ଭୁବନେଶ୍ୱର,୦୭/୯: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଏଫ୍‌ଏମ୍‌ ରେଡିଓ ଷ୍ଟେସନ୍‌ରେ ଶୁଣିବାକୁ ମିଳିବ ଟ୍ରାଫିକ୍‌ ଅପ୍‌ଡେଟ୍‌ ।  କେଉଁଠି ଟ୍ରାଫିକ୍‌ ଜାମ୍‌? କ’ଣ ପାଇଁ ଜାମ୍‌? କେଉଁ ରାସ୍ତା ଦେଇ ଗଲେ ସହଜ ହେବ? ସେ ସବୁ ଅପ୍‌ଟେଡ୍‌ ମିଳିବ ଏଫ୍‌ଏମ୍‌ରେ  ବୋଲି ପୁଲିସ୍‌ କମିଶନର ଏସ୍‌ ଦେବଦତ୍ତ ସିଂହ କହିଛନ୍ତି । ଆଗକୁ  ପାର୍ବଣ ଥିବାରୁ କମିଶନରେଟ୍‌ ପୁଲିସ ପୁରୁଣା ବ୍ୟବସ୍ଥାକୁ ଆପଣାଇଛି ।  

ସବୁ ବେଳେ ସହରବାସୀ ଟ୍ରାଫିକ ଜାମରେ ଫସି ରହୁଥିଲେ । ଏହାକୁ ନଜରରେ ରଖି ପୂର୍ବତନ ପୁଲିସ୍‌ କମିଶନର ଡାକ୍ତର ଆର ପି  ଶର୍ମା ଯୋଜନା କରିଥିଲେ ଟ୍ରାଫିକ୍‌ ଜାମ୍‌ ବିଷୟରେ ଏଫ୍‌ଏମ୍‌ ରେଡିଓରେ  ସହରବାସୀଙ୍କୁ ଜଣାଇବା । ଭୁବନେଶ୍ୱରରେ ଥିବା ସବୁ ଏଫ୍‌ଏମ୍‌ ଷ୍ଟେସନ୍‌  ସହ ଆଲୋଚନା କରିଥିଲେ । ଟ୍ରାଫିକ୍‌ ଏସିପି ସବୁ ସମୟରେ ଏଫ୍‌ଏମ୍‌ରେ  ଟ୍ରାଫିକ୍‌ ସମସ୍ୟା ବିଷୟରେ ଜଣାଉଥିଲେ । ଏହି ବ୍ୟବସ୍ଥା ୨୦୧୯ ଶେଷ  ପର୍ଯ୍ୟନ୍ତ ଚାଲିଥିଲା । ତା’ପରେ କ’ଣ ହେଲା କେଜାଣି ବନ୍ଦ ହୋଇଗଲା ।  ଏବେ ଲୋକମାନେ ଘଣ୍ଟା ଘଣ୍ଟା ଟ୍ରାଫିକ୍‌ ଜାମ୍‌ରେ ଫସୁଛନ୍ତି । ସୋସିଆଲ୍‌  ମିଡିଆରେ ଟ୍ରାଫିକ୍‌ ପୁଲିସ୍‌ର ଅପାରଗତା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌  କରି ଜଣାଉଛନ୍ତି । ଏ ସବୁକୁ ଦେଖି କମିଶନରରେଟ୍‌ ପୁଲିସ୍‌ର ନିଦ ଭାଙ୍ଗିଛି ।  

ଏଫ୍‌ଏମ୍‌ରେ ପୁଣି ଟ୍ରାଫିକ୍‌ ଜାମ୍‌ର ସୂଚନା ଦେବାକୁ ଯୋଜନା କରିଛନ୍ତି ପୁଲିସ୍‌  କମିଶନର । ଆଜି ବିଭିନ୍ନ ଏଫଏମ୍‌ ରେଡିଓ ଷ୍ଟେସନ୍‌ର କର୍ମଚାରୀମାନଙ୍କୁ  ଡାକି ପୁଲିସ୍‌ କମିଶନର ଆଲୋଚନା କରିଛନ୍ତି । ଆଗୁକୁ ପୂଜା । ସହର  ବାସୀମାନେ ଖଣ୍ଟା ଘଣ୍ଟା ଟ୍ରାଫିକ୍‌ରେ ଫସିବେ । ସେଥିପାଇଁ ଏଫ୍‌ଏମ୍‌ ମଧ୍ୟରେ  ଟ୍ରାଫିକ୍‌ ପୁଲିସ୍‌ ପକ୍ଷରୁ ସୂଚନା ଦିଆଯିବ ବୋଲି ପୁଲିସ୍‌ କମିଶନର କହିଛନ୍ତି ।