ବାରିପଦା,୧୮/୧୧: ରାଜ୍ୟ ସରକାରଙ୍କ ପିଛା ଛାଡ଼ୁନି ପ୍ରଶ୍ନ ପତ୍ର ଲିକ ପ୍ରସଙ୍ଗ । ଏଥର ବାରିପଦାରୁ ପ୍ରଶ୍ନପତ୍ର ଲିକ୍‌ ନେଇ ଟ୍ରାଫିକ କନେଷ୍ଟବଳ ପରୀକ୍ଷା ସମୟରେ ଆସିଛି ଏଭଳି  ସଂଗୀନ ଅଭିଯୋଗ । ସୂଚନା ମୁତାବକ ମହାରାଣୀ ପ୍ରେମ କୁମାରୀ  ଉଚ୍ଚ ବାଳିକା ବିଦ୍ୟାଳୟରେ କନେଷ୍ଟବଳ ପରୀକ୍ଷା ଚାଲିଥିବା  ବେଳେ ପ୍ରଶ୍ନପତ୍ର ପ୍ୟାକେଟ ଖୋଲା ଥିବା ଅଭିଯୋଗ ହୋଇଛି ।  ଅଭିଯୋଗକାରୀ ପରୀକ୍ଷାର୍ଥୀ ଜଣଙ୍କ ହେଲେ ମୟୂରଭଞ୍ଜ ଜିଲ୍ଲା  କୁଳିଅଣା ଥାନା କରକଚିଆ ଗ୍ରାମର ହୃଷିକେଶ ଦାସ । ପ୍ରଶ୍ନପତ୍ର  ଦେବା ବେଳେ ପୂର୍ବରୁ ତାର ସିଲ୍‌ କଟାଯାଇଥିବା ନେଇ ସେ  ଅଭିଯୋଗ କରିଛନ୍ତି । 

ସୂଚନା ମୁତାବକ ରବିବାର ଓଡ଼ିଶାର ୨୬ ଟି ଟ୍ରାଫିକ୍‌  କନେଷ୍ଟବଳ ପୋଷ୍ଟ ପାଇଁ ସାରା ରାଜ୍ୟର ଲକ୍ଷଲକ୍ଷ ପରୀକ୍ଷାର୍ଥୀ  ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି । ବାରିପଦା  ସହରରେ ଅନେକ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ  ମାନଙ୍କରେ ଏହି ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ବାରିପଦା  ସହରରେ ଥିବା ମହାରାଣୀ ପ୍ରେମକୁମାରୀ ଉଚ୍ଚ ବାଳିକା  ବିଦ୍ୟାଳୟରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଲିକ୍‌  ଘଟଣା ସାମ୍ନାକୁ ଆସିଛି । 

ପରୀକ୍ଷା ପାଇଁ ରବିବାର ସକାଳ ୯ଟାରୁ ୯.୪୫ ରିପୋଟିଂ  ସମୟ ରହିଥିବା ବେଳେ ୧୦ ରୁ ୧୧.୩୦ ପର୍ଯ୍ୟନ୍ତ ପରୀକ୍ଷା  ହୋଇଥିଲା । ତେବେ ପରୀକ୍ଷାପାଇଁ ପ୍ରଶ୍ନପତ୍ର ଦେବା ସମୟରେ  ହୃଷିକେଶ ଦାସଙ୍କ ପ୍ରଶ୍ନ ପତ୍ରଟିର ସିଲ୍‌ ପୂର୍ବରୁ କଟାଯାଇଥିବା  ନେଇ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ପରୀକ୍ଷକଙ୍କୁ  ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସଙ୍ଗେ ସଙ୍ଗେ ସେହି ପ୍ରଶ୍ନପତ୍ର ଟିକୁ ହୃଷିକେଶଙ୍କ ହାତରୁ ନେଇଯାଇ ସମାନ  ସେଟ୍‌ (ଏ ) ର ଅନ୍ୟ ଏକ ପ୍ରଶ୍ନପତ୍ର ଆଣି ତାଙ୍କୁ ଦେଇଥିଲେ  କର୍ତ୍ତୃପକ୍ଷ । ପର ମୁହୂର୍ତ୍ତରେ ପରୀକ୍ଷା କେନ୍ଦ୍ର ଦାୟିତ୍ୱରେ ଥିବା  ଡେପୁଟି କଲେକ୍ଟର ଏଷ୍ଟାବ୍ଲିସମେଣ୍ଟ ସେକ୍ସନ୍‌ ବସୁନ୍ଧରା  ଭିତିରିଆଙ୍କ ଦୃଷ୍ଟି ଆକର୍ଷଣ ହେବା ପରେ ପ୍ରଶ୍ନପତ୍ରଟି ପକେଟ୍‌ ଭିତରୁ ହିଁ ଏଭଳି ବାହାରିଥିବା କହିଥିଲେ । ଏନେଇ ସେ  ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି।