କଟକ,୧୩/୦୧ : କଟକ କମିସନ୍ରେଟ୍ରେ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା ବିପନ୍ନ ହୋଇପଡ଼ିଛି। ସହର ଭିତରଠୁ ଆରମ୍ଭ କରି କଟକ ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବା ୧୬ନଂ ଜାତୀୟ ରାଜପଥ(ଏନ୍ଏଚ୍)ରେ ଟ୍ରାଫିକ୍ ପୋଷ୍ଟ ଧର୍ମକୁ ଆଖିଠାର ପରି ରହିଛି । ଦୁର୍ଘଟଣା ପ୍ରବଣ ତଥା ବ୍ଲାକ୍ ସ୍ପଷ୍ଟ ଭାବେ ଚିହ୍ନଟ ହୋଇଥିବା ବାଲିକୁଦା ଓ ଫୁଲନଖରା ଆଦି ଛକରେ ଟ୍ରାଫିକ୍ ସିଗ୍ନାଲ୍ ପୋଷ୍ଟ୍ ଥାଇ ବି ତାହା କାମରେ ଆସୁନି । ଏହି ଦୁର୍ଘଟଣାପ୍ରବଣ ଛକରେ କନ୍ଷ୍ଟେବଲ୍ଙ୍କ ବଦଳରେ ହୋମଗାର୍ଡମାନେ ଅଧିକାଂଶ ସମୟରେ ଟ୍ରାଫିକ୍ ପରିଚାଳନା ଦାୟିତ୍ୱ ସମ୍ଭାଳୁଛନ୍ତି । ଜାତୀୟ ରାଜପଥର ଏହି ଚାରି ଛକ ଉପରେ ସିଗନାଲ୍ କାମ କରୁନଥିବାରୁ ନିୟୋଜିତ ହୋମାଗାର୍ଡମାନେ ହାତରେ ଲାଲ୍ କପଡ଼ା ହଲାଇ ଦ୍ରୁତଗାମୀ ଯାନବାହାନର ବେଗ ନିୟନ୍ତ୍ରଣ କରୁଛନ୍ତି ।
କାଠଯୋଡ଼ି ବ୍ରିଜ୍ ମୁଣ୍ଡ ଗୋପାଳପୁର ଗଡ଼ା ଓ କାଜିପାଟଣା ଗଡ଼ାରେ ମଧ୍ୟ ଏନଏଚ୍ ଉପରେ ଦୁଇ ଜଣ ହୋମଗାର୍ଡ ହାତରେ ‘ନାଲି କପଡ଼ା’ ଦେଖାଇ ଟ୍ରାଫିକ୍ ପରିଚାଳନା କରୁଛନ୍ତି । ଫଳରେ ଉକ୍ତ ଅଞ୍ଚଳରେ ପ୍ରତିଦିନ ଦୁର୍ଘଟଣା ଘଟୁଛି । ଗତ ୧୫ଦିନ ମଧ୍ୟରେ ବାଲିକୁଦା ଛକରେ ଛୋଟ ବଡ଼ ମିଶି ୩୦ରୁ ଅଧିକ ଦୁର୍ଘଟଣା ଘଟିଥିବାର ଥାନା ସୂତ୍ରରୁ ସୂଚନା ମିଳିଛି । ସେହିପରି ଫୁଲନଖରା ଛକରେ ୧୨ ଟି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ରାଜ୍ୟର ବ୍ୟସ୍ତବହୁଳ ୧୬ନଂ ଜାତୀୟ ରାଜପଥରେ ଟ୍ରାଫିକ୍ ପରିଚାଳନାରେ ଏପରି ଦୟନୀୟ ସ୍ଥିତି ଯୋଗୁଁ ଧନଜୀବନର ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ ପାଇଛି ।
ସେହିପରି ଫୁଲନଖରା ଟ୍ରାଫିକ୍ ଛକ ମଧ୍ୟ ମୁକୁଳା ପଡୁଛି । ଚାରି ପଟୁ ଗାଡ଼ିମୋଟର ଚଳାଚଳ କରୁଥିଲେ ହେଁ ନିୟନ୍ତ୍ରଣ କରିବାକୁ ଟ୍ରାଫିକ୍ ପୁଲିସର ଦେଖା ନାହିଁ । ଓଏମ୍ପି ଛକ, ଶିଖରପୁର, ଜଗତପୁର ଗୋଲେଇ ଛକରେ ଟ୍ରାଫିକ୍ ବ୍ୟବସ୍ଥା କଥା ନକହିବା ଭଲ । ଜାତୀୟ ରାଜପଥର ଏହି ଅଞ୍ଚଳରେ ପାଦେ ପାଦେ ବିପଦ ଥିଲେ ହେଁ ପଥଚାରୀ ଓ ଦୁଇ ଚକିଆ ଆରୋହୀଙ୍କ ସୁରକ୍ଷା ପ୍ରତି ପୁଲିସର ନିଘା ନାହିଁ । ଯାହା କି, ଏହା ଏବେ ଚିନ୍ତାଜନକ ଘଟଣା ହୋଇଛି । ସୂଚନା ମୁତାବକ, ସହରର ବିଭିନ୍ନ ଟ୍ରାଫିକ୍ ପୋଷ୍ଟ ସମେତ ଜାତୀୟ ରାଜପଥରେ ଯାନବାହାନ ନିୟନ୍ତ୍ରଣ ପାଇଁ ୨୯ ଟି ସ୍ଥାନରେ ବିଦ୍ୟୁତ୍ ଚାଳିତ ଟ୍ରାଫିକ୍ ସିଗ୍ନାଲ୍ ପୋଷ୍ଟ ତଥା ଟ୍ରାଫିକ୍ ବତି ଖୁଣ୍ଟ ପୋତା ଯାଇଛି । ସହରର ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥାର ସୁଧାର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ପକ୍ଷରୁ ଏହି ଟ୍ରାଫିକ୍ ସିଗ୍ନାଲ୍ ଖୁଣ୍ଟ ପୋତାଯାଇଛି ।
ଦୀର୍ଘ ତିନି ମାସ ହେଲା ଏହି ନୂଆ ସିଗନାଲ୍ ଖୁଣ୍ଟି ସ୍ଥାପନ ହୋଇସାରିଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ତାହା କାର୍ଯ୍ୟକ୍ଷମ ନଥିବା ଦେଖିବାକୁ ମିଳୁଛି । ଜାତୀୟ ରାଜପଥଠୁ ସହରର ଅଧିକାଂଶ ସ୍ଥାନରେ ଟ୍ରାଫିକ୍ ପୋଷ୍ଟ ମୁକୁଳା ପଡ଼ିଛି । ଏନ୍ଏଚ୍ରେ ଟ୍ରାଫିକ୍ ପରିଚାଳନା ପାଇଁ ୨୫ ଜଣ କନ୍ଷ୍ଟେବଲ୍ ଓ ୨୦ ଜଣ ହୋମଗାର୍ଡ ଥିବାର ସୂଚନା ମିଳିଛି । ଏନ୍ଏଚ୍ ଟ୍ରାଫିକ୍ ଥାନାରେ ମାନବ ସମ୍ବଳର ଅଭାବ ଥିବା ଅଧିକାରୀ କହୁଥିବା ବେଳେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଥିବା କନ୍ଷ୍ଟେବଲ୍ମାନେ ଜାତୀୟ ରାଜପଥରେ ବିଭିନ୍ନ ଗାଡ଼ିମୋଟରରେ ଫଟୋ ଉଠାଇବାରେ ଅଧିକ ନିୟୋଜିତ ଥିବା ଦେଖିବାକୁ ମିଳୁଛି । ସେହିପରି ସହର ଭିତରେ ଜନଗହଳିପୂର୍ଣ୍ଣ ବାଦାମବାଡ଼ି ଛକରେ ଅଧିକାଂଶ ସମୟରେ ଜଣେ ଟ୍ରାଫିକ୍ ପୁଲିସ ଠିଆ ହୋଇଥିବା ବେଳେ କେତେବେଳେ କେମିତି ଦୁଇ ଜଣ ଠିଆ ହୋଇ ଯାନବାହାନ ନିୟନ୍ତ୍ରଣ କରୁଛନ୍ତି ।
ନୂଆ ବସ୍ଷ୍ଟାଣ୍ଡ ହେବା ଦିନଠାରୁ ଖାନନଗର ଟ୍ରାଫିକ୍ ଛକରେ ବସ୍ ଚଳାଚଳଠାରୁ ଆରମ୍ଭ କରି ଅନ୍ୟ ଗାଡ଼ିମୋଟର ଚଳପ୍ରଚଳ ବହୁମାତ୍ରାରେ ବଢ଼ିଯାଇଛି । ମାତ୍ର ଉକ୍ତ ଟ୍ରାଫିକ୍ ଛକରେ ମାତ୍ର ଜଣେ ଟ୍ରାଫିକ୍ କର୍ମଚାରୀ ନିୟୋଜିତ ହେଉଛନ୍ତି । ସିଗନାଲ୍ କାମ କରୁନଥିବାରୁ ମଲା ଚଣ୍ଡିଆ ଛକ ନିକଟରେ ପ୍ରତିଦିନ ଦୁର୍ଘଟଣା ଘଟୁଛି । ଦେଢ଼ ମାସ ମଧ୍ୟରେ ଉକ୍ତ ଅଞ୍ଚଳରେ ୩ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ସହର ମଧ୍ୟରେ ଟ୍ରାଫିକ୍ ପରିଚାଳନା ପାଇଁ ଦେଢ଼ ଶହ କନ୍ଷ୍ଟେବଲ୍, ୩୦ରୁ ଅଧିକ ହୋମଗାର୍ଡ ଓ ପ୍ରାୟ ୨୦ ଜଣ ଓଏପିଏଫ୍ କର୍ମଚାରୀ ନିୟୋଜିତ ଅଛନ୍ତି । ବାଦାମବାଡ଼ି, ସତୀଚଉରା, ବେଲିଭ୍ୟୁ ଛକ, ଚଣ୍ଡିଛକ, ଯୋବ୍ରା ଆନିକଟ ଛକ ଓ ମାତାମଠ ଛକ ନିକଟରେ ଟ୍ରାଫିକ୍ ପରିଚାଳନାରେ ନିୟୋଜିତ କନ୍ଷ୍ଟେବଲମାନେ ଟ୍ରାଫିକ୍ ପରିଚାଳନାକୁ ଗୁରୁତ୍ୱ ନଦେଇ ଗାଡ଼ି ପଛରୁ ମୋବାଇଲ୍ରେ ଫଟୋ ଉଠାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି ।