ନୂଆଦିଲ୍ଲୀ : ଚୀନ୍ର ଦକ୍ଷିଣ-ପଶ୍ଚିମ ପ୍ରାନ୍ତରେ ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ରେଳ ଟ୍ରାକରେ କାମ କରୁଥିବା ୧୧ ଜଣ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଏବଂ ଦୁଇଜଣ ଆହତ ହୋଇଛନ୍ତି। ଏମାନେ ଏହି ସମୟରେ ରେଳ ଟ୍ରାକରେ କାମ କରୁଥିଲେ । ଏହି ଘଟଣା ଗୁରୁବାର ସକାଳେ ୟୁନାନ ପ୍ରଦେଶର ରାଜଧାନୀ କୁନମିଂର ଲୁଓୟାଙ୍ଗଜେଙ୍ଗ ଷ୍ଟେସନରେ ଘଟିଛି।
ଦୁର୍ଘଟଣା କିପରି ଘଟିଲା ?
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଟ୍ରେନଟି ଭୂକମ୍ପ ଉପକରଣର ପରୀକ୍ଷଣ ସମୟରେ ଟ୍ରାକ ଦେଇ ଯାଉଥିଲା । ଏହି ସମୟରେ ଏହା ଓଲଟି ପଡି ଶ୍ରମିକ ମାନଙ୍କ ଉପରେ ଆଘାତ କରିଥିଲା। ଦୁର୍ଘଟଣାର ଶକ୍ତି ଏତେ ଥିଲା ଯେ, ଅନେକ ଶ୍ରମିକ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ।
ଉଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ ହୋଇଛି…
ଦୁର୍ଘଟଣା ପରେ, ରେଳ ପ୍ରଶାସନ ତୁରନ୍ତ ଜରୁରୀକାଳୀନ ବ୍ୟବସ୍ଥାକୁ ସକ୍ରିୟ କରିଛି। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଅଧିକାରୀଙ୍କ ଅନୁଯାୟୀ, ଆହତ ଶ୍ରମିକ ମାନଙ୍କୁ ଚିକିତ୍ସା କରାଯାଉଛି ଏବଂ ସେମାନଙ୍କ ଅବସ୍ଥା ଉପରେ ନଜର ରଖାଯାଇଛି ।
ସ୍ଥାନୀୟ ସରକାରୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବା ପାଇଁ ଏକ ବିସ୍ତୃତ ତଦନ୍ତ ଆରମ୍ଭ କରାଯାଇ ଛି। ଏହା ମାନବ ତ୍ରୁଟି ଯୋଗୁଁ ନା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରିପୋର୍ଟ ଅନୁସାରେ, ଷ୍ଟେସନରେ ଟ୍ରେନ ଚଳାଚଳ ଏବେ ସ୍ୱାଭାବିକ ହୋଇଛି, ଏବଂ ସେବା ପୁଣି ସୁରୁଖୁରୁରେ ଚାଲିଛି।