ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବାବା ଧବଳେଶ୍ୱରଙ୍କ ପଞ୍ଚକ, ବଡ଼ଓଷା ପାଇଁ ଟ୍ରାଫିକ୍‌ କଟକଣା

Published By : Prameya | November 9, 2024 11:58 AM

କଟକ,୦୯/୧୧: ଗୁରୁଡ଼ିଝାଟିଆ  ଥାନା ଅଧୀନସ୍ଥ ଧବଳେଶ୍ୱର ଶୈବ ପୀଠରେ ଆସନ୍ତା ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ  ପଞ୍ଚକ ଓ ବଡ଼ଓଷା ପାଳନ କରାଯିବ । ଏହି ସମୟରେ ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାରେ  ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିବା  ନିମନ୍ତେ ଏକତ୍ରିତ ହେବାର ଆଶା ରହିଛି ।  ଭକ୍ତଙ୍କ ସୁରକ୍ଷା ଓ ବ୍ୟବସ୍ଥିତ ଢ଼ଙ୍ଗରେ  ବାବା ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ପ୍ରଶାସନ  ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି ।

ମହାନଦୀ ଉପରେ ଥିବା ମଧୁସୂଦନ  ବ୍ରିଜ୍‌ ନିର୍ମାଣ ଫଳରେ ବହୁ ସଂଖ୍ୟାରେ ଭକ୍ତ  ବସ୍‌, କାର୍‌, ଦୁଇଚକିଆ ଯାନରେ ଧବଳେଶ୍ୱର  ପୀଠକୁ ପ୍ରତ୍ୟହ ଆସୁଛନ୍ତି । ତେଣୁ ପଞ୍ଚକ  ଓ ବଡ଼ଓଷାରେ ଆଶାତୀତ ଭିଡ଼କୁ ଦୃଷ୍ଟିରେ  ରଖି ଭାରୀ ଯାନ ଚଳାଚଳ ଉପରେ କଟକଣା  ଜାରି କରାଯାଇଛି । କଟକରୁ ମଧୁସୂଦନ ସେତୁ  ଦେଇ ଆଠଗଡ଼ ଯାଉଥିବା ଭାରୀ ଯାନଗୁଡ଼ିକୁ  ନୂଆପାଟଣା ଛକଠାରୁ ଜାତୀୟ ରାଜପଥ ୫୫ ଦେଇ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି  ଆଠଗଡ଼ରୁ ଧବଳେଶ୍ୱର ରାସ୍ତାଦେଇ କଟକ  ଆସୁଥିବା ଭାରୀଯାନଗୁଡ଼ିକ କଖଡ଼ି ଛକ ଏବଂ  ନିଧିପୁର ଛକଠାରୁ ଜାତୀୟ ରାଜପଥ ୫୫  ଦେଇ ଗତିପଥ ପରିବର୍ତ୍ତନ କରି ଯିବାକୁ  ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପୁଲିସ ପକ୍ଷରୁ ମଧୁସୂଦନ ସେତୁର ନୂଆପାଟଣା ଛକ ଓ  କଖଡ଼ି ଛକରେ ଦୁଇଟି ଟ୍ରାଫିକ କଣ୍ଟ୍ରୋଲ  ରୁମ୍‌ ଖୋଲାଯାଇ ୨୪ ଘଣ୍ଟିଆ କାର୍ଯ୍ୟ କରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.