ଭୁବନେଶ୍ୱର,୦୫/୧୧: ବିଏମ୍ସି ୫୯ ନମ୍ବର ନୂଆଗାଁ ଓ ଆଖପାଖ ଅଞ୍ଚଳର ଲୋକ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥକୁ ଉଠିପାରୁନାହାନ୍ତି । ପୂର୍ବାହ୍ନ ଓ ଅପରାହ୍ନରେ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ଉପରେ ଲମ୍ବିଯାଉଛି ଅନେକ ଅଭିଭାବକଙ୍କ ଗାଡ଼ି ଓ ସ୍କୁଲ ବସ୍ । ଫଳରେ ପ୍ରତିଦିନ ପୂର୍ବାହ୍ନ ୯ଟାରୁ ୧୧ଟା ଓ ଅପରାହ୍ଣ ୪ଟାରୁ ୬ଟା ପର୍ଯ୍ୟନ୍ତ ଏହି ବ୍ୟସ୍ତବହୁଳ ରାଜପଥରେ ଅଡ଼ୁଆ ସୂତା ପରି ଛନ୍ଦି ହୋଇଯାଉଛନ୍ତି ଶହ ଶହ ଗାଡ଼ି । କିଏ କୁଆଡ଼େ ଯାଇ ନପାରି ଲାଖି ଯାଉଛନ୍ତି । ଛକ ଉପରେ ଏକ ଟ୍ରାଫିକ ପୋଷ୍ଟ ସ୍ଥାପନ କରି ଗାଡ଼ିମୋଟର ନିୟନ୍ତ୍ରଣ କରିବା ଦାବିରେ ଟ୍ରାଫିକ୍ ଡିସିପିଙ୍କୁ ସାକ୍ଷାତ କରିଛନ୍ତି ସ୍ଥାନୀୟ ଲୋକେ । ନୂଆଗାଁ ଛକ ଦେଇ ପ୍ରତିଦିନ ହଜାର ହଜାର ଲୋକ ରାଜଧାନୀ ମୁହାଁ ହେଉଛନ୍ତି । ୪ଟି ପଞ୍ଚାୟତର ଲୋକ, ୱାର୍ଡ ନଂ ୫୯ର ବାସିନ୍ଦା, ଗଙ୍ଗୋତ୍ରୀ ନଗର, ଇନ୍ଦିରା ନଗର, ବିଜୟ ବିହାର ଆଦି ଜନବସତିର ବାସିନ୍ଦା ଏହି ବାଟ ଦେଇ ରାଜଧାନୀକୁ ଯାତାୟାତ କରୁଛନ୍ତି ।
ଏହାବାଦ୍ ଗଙ୍ଗୁଆ ବନ୍ଧ କଡ଼ ରାସ୍ତା ଓ ମହାବୀର ନଗରରୁ ଆସୁଥିବା ରାସ୍ତା ଏହାର ନିକଟରେ ରାଜପଥରେ ମିଶିଛି । ଏଠି ଜାତୀୟ ରାଜପଥକୁ ଉଠି ଏହା ବାମ ଡାହାଣକୁ ଯିବା ଯେତିକି ବିପଜ୍ଜନକ ସେତିକି କଷ୍ଟକର ବ୍ୟାପାର । ସବୁଠାରୁ ବଡ଼ ଭିଡ଼ ଉପୁଜୁଛି ପିକ୍ ସମୟ ଅର୍ଥାତ୍ ପୂର୍ବାହ୍ନ ଓ ଅପରାହ୍ଣରେ । ଏହି ସମୟ କର୍ମକ୍ଷେତ୍ରକୁ ଯିବାଆସିବା ଓ ପିଲାମାନଙ୍କ ସ୍କୁଲ ବେଳ । ନୂଆଗାଁ ଅଞ୍ଚଳରେ ରହିଛି ୪ଟି ବଡ଼ ବଡ଼ ଘରୋଇ ସ୍କୁଲ । ପୂର୍ବାହ୍ନରେ ପ୍ରାୟ ୮-୧୦ ବଡ଼ ବଡ଼ ବସ୍ ପିଲାଙ୍କୁ ଆଣି ସ୍କୁଲରେ ପହଞ୍ଚନ୍ତି । ବସଗୁଡ଼ିକ ରାଜଧାନୀ ପଟୁ ଆସି ପେଟ୍ରୋଲ ପମ୍ପ ନିକଟ କଟ୍ରେ ୟୁଟର୍ଣ୍ଣ ମାରି କିଛି ବାଟ ପରେ ବାମକୁ ମୋଡ଼ିଲେ ସ୍କୁଲରେ ପହଞ୍ଚିବେ । ଏପଟେ ଗଙ୍ଗୁଆ ବ୍ରିଜ୍ ପଟ କଟ୍ରେ ରଙ୍ଗ୍ ରୁଟ୍ରେ ପିଲାଙ୍କୁ ଛାଡ଼ିବା ପାଇଁ ଅଭିଭାବକମାନେ ଗାଡ଼ି ଭର୍ତ୍ତି କରି ଦିଅନ୍ତି । ସେଥିରେ ରାସ୍ତା କଡ଼ରେ ପରିବା ବେପାରିଙ୍କ ପସରା । ଫଳରେ ସେଠାରେ ଅଭାବନୀୟ ପରିସ୍ଥିତି ଉପୁଜେ । ନୂଆଗାଁ ରାସ୍ତାରୁ ଉଠୁଥିବା ଗାଡ଼ିମୋଟର, ସ୍କୁଲ ଓ ଅଭିଭାବକଙ୍କ ଗାଡ଼ି ଏବଂ ପୁରୀ ରୋଡ଼ରେ ରାଜଧାନୀକୁ ପଶୁଥିବା ଗାଡ଼ିମୋଟର ଛନ୍ଦାଛନ୍ଦି ହୋଇ ଲାଖିଯାଆନ୍ତି ।
ପ୍ରାୟ ୨ଘଣ୍ଟା କାଳ ଏଭଳି ଟ୍ରାଫିକ୍ ଅସ୍ଥିରତା ଲାଗିରହେ । ଅନୁରୂପ ଅବସ୍ଥା ଅପରାହ୍ନ ସ୍କୁଲ ଛୁଟି ଓ ରାଜଧାନୀରୁ ଲୋକ ଫେରିବା ବେଳେ ଲାଗିରହୁଛି । ଫଳରେ ସ୍କୁଲ ପିଲା, କର୍ମଜୀବୀଠୁ ଆରମ୍ଭ କରି ସମସ୍ତେ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ସମସ୍ୟା ହେଲା ଏତେ ବଡ଼ ଜନସଂଖ୍ୟା ଯାତାୟାତ କରୁଥିବା ଜାତୀୟ ରାଜପଥରେ ମୁହଁରେ ଯାନବାହନ ନିୟନ୍ତ୍ରଣ ପାଇଁ କୌଣସି ଠୋସ ବ୍ୟବସ୍ଥା ନାହିଁ।କେବଳ ରାଜପଥରେ ଥିବା ୨ଟି କଟ୍ରେ ଗାଡ଼ିମୋଟର ଏପଟ ସେପଟ ହେଉଛି । ଏହି ସମସ୍ୟାର ନିରାକରଣ ଲାଗି ସ୍ଥାନୀୟ ସଂଗଠନ ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟଗଣ ୨ଦିନ ତଳେ ଟ୍ରାଫିକ୍ ଡିସିପିଙ୍କୁ ସାକ୍ଷାତ କରିଥିଲେ । ଉଭୟ ପଟରେ ଅନେକ ସରକାରୀ ଜମି ଜବରଦଖଲ ହୋଇଛି । ଉକ୍ତ ଜମିକୁ ଜବରଦଖଲମୁକ୍ତ କରି ରାସ୍ତା ଚଉଡ଼ା କରିବା ସହିତ ସେଠାରେ ଏକ ଟ୍ରାଫିକ୍ ପୋଷ୍ଟ ସ୍ଥାପନ କରିବାକୁ ଦାବି କରିଥିଲେ । ଟ୍ରାଫିକ୍ ଡିସିପି ଏହାର ସମାଧାନ କରିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।