ଧକ ଅଟେ । ପ୍ରୟାଗରାଜ  ଠାରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ତ୍ରିବେଣୀ  ସଙ୍ଗମ ପ୍ରୟାଗରାଜର ମହତ୍ତ୍ୱକୁ ସର୍ବଶ୍ରେଷ୍ଠ, ଭବ୍ୟ ଏବଂ  ଦିବ୍ୟ କରିଅଛି । ସେହି ପୁରାଣ ବର୍ଣ୍ଣିତ ଅମୃତକୁମ୍ଭ  ନାମାନୁସାରେ କୁମ୍ଭମେଳାର ଗୂଢ଼ ସଂପର୍କ ଅଛି । ତ୍ରିବେଣୀ  ସଙ୍ଗମରେ ବୁଡ଼ ପକାଇ ଜୀବନକୁ ପୁଣ୍ୟ, ପବିତ୍ର ଓ  ସାର୍ଥକ କରିବା, ଗଙ୍ଗାଜଳ ପାନ କରି ମୃତ୍ୟୁ ଓ ଗଙ୍ଗାରେ  ନିଜର ଅସ୍ଥି ବିସର୍ଜନ ସବୁ ସନାତନୀଙ୍କର ଅଦମନୀୟ  ଲାଳସା ବା କାମନା ଅଟେ । ଏହା ହିଁ ମହାକୁମ୍ଭ ମେଳାର  ଅଭୂତପୂର୍ବ ଜନସମାଗମର କାରଣ ଅଟେ । ପାକିସ୍ତାନ  ଜନ୍ମିତ ବ୍ରିଟିଶ ବାରିଷ୍ଟର ଖଲିଦ ଓମାରଙ୍କ ମତରେ,  ମହାକୁମ୍ଭ ମେଳା ମାନବ ଜାତିର ଇତିହାସରେ ଶ୍ରେଷ୍ଠ  ଜନସମାଗମ ଅଟେ । ତାଙ୍କର ଲେଖା ବିଶ୍ୱର ବୁଦ୍ଧିଜୀବୀଙ୍କ  ହୃଦୟସ୍ପର୍ଶୀ ହୋଇଛି । 

ମହାକୁମ୍ଭ ମେଳାର ଆୟୋଜନ ଓ ନିୟନ୍ତ୍ରଣରେ  ବ୍ୟବହୃତ ୨୭,୦୦୦ରୁ ଊଦ୍ଧ୍ୱର୍ କ୍ୟାମେରା, ଶତାଧିକ  ଡ୍ରୋନ ଏବଂ କୃତ୍ରିମ ବୁଦ୍ଧିର ପ୍ରୟୋଗ ଭାରତର  ବିଜ୍ଞାନ ଓ ଅତ୍ୟାଧୁନିକ କାରିଗରୀ କୌଶଳର ଦକ୍ଷତା  ପ୍ରମାଣ କରେ । ହାର୍ବଡ ବିଶ୍ୱବିଦ୍ୟାଳୟର ଗବେଷକ  ତରୁଣ ଖାନ୍ନାଙ୍କ ମତରେ- Tradition and Technology go hand in hand in the Mahakumbha Mela ବେଶ୍‌ ପ୍ରଣିଧାନଯୋଗ୍ୟ । ସନାତନ ସଂସ୍କୃତିରେ ସମସ୍ତ ଶୁଭ  ମାଙ୍ଗଳିକ, ଯଜ୍ଞାଦି କର୍ମ ପ୍ରାରମ୍ଭରେ ‘ଗଙ୍ଗେ ଚ ଯଷ୍ପୁନେ  ଚୈବ ଗୋଦାବରୀ ସରସ୍ୱତୀ’ ଆଦି ମାତୃତୁଲ୍ୟା  ନଦୀମାନଙ୍କୁ ଆବାହନ କରାଯାଇ ସଂକଳ୍ପ ମନ୍ତ୍ର- ଓଁ  ବ୍ରହ୍ମଣଃ ଦ୍ୱିତୀୟ ପରାର୍ଦ୍ଧେ, ଶ୍ୱେତ ବରାହ କଳ୍ପେ,  ବୈବସୂତ ମନ୍ୱନ୍ତରେ ୨୮ତମ କଳିଯୁଗେ, ୫୧୨୫  କଳି ଅବ୍ଦେ... ଇତ୍ୟାଦି ଯେଉଁ ସଂକଳ୍ପ ମନ୍ତ୍ର ପଢ଼ାଯାଏ,  ତତ୍‌ ଅନୁଯାୟୀ ମାନବ ସଭ୍ୟତାର ବୟସ ତଥା ଗଙ୍ଗା,  ଗୋଦାବରୀ, ଯମୁନା, ସରସ୍ୱତୀ ଆଦି ନଦୀମାନଙ୍କର  ବୟସ ହେଉଛି ୯୭,୨୯,୪୯,୫୨୫ ବର୍ଷ (୨୦୨୫  ପାଇଁ) । ସୃଷ୍ଟିର ଆରମ୍ଭ ସହିତ ସଂଶ୍ଳିଷ୍ଟ ହେତୁ କେବଳ  ମାତ୍ର ହିନ୍ଦୁ ସଂସ୍କୃତିକୁ ସନାତନ ସଂସ୍କୃତି କୁହାଯାଏ । ହୀନଂ  ଦୁଷ୍ୟତି ଇତି ହିନ୍ଦୁ । କାମ, କ୍ରୋଧ, ଲୋଭ, ମୋହ, ମଦ,  ମାତ୍ସର୍ଯ୍ୟ ଇତି ହୀନ ଓ ଦୁର୍ଗୁଣକୁ ଆୟତ୍ତ କରି ଯେଉଁମାନେ  ଉଚ୍ଚତର ତପଃ, ସାଧନା ଦ୍ୱାରା ସମାଧିସ୍ଥ ହୋଇ  ସିଦ୍ଧିଲାଭର ସାମର୍ଥ୍ୟ ରଖନ୍ତି ସେମାନଙ୍କୁ ହିନ୍ଦୁ କୁହାଯାଏ ।  

ବେଦ କହେ- ହିନ୍ଦୁର ଆଦର୍ଶ ବସୁଧୈବ କୁଟୁମ୍ବକମ୍‌ ।  ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଭାଷାରେ ‘ନିଜ ସ୍ୱାର୍ଥ ଲାଗି ଜାତ  ନୁହେଁ ହିନ୍ଦୁ, ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତ ବିନ୍ଦୁ ।’ ହଜାର  ବର୍ଷର ପରାଧୀନତା ପରେ ପ୍ରଥମ ଥର ପାଇଁ ମହାକୁମ୍ଭ  ମେଳା ହିନ୍ଦୁମାନଙ୍କ ମଧ୍ୟରେ ନବଜାଗରଣ ଆଣି ଐକ୍ୟ ଓ  ସଂହତି ମନ୍ତ୍ରରେ ଏକଜୁଟ କରିଛି । ‘ଏକ ହେ ତୋ ସେଫ  ହେ’ ମନ୍ତ୍ର କାଶ୍ମୀରରୁ କନ୍ୟାକୁମାରୀ, ଜଗନ୍ନାଥ ପୁରୀରୁ  ପୋରବନ୍ଦର, ଦ୍ୱାରିକା ଯାଏଁ ଗୁଞ୍ଜରିତ ହେଉଛି ।  

ଆମ ଦେଶର ନାମ ଭାରତ- ଭାୟାଂ ରତ ଭାରତ ।  ଭା ଅର୍ଥ- ଜ୍ଞାନ, ରତ ଅର୍ଥ- ବିଦ୍ୟା, ଜ୍ଞାନ ବିଜ୍ଞାନରେ  ଗବେଷଣା ନିମଗ୍ନ । ଏଥିପାଇଁ ଜ୍ଞାନଦାତ୍ରୀ ସରସ୍ୱତୀଙ୍କ  ଅନ୍ୟ ନାମ ଭା-ରତୀ । ସନାତନ ସଂସ୍କୃତିର ଅନ୍ୟତମ  ରକ୍ଷକ, ମାର୍ଗଦର୍ଶକ ଶୃଙ୍ଗେରୀ ଶଙ୍କରାଚାର୍ଯ୍ୟଙ୍କର  ଉପାଧି ଭା-ରତୀ ଅଟେ । ମାନବ ଜାତିର  ମନସ୍ତତ୍ତ୍ୱ ବିଶ୍ଳେଷଣରେ ହିନ୍ଦୁର ସ୍ୱତନ୍ତ୍ର ପରିଚୟ  ହେଉଛି ‘ସରଳ ଜୀବନ ଉଚ୍ଚ ଚିନ୍ତା, ଚିର  ଭାରତ ଭୂଷଣ, ମୁଖେ ମୁଖେ ବାକ୍ୟେ ବାକ୍ୟେ,  ଫୁଟିଉଠେ ଗଭୀର ଦର୍ଶନ’ । 

ବୈଦିକ ଋଷିମାନଙ୍କ ମତରେ, ଗଙ୍ଗା- ଯମୁନା-ସରସ୍ୱତୀର ସଂଗମ ଆଧିଭୌତିକ  ସଂଗମ ପ୍ରାଣବାୟୁର ଅହରହ ପ୍ରବାହରେ  ଶରୀରରେ ଇଡା, ପିଙ୍ଗଳା ଓ ସୁଷୁମ୍ନା ନାଡ଼ିର  ସଂଘାତକୁ ଆଧ୍ୟାତ୍ମିକ ସଂଗମ କୁହାଯାଏ ।  ନର-ନାର (ଜଳ ବା ଗଙ୍ଗାଜଳ) ଏବଂ  ନାରାୟଣ (ଅନନ୍ତ ଜଳସାଗର ନିବାସୀ)ଙ୍କର ସଂଗମକୁ  ଅଧିଦୈବିକ ସଂଗମ କୁହାଯାଏ । ଏଥିପାଇଁ ପ୍ରତ୍ୟେକ  ନର, ଗଙ୍ଗାଜଳ ପାନ କରି ମୃତ୍ୟୁ ଏବଂ ଗଙ୍ଗାରେ  ତାର ଅସ୍ଥି ବିସର୍ଜନକୁ ମୋକ୍ଷପ୍ରାପ୍ତିର ଅନ୍ତିମ କାମନା  କରିଥାଏ । ବୃହତ ତୀର୍ଥସ୍ଥଳ ବିଶିଷ୍ଟ ଭାରତର ଗୋଟିଏ  ତୀର୍ଥ ପ୍ରୟାଗରାଜ ମେଳାରେ ତିନିଲକ୍ଷ କୋଟିର ଆର୍ଥିକ  କାରବାର ହେବା, ଭବିଷ୍ୟତରେ ଭାରତର ଏକ ପ୍ରଧାନ  ଆର୍ଥିକ ଶକ୍ତିର ସାମର୍ଥ୍ୟର ସୂଚନା ଦିଏ । ମୋଟ୍‌ ଉପରେ  ମହାକୁମ୍ଭ ମେଳା ସନାତନୀ ହିନ୍ଦୁବହୁଳ ଭାରତର  ସାଂସ୍କୃତିକ, ଆଧ୍ୟାତ୍ମିକ, ବୈଜ୍ଞାନିକ, ଆର୍ଥିକ ଓ ବୈଶ୍ୱିକ  ଜାଗରଣର ପ୍ରତୀକ ।