ନୂଆଦିଲ୍ଲୀ, ୧୧।୬: ରେଲୱେ ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ଏବେ ଆଉ ୪ ଘଣ୍ଟା ନୁହଁ, ଯାତ୍ରୀମାନଙ୍କୁ ଯାତ୍ରା ଆରମ୍ଭର ୨୪ ଘଣ୍ଟା ପୂର୍ବରୁ ସିଟ୍ କନଫର୍ମେସନର ଅପଡେଟ୍ ମିଳିଯିବ । ରେଲୱେ ଏଭଳି ଏକ ଯୋଜନା ଉପରେ କାର୍ଯ୍ୟ କରୁଛି, ଯେଉଁଥିରେ ଭାରତୀୟ ରେଳବାଇ ଟ୍ରେନ୍ ଗସ୍ତ ହେବାର ୨୪ ଘଣ୍ଟା ପୂର୍ବରୁ କନଫର୍ମ ସିଟ୍ଗୁଡ଼ିକ ଜାରି କରିବ । ବର୍ତ୍ତମାନ ୱେଟିଂ ଟିକେଟର ଯାତ୍ରୀମାନେ ଖାସ୍ କରି ଦୂର-ଦୂରାନ୍ତରରୁ ଟ୍ରେନ୍ ସିଟ୍ କନଫର୍ମ ପାଇଁ ଅପେକ୍ଷା କରିଥିବା ଯାତ୍ରୀଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିଲା । ୨୪ ଘଣ୍ଟା ପୂର୍ବରୁ ସିଟ୍ କନଫର୍ମେସନର ଅପଡେଟ୍ ମିଳିବା ପରେ ସେମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିବ ।
ରେଲୱେର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୨୪ ଘଣ୍ଟା ପୂର୍ବରୁ ସିଟ୍ କନଫର୍ମେସନର ଅପଡେଟ୍ ଦେବା ଲାଗି ୬ ଜୁନରୁ ରାଜସ୍ଥାନର ବୀକାନେର ଡିଭିଜନରେ ଏକ ପାଇଲଟ ପ୍ରୋଜେକ୍ଟ ରନ କରାଯାଇଛି । ଏପର୍ଯ୍ୟନ୍ତ ଏଥିରେ କୌଣସି ସମସ୍ୟା ଦେଖାଯାଇନାହିଁ । ଯେକୌଣସି ସମସ୍ୟାର ଚିହ୍ନଟ କରିବା ଏବଂ ତାକୁ ଠିକ୍ କରିବା ଲାଗି ଆଉ କିଛି ସପ୍ତାହ ପର୍ଯ୍ୟନ୍ତ ଏହି ପାଇଲଟର ରନକୁ ଚଳାଇବୁ । ଏହା ପରେ ଟ୍ରେନ୍ ଚାଲିବାର ୨୪ ଘଣ୍ଟା ପୂର୍ବରୁ ଯାତ୍ରୀଙ୍କୁ ସିଟ୍ କନଫର୍ମେସନର ଅପଡେଟ୍ ମିଳିପାରିବ ।