ଆମ ଭିତରେ ରହି ଆମକୁ ପଛରୁ ଛୁରି ମାରିଛନ୍ତି । ଭଗତ ସିଂ ଦେଶ ପାଇଁ ଫାଶୀରେ ଚଢ଼ିଥିଲେ । ତାଙ୍କ ବୟସର କିଛି ଭାରତୀୟ ଯୁବକ ପାକିସ୍ତାନର ଗୁପ୍ତଚର ସାଜି ଧରା ପଡ଼ିଛନ୍ତି । ସାରା ଭାରତ ଏ ଦେଶଦ୍ରୋହୀଙ୍କୁ ନିନ୍ଦା କରୁଛି । ଏ ମୀର୍ଜାଫର ଓ ଜୟଚନ୍ଦ୍ରମାନଙ୍କୁ କି ଦଣ୍ଡ ମିଳିବ?
ଅର୍ଥ ଲୋଭ ଯେଉଁଠି, ଅନର୍ଥ ସେଇଠି । ଜନ୍ମ ଭାରତରେ । ମନ ପାକିସ୍ତାନରେ । ଭାରତର ୟୁଟ୍ୟୁବର, ପାକିସ୍ତାନର ଗୁପ୍ତଚର । ଦେଶରେ ରହି ଦେଶ ସହ ବେଇମାନି । ଭାରତ ମାଟିରେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି । ଅପରେସନ ସିନ୍ଦୂର ପରେ ଏମିତି କିଛି ଦେଶଦ୍ରୋହୀଙ୍କ ଚେହେରା ପଦାକୁ ଆସିଛି । ପାକିସ୍ତାନକୁ ଭାରତ ସଂପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଉଥିବା ୧୧ ଜଣ ୟୁଟ୍ୟୁବର ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର୍ ଗିରଫ ହୋଇଛନ୍ତି । ଏ ସୁପାରୀ ୟୁଟ୍ୟୁବର୍ମାନେ ଟଙ୍କା ଲୋଭରେ ଦେଶ ସହ ବିଶ୍ୱାସଘାତକତା କରିଛନ୍ତି । ନିଜ ଜନ୍ମମାଟି ସହ କରିଛନ୍ତି ବେଇମାନୀ । ଯେଉଁ ବୟସରେ ଭଗତ ସିଂ ଦେଶ ପାଇଁ ଫାଶୀରେ ଚଢ଼ିଥିଲେ, ସେ ବୟସରେ କିଛି ଭାରତୀୟ ଯୁବକ ପାକିସ୍ତାନର ଗୁପ୍ତଚର ସାଜିଛନ୍ତି । ଦେଶ ପାଇଁ ବଡ଼ ବିପଦ ଛିଡ଼ା କରାଇଥିବା ଏ ଚରିତ୍ରମାନେ ଏବେ ପାଲଟିଛନ୍ତି ବଡ଼ ଖବର । ସାରା ଦେଶ ଏ ଦେଶଦ୍ରୋହୀଙ୍କୁ ନିନ୍ଦା କରୁଛି ।
ଅପରେସନ ସିନ୍ଦୂରର ସଫଳତା ପରେ ସାରା ଭାରତ ପରାକ୍ରମ ଉତ୍ସବ ପାଳନ କରୁଥିଲା ବେଳେ ଛଦ୍ମବେଶୀ ଚେହେରା ଧରା ପଡ଼ିଲେ । ଭାରତ-ପାକିସ୍ତାନ ମୁକାବିଲା ସମୟରେ ଭାରତର ଭିନ୍ନତାରେ ଏକତାକୁ ସାରା ବିଶ୍ୱ ଭୁରି ଭୁରି ପ୍ରଶଂସା କଲା । ଗୋଟିଏ ଦେଶରେ ଭିନ୍ନ ଭିନ୍ନ ସଂପ୍ରଦାୟ ବାସ କରୁଥିଲେ ମଧ୍ୟ ଦେଶବାସୀ ଏକଜୁଟ୍ ହୋଇ କିଭଳି ସରକାରଙ୍କ ପଛରେ କାନ୍ଥ ଭଳି ଛିଡ଼ା ହୁଏ ତା’ର ଉଦାହରଣ ସାଜିଲା ଭାରତ । ହେଲେ ଏ ଖୁସି, ଆନନ୍ଦ, ଉତ୍ସବ ପାଳନ ବେଳେ ପାକିସ୍ତାନର ଏଜେଣ୍ଟ ଏ ସୁପାରି ୟୁଟ୍ୟୁବର, ସୁରକ୍ଷା କର୍ମଚାରୀଙ୍କ ବେଇମାନୀ ଦେଶବାସୀଙ୍କୁ କରିଛି ସ୍ତବ୍ଧ । ମା’ ମାଟି ପାଇଁ ଆମ ବୀର ଯବାନ ହସି ହସି ପ୍ରାଣ ହାରୁଛନ୍ତି । ତାଙ୍କର ଅମର ବଳିଦାନକୁ ଦେଶ ସାଲ୍ୟୁଟ କରୁଛି । ଆମ ବୀର ସହିଦଙ୍କ ପାଇଁ ଲୁହ ଗଡ଼ାଉଛି କାଶ୍ମୀରରୁ କନ୍ୟାକୁମାରୀ । ହେଲେ ଟଙ୍କା ଲୋଭରେ ଆମ ଯୁବପିଢ଼ି ପାକିସ୍ତାନର ଗୁପ୍ତଚର ସାଜିବା ମୁଣ୍ଡ ନୁଆଁଇ ଦେଉଛି । ଦେଶ ଭିତରେ ଥିବା ଏ ମୀର୍ଜାଫର ଓ ଜୟଚନ୍ଦ୍ରମାନଙ୍କୁ ଆମେ କ’ଣ କହିବା?
ଭାରତର ଆତ୍ମାକୁ ଆଘାତ
ମନେ ପଡ଼ୁଛି ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ କଥା । ଭାରତ ଆଗକୁ ଅଢ଼େଇ ମୋର୍ଚ୍ଚା ସହ ଲଢ଼ିବ । ପ୍ରଥମ ମୋର୍ଚ୍ଚା ପାକିସ୍ତାନ, ଦ୍ୱିତୀୟ ଚୀନ୍ । ଅନ୍ୟଟି ହେଲା ସବୁଠୁ ଭୟଙ୍କର । ଦେଶ ଭିତରେ ରହି ଦେଶ ସହ ବେଇମାନୀ ଓ ବିଶ୍ୱାସଘାତକତା କରୁଥିବା କିଛି ବ୍ୟକ୍ତି । ସ୍ୱର୍ଗତ ରାୱତଙ୍କ ଏ ଭବିଷ୍ୟବାଣୀ ଆଜି ୫ ବର୍ଷ ପରେ ସତ ହୋଇଛି । ପାକିସ୍ତାନୀ ଆଇଏସ୍ଆଇର ଗୁପ୍ତଚର ସାଜିଥିବା ସିଣ୍ଡିକେଟ୍ ଧରା ପଡ଼ିଛନ୍ତି । ବିଳାସମୟ ଜୀବନ ପାଇଁ ଦେଶ ସହ ବେଇମାନୀ । ଟଙ୍କା ଲୋଭରେ ନିଜ ମାଆ, ମାଟି ଏବଂ ଦେଶକୁ ଶତ୍ରୁ ହାତରେ ଏମାନେ ଟେକିଛନ୍ତି । ଆମ ସେନା ଓ ଦେଶର ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ତଥ୍ୟ ଶତ୍ରୁ ଦେଶକୁ ଦେଇଛନ୍ତି । ଆମ ଭିତରେ ରହି ଏମାନେ ଆମକୁ ପଛରୁ ଛୁରି ମାରିଛନ୍ତି । ହରିଆନା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କଠାରୁ ଆରମ୍ଭ କରି ୧୧ ଗୁପ୍ତଚର ବନ୍ଧା ହୋଇଛନ୍ତି । ଏମାନେ ଭାରତ ମାଆର ଆତ୍ମା ସହ ଖେଳିଛନ୍ତି । ଦେଶପ୍ରେମୀ କୋଟି କୋଟି ଭାରତୀୟଙ୍କୁ ଏହା କମ୍ ଦୁଃଖ ଦେଇନି ।
ବିଡ଼ମ୍ବନା, ପରିଚୟ ଭାରତୀୟ କିନ୍ତୁ ପାକିସ୍ତାନ ପାଇଁ କରୁଥିଲେ ଗୁଇନ୍ଦାଗିରି । ମୋଟା ଅଙ୍କର ଅର୍ଥ ନେଇ ଦେଶଦ୍ରୋହ କାମ କରୁଥିଲେ । ଉଚ୍ଚଶିକ୍ଷିତ, ଭଲ ପରିବାର, ସମାଜରେ ପ୍ରତିଷ୍ଠିତ ପରିଚୟ ସହ ବଞ୍ଚୁଥିଲେ କିନ୍ତୁ ନିଜ ମାନବିକତାକୁ ମାରି ପାକିସ୍ତାନ ପାଇଁ କାମ କରୁଥିଲେ। ଶତ୍ରୁ ଦେଶ ପାଇଁ ଗୁଇନ୍ଦାଗିରି କରୁଥିବା ଗୁପ୍ତଚରଙ୍କ ତାଲିକା ବଢି଼ବାରେ ଲାଗିଛି । ଗୁପ୍ତଚରଙ୍କ ଚେର କେଉଁଯାଏ ଲମ୍ବିଛି ତାହା ଜାଣିବାକୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ତଦନ୍ତ ଆରମ୍ଭ କରିଛି ।
ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଏହି ବେଇମାନଙ୍କ ଭିତରେ ଖାଲି ୟୁଟ୍ୟୁବର ନୁହଁନ୍ତି ଛାତ୍ର, ସିକ୍ୟୁରିଟି ଗାର୍ଡ, ଆପ୍ ଡେଭଲପର୍ ମଧ୍ୟ ଅଛନ୍ତି । ପାକିସ୍ତାନର ଭାରତ ବିରୋଧୀ ଅଭିଯାନରେ ଏମାନେ ସାଜିଥିଲେ ବଡ଼ ଅସ୍ତ୍ର । ପଞ୍ଜାବ, ହରିଆନା, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ଏଯାଏଁ ୧୩ ଜଣ ଗିରଫ ହୋଇଛନ୍ତି । ଜ୍ୟୋତିଙ୍କ ସହ ସଂପର୍କରେ ଥିବା ପୁରୀର ପ୍ରିୟଙ୍କା ସେନାପତି ମଧ୍ୟ ସନ୍ଦେହର ସ୍କାନରରେ । ତାଙ୍କୁ ମଧ୍ୟ ମାରାଥନ ପଚରାଉଚରା କରିଛି ପୁଲିସ୍ ।
ପାକିସ୍ତାନର ହାତବାରିସୀ
ନିଜ ମା’ ମାଟି ବିଶ୍ୱାସରେ ବିଷ ଦେଇଥିବା ଏ ମୀରଜାଫରମାନେ ପାକିସ୍ତାନ ସହ କେମିତି ସଂପର୍କରେ ଥିଲେ? ଏମାନଙ୍କର କାମ କ’ଣ ଥିଲା? ଜ୍ୟୋତିଙ୍କୁ ଜେରା ପରେ ଏନଆଇଏ ବହୁ ରହସ୍ୟ ଜାଣିବାକୁ ପାଇଛି । ସାମାଜିକ ଗଣମାଧ୍ୟମ ଜରିଆରେ ଆମ ଦେଶରେ ବିଶୃଙ୍ଖଳା ଓ ଅପପ୍ରଚାରର ଧାରା ଚାଲୁ ରଖିବାକୁ ଯୋଜନା କରିଥିଲା ପାକିସ୍ତାନ ଇଣ୍ଟେଲିଜେନସ୍ ଅପରେଟିଭ୍ (ପିଆଇଓ) । ଏଥିପାଇଁ ଗୁପ୍ତଚର ନେଟୱର୍କ ବଢ଼ାଉଥିଲା । ଜ୍ୟୋତିଙ୍କ ଭଳି କିଛି ଯୁବକ ଯୁବତୀ ବିଳାସମୟ ଜୀବନର ଲୋଭରେ ଏ ନେଟୱର୍କରେ ସାମିଲ ହେଉଥିଲେ । ଆମ ସେନାର ଗତିବିଧି, ସାମରିକ ଘାଟି, ଦେଶର ଗୁରୁତ୍ୱପୂର୍ଣ୍ଣ ସ୍ଥାନର ଫଟୋଚିତ୍ର, ଭିଡିଓ ସହ ସୂଚନା ମଧ୍ୟ ଦେଉଥିଲେ । ମାଧ୍ୟମ ଥିଲା ହ୍ୱାଟସଆପ୍, ସ୍ନାପଚାଟ ଅବା ଟେଲିଗ୍ରାମ୍ ।
ଏପରିକି ପିଆଇଓ ଆମ ଦେଶର ଯୁପିଢ଼ିଙ୍କ ସୋସିଆଲ ମିଡିଆ ପ୍ରୋଫାଇଲିଂ ମଧ୍ୟ କରୁଛି । କେଉଁ ଭାରତୀୟ ୟୁଟ୍ୟୁବର, ସୋସିଆଲ ମିଡିଆ ଇନଫ୍ଲୁଏନ୍ସର୍ଙ୍କ ଆବଶ୍ୟକତା କ’ଣ ଏବଂ ତାଙ୍କୁ ଜାଲରେ ପକାଇ କିଭଳି ଭାରତରୁ ଗୁପ୍ତ ତଥ୍ୟ ହାସଲ କରିହେବ ତା’ର ଯୋଜନା କରୁଥିଲା । ରାତାରାତି ସଫଳତାର ସିଡ଼ି ଚଢ଼ିବାକୁ ଉଦ୍ବିଗ୍ନ ଜ୍ୟୋତିଙ୍କ ଭଳି ସ୍ୱପ୍ନାଭିଳାଷୀ ପାଲଟିଥିଲେ ପାକିସ୍ତାନର ହାତବାରିସୀ । ଗୁପ୍ତଚର ନେଟ୍ୱର୍କ ବିଛାଇବାରେ ଏଜେଣ୍ଟ ସାଜି ଦେଶର ଗୁପ୍ତ ତଥ୍ୟ ପାକିସ୍ତାନକୁ ଦେଉଥିଲେ । ଜାତୀୟ ସୁରକ୍ଷାକୁ ବଳି ପକାଉଥିଲେ । ଆଇଏସ୍ଆଇ ପାଇଁ ଏ ଗୁପ୍ତ ସୂଚନା ଥିଲା ଅମୂଲ ମୂଲ । ଜ୍ୟୋତିଙ୍କ ଗିରଫଦାରିକୁ ପାକିସ୍ତାନ ୟୁଟ୍ୟୁବରମାନେ କରୁଛନ୍ତି ଜୋରଦାର ବିରୋଧ ।
ଗିରଫ ହୋଇଥିବା ଦେଶଦ୍ରୋହୀଙ୍କ ପାଇଁ କ’ଣ ହେବ ଦଣ୍ଡବିଧାନ? ଭାରତୀୟ ନ୍ୟାୟ ସଂହିତା ଧାରା ୧୫୨ ଅନୁଯାୟୀ ଦେଶଦ୍ରୋହ ଓ ଦେଶ ବିରୋଧୀ କାର୍ଯ୍ୟ କିମ୍ବା ଭାରତର ଅଖଣ୍ଡତା ଏବଂ ସୁରକ୍ଷାକୁ ବିପଦରେ ପକାଇ ଦୋଷୀ ସାବ୍ୟସ୍ତ ହେଲେ ଆଜୀବନ କାରାବାସ କିମ୍ବା ମୃତ୍ୟୁଦଣ୍ଡ ମିଳିବ । ଗୁପ୍ତଚର ସାଜି ଭାରତ ବିରୋଧରେ ଷଡ଼ଯନ୍ତ୍ର ଅପରାଧରେ ସମ୍ପୃକ୍ତ ଥିଲେ ଆଜୀବନ କାରାଦଣ୍ଡ କିମ୍ବା ୭ ବର୍ଷ ଜେଲଦଣ୍ଡ ସହ ଜରିମାନା ମଧ୍ୟ ଲାଗିପାରେ । ଅଫିସିଆଲ ସିକ୍ରେଟ୍ସ ଆକ୍ଟ କହୁଛି, ସୈନ୍ୟ ସମ୍ପର୍କିତ ଗୁପ୍ତ ସୂଚନା ବିଦେଶୀ ଏଜେଣ୍ଟଙ୍କୁ ଦେଲେ ୧୪ ବର୍ଷ ଜେଲଦଣ୍ଡ, ଗୋପନୀୟ ତଥ୍ୟ ଅନଧିକୃତ ଭାବେ ହାସଲ କରି ଏହାର ଦୂରୁପଯୋଗ କରି ଦୋଷୀ ସାବ୍ୟସ୍ତ ହେଲେ ୩ ବର୍ଷ ଯାଏଁ ଜେଲଦଣ୍ଡର ନିୟମ ରହିଛି । ଦେଶ ଭିତରୁ ଧରା ପଡ଼ିଥିବା ସୁପାରୀ ଗୁପ୍ତଚରଙ୍କୁ କି ଦଣ୍ଡ ମିଳିବ ତାହାର ଉତ୍ତର ସମୟ ହିଁ ଦେବ ।
ଦେଶପ୍ରେମରେ ଦାୟ
ଅପରେସନ ସିନ୍ଦୂର ବେଳେ ପାକିସ୍ତାନ ଦେଖିଲା ଗୃହଯୁଦ୍ଧର ନିଆଁ । ଭାରତ କିନ୍ତୁ ପୂରା ଏକଜୁଟ୍ ହୋଇ ସେନା ପଛରେ କାନ୍ଥ ଭଳି ଛିଡ଼ା ହେଲା । ସାରା ବିଶ୍ୱ ଦେଖିଲା ଭାରତୀୟ ଏକତାର ସ୍ପର୍ଦ୍ଧିତ ଜୟଯାତ୍ରା । ଆମ ସେନାର ପରାକ୍ରମକୁ ନେଇ ଆମେ ହେଲୁ ଗର୍ବିତ । ଦିନ କେଇଟା ପରେ ଦେଶ ଭିତରର ଏ ଶତ୍ରୁମାନଙ୍କ ବେଇମାନୀ ଧନ୍ଦା ଦେଶବାସୀଙ୍କୁ ବିଚଳିତ କରିଛି । ଆପଣଙ୍କର ମନେଥିବ ମାଧୁରୀ ଗୁପ୍ତାଙ୍କ ନାଁ । ଭାରତୀୟ ଦୂତାବାସରେ କାମ କରୁଥିବା ସମୟରେ ଏ କୂଟନୀତିଜ୍ଞ ସାଜିଥିଲେ ଆଇଏସ୍ଆଇ ଏଜେଣ୍ଟ । କିଛି ବର୍ଷର ବ୍ୟବଧାନ ପରେ ପୁଣି ଦେଶଦ୍ରୋହୀଙ୍କ କଳାଚିଠା ପଦାକୁ ଆସିଛି । ପହଲଗାମ ଆତଙ୍କବାଦୀ ନରସଂହାର ଓ ଅପରେସନ ସିନ୍ଦୂର ଭଳି ଘଟଣା ସମୟରେ ଭାରତୀୟମାନେ ଦେଶପ୍ରେମର ଜୟଗୀତି ଗାଇଲେ । ଏବେ କିଛି ଦେଶଦ୍ରୋହୀଙ୍କ ବିଶ୍ୱାସଘାତକତା ତ ନିଶ୍ଚୟ ଆଘାତ ଦେଇଛି । ହେଲେ ଆତଙ୍କବାଦୀଙ୍କୁ ପୋଷୁଥିବା ପାକିସ୍ତାନ ଭାରତରେ ସାଂପ୍ରଦାୟିକତା, ଦଙ୍ଗା, ବିଦ୍ୱେଷର ମଞ୍ଜି ବୁଣିବାକୁ ଯେତେ ଉଦ୍ୟମ କଲେ ମଧ୍ୟ ଫଳ ହେବ ଶୂନ । ଭାରତୀୟଙ୍କ ଦେଶପ୍ରେମ ଓ ବଳିଦାନ ଆଗରେ ସବୁ ଯୋଜନା ହାର୍ ମାନିବ । ସମୟ ଆସିଛି । ଆମକୁ ସତର୍କ ହେବାକୁ ପଡ଼ିବ । ଆମ ଭିତରେ ଥିବା ଛଦ୍ମବେଶୀମାନଙ୍କୁ ଖୋଜି ବାହାର କରିବାକୁ ହେବ । ଦେଶର ସୁରକ୍ଷା ପାଇଁ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସଂପର୍କରେ ଜାଣିଲେ ନିଶ୍ଚୟ ସୂଚନା ଦେବା । ହଁ..ସୀମାନ୍ତରେ ଆମ ବୀର ସେନା ଦେଶକୁ ଜଗିଛି, ଆମେ କିନ୍ତୁ ଆମ ଚାରିପାଖେ ଥିବା ଗୃହ ଶତ୍ରୁଙ୍କୁ ଜଗିବା ।