ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି, ଯାହାକି ସାରାଦେଶରେ ଏବେ ଆଲୋଡନ ସୃଷ୍ଟି କରିଛି। ଏଠାରେ ୨୪ ଜଣ କିନ୍ନର ଏକା ସଙ୍ଗେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବୁଧବାର ସନ୍ଧ୍ୟାରେ ସହରର ନନ୍ଦଲାଲପୁରା ଅଞ୍ଚଳରେ ଏହି ଘଟଣା ଘଟିଛି । କୁହାଯାଉଛି କି, ଏକକାଳୀନ ଚବିଶ ଜଣ ଟ୍ରାନ୍ସଜେଣ୍ଡର ଫିନାଇଲ୍ ପିଇଥିଲେ, ଯେତେବେଳେ କି ୪ ଜଣ କିନ୍ନର MY ହସ୍ପିଟାଲ ବାହାରେ ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି ଏବଂ ବୋତଲ ଗୁଡ଼ିକୁ ଜବତ କରିଛି । ବର୍ତ୍ତମାନ, ଫିନାଇଲ୍ ପିଇଥିବା ସମସ୍ତ କିନ୍ନରଙ୍କୁ MY ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତେ ବିପଦମୁକ୍ତ ଥିବା ଜଣାପଡ଼ିଛି।
ଘଟଣାକୁ ନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି, ପୀଡିତ ମାନେ ଫିନାଇଲ୍ ପିଇଥିଲେ । ତଥାପି କିନ୍ନର ମାନେ କାହିଁକି ଏପରି ପଦକ୍ଷେପ ନେଲେ ତାହା ସ୍ପଷ୍ଟ ନୁହେଁ। ସମସ୍ତ ରୋଗୀଙ୍କ ପାଇଁ ସର୍ବୋତ୍ତମ ସମ୍ଭାବ୍ୟ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସନ୍ଧ୍ୟାରେ ଏକ କିନ୍ନର ସମ୍ପ୍ରଦାୟ ଶିବିରରେ ଝଗଡ଼ା ହୋଇଥିବା ରିପୋର୍ଟ ମିଳିଥିଲା। ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।
କିଛି ଦିନ ପୂର୍ବେ, ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ ଅନ୍ନପୂର୍ଣ୍ଣା ପୋଲିସ ଷ୍ଟେସନ ଘେରାଉ କରାଯାଇଥିଲା। ଏହି ସମୟରେ,ନନ୍ଦଲାଲପୁରା ଅଞ୍ଚଳର ଜଣେ କିନ୍ନର ଦୁଇ ଗଣମାଧ୍ୟମ କର୍ମୀଙ୍କ ବିରୋଧରେ ବଳାତ୍କାର ଏବଂ ଧମକ ଅଭିଯୋଗ ଆଣି ମାମଲା ରୁଜୁ କରିଥିଲେ। ପୋଲିସ ଅନୁଯାୟୀ, ପୀଡିତା ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ପଙ୍କଜ ଜୈନ ଏବଂ ତାଙ୍କ ସହଯୋଗୀ ଅକ୍ଷୟ କୁମାଓଁ ତାଙ୍କ ଶିବିରକୁ ଆସି ତାଙ୍କ ସହିତ ଜୋରଜବରଦସ୍ତି ଯୌନ ସମ୍ପର୍କ ସ୍ଥାପନ କରିଥିଲେ। ଯେତେବେଳେ ସେ ମନା କଲେ, ସେମାନେ ସମ୍ପ୍ରଦାୟକୁ ବଦନାମ କରିବାକୁ ଏବଂ ଏନକାଉଣ୍ଟରରେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ।