ନୂଆଦିଲ୍ଲୀ,୧୯/୦୧: ଅନ୍ଧାର ରାତିରେ ଟ୍ରାକ୍‌ରେ ଗଡୁଥିଲା ଟ୍ରେନ୍ । ନିଜ ନିଜ ଗନ୍ତବ୍ୟସ୍ତଳକୁ ଯିବାକୁ ସମସ୍ତେ ଅପେକ୍ଷା କରିଥିଲେ । ହେଲେ କିଏ ଜାଣିଥିଲା ତାଙ୍କୁ ବାଟରେ ଯମ ଯଗି ବସିଛି । ଆଖି ପିଛୁଳାକେ ସବୁ କିଛି ଛାରଖାର ହୋଇଗଲା । ରକ୍ତରେ ଭିଜିଗଲା ଟ୍ରାକ । ଆର୍ତ୍ତଚିତ୍କାରରେ ଫାଟି ପଡିଲା ଅଞ୍ଚଳ । ଦକ୍ଷିଣ ସ୍ପେନରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । କର୍ଡୋବା ପ୍ରଦେଶରେ ଦୁଇଟି ଦ୍ରୁତଗାମୀ ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଅତିକମରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଗୁରୁତର ଆହତ ହୋଇଛନ୍ତି । ଆସୋସିଏଟେଡ୍ ପ୍ରେସ୍ ଅନୁଯାୟୀ, ଏହା ସ୍ପେନର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣା ମଧ୍ୟରୁ ଗୋଟିଏ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଏହି ଦୁର୍ଘଟଣା ୨୦୨୩ରେ ହୋଇଥିବା ବାହାନଗା ଟ୍ରେନ୍ ଟ୍ରାଜେଡିକୁ ମନେ ପକାଇ ଦେଇଛି । କାରଣ ଠିକ୍ ସେହିପରି ଗୋଟିଏ ଲାଇନଚ୍ୟୁତ ହୋଇଥିବା ଟ୍ରେନ୍ ସହ ଆଉ ଏକ ଟ୍ରେନ ପିଟି ହୋଇଛି ।

ସ୍ପେନ ରେଳ ଏଜେନ୍ସି, ADIF ଅନୁଯାୟୀ, ଦୁର୍ଘଟଣାଟି କର୍ଡୋବାର ଆଡାମୁଜ୍ ଷ୍ଟେସନ ନିକଟରେ ସନ୍ଧ୍ୟା ପ୍ରାୟ ୫ଟା ୪୦ମିନିଟରେ ଘଟିଥିଲା । ପ୍ରାରମ୍ଭିକ ସୂଚନା ଅନୁଯାୟୀ ମାଲାଗାରୁ ମାଡ୍ରିଡ୍ ଯାଉଥିବା ଇରିଓ 6189 ହାଇ-ସ୍ପିଡ୍ ଟ୍ରେନ୍ ହଠାତ୍ ଲାଇନଚ୍ୟୁତ ହୋଇ ନିକଟସ୍ଥ ଏକ ଟ୍ରାକରେ ଓଲଟି ପଡ଼ିଥିଲା । ଏହି ସମୟରେ ମାଡ୍ରିଡ୍‌ରୁ ହୁଏଲଭା ଯାଉଥିବା ଏକ ସାମ୍ନାପଟୁ ଟ୍ରେନ୍ ସହିତ ଧକ୍କା ହୋଇଥିଲା । ଧକ୍କା ପରେ ଉଭୟ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା । ଅନେକ କୋଚ୍ ଟ୍ରାକ୍‌ରୁ ଖସି ପଡିଥିଲା ।  କିଛି ବଗି ବଗି ଉପରେ ଚଢି ଯାଇଥିଲା । ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ  ବଡ଼ ଉଦ୍ଧାର ଯନ୍ତ୍ରପାତି ବ୍ୟବହାର ହେଉଥିବାରୁ ଦୁର୍ଘଟଣାର ଗମ୍ଭୀରତା ସ୍ପଷ୍ଟ ହୋଇଛି । ଦୁର୍ଘଟଣା ପରେ, ମାଡ୍ରିଡ୍ ଏବଂ ଆଣ୍ଡାଲୁସିଆ ମଧ୍ୟରେ ହାଇ-ସ୍ପିଡ୍ ରେଳ ସେବାକୁ ତୁରନ୍ତ ପ୍ରଭାବରୁ ବନ୍ଦ କରିଦିଆଯାଇଛି । ଦୁର୍ଘଟଣାକୁ ସ୍ପେନ୍ ରାଜା ଫେଲିପ୍ ଷଷ୍ଠ ଏବଂ ରାଣୀ ଲେଟିଜିଆ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । 

​​​​​​​​​​​​​​

ଏହା ବି ପଢନ୍ତୁ...ଝାଡଖଣ୍ଡ ଲାତେହାରରେ ବିବାହ ସମାରୋହରୁ ଫେରୁଥିବା ବସ୍ ଓଲଟିଲା,୫ ମୃତ ଏବଂ ୨୫ ଆହତ

​​​​​​​କହି ରଖୁଛୁ କି, କିଛି ଦିନ ତଳେ ଥାଇଲାଣ୍ଡରେ ଏକ ଭୀଷଣ ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ଯାତ୍ରୀବାହୀ ଟ୍ରେନ୍ ଉପରେ ବିରାଟ କ୍ରେନ୍ ଖସି ପଡିଥିଲା । ଏଥିରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଶତାଧିକ ଆହତ ହୋଇଥିଲେ । କିଛି ଦିନ ବ୍ୟବଧାନରେ ସ୍ପେନରେ ଏହି ଭୀଷଣ ଟ୍ରେନ୍ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି ।