ଭୁବନେଶ୍ୱର,୦୯/୦୯: ଖୁବ୍ଶୀଘ୍ର ରୋଗୀଙ୍କ ସେବାରେ ଲାଗିବ କ୍ୟାପିଟାଲ ହସ୍ପିଟାଲ- ପିଜିଆଇଏମ୍ଇଆର ‘ଟ୍ରମା କେୟାର ସେଣ୍ଟର’ । ଏନେଇ ପୂର୍ତ୍ତ ବିଭାଗ ସବୁଜ ସଙ୍କେତ ଦେଇଛି । ନିର୍ମାଣ ଦାୟିତ୍ୱରେ ଥିବା ଏଲ୍ ଆଣ୍ଡ ଟି ସଂସ୍ଥା ପୂର୍ତ୍ତ ବିଭାଗକୁ ଚିଠି ଲେଖି ଜଣାଇଛି । ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ଟ୍ରମା କେୟାର ପରିଚାଳନା ପାଇଁ ଆବଶ୍ୟକ ହେଉଥିବା ମାନବ ସମ୍ବଳ ଓ ଯନ୍ତ୍ରାଂଶ କିଣିବା କ୍ଷେତ୍ରରେ ପ୍ରକ୍ରିୟା ଆରମ୍ଭ କରିଛି ।
୨୦୨୨ରେ ହସ୍ପିଟାଲର ଆଶୁ ଚିକିତ୍ସା କେନ୍ଦ୍ର ସମ୍ମୁଖରେ ଲେବଲ-୧ ଟ୍ରମା କେୟାର ସେଣ୍ଟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିପାଇଁ ଆଶୁ ଚିକିତ୍ସା କେନ୍ଦ୍ର ସମ୍ମୁଖରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା । କେନ୍ଦ୍ର ପାଇଁ ମୋଟ ୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି କେନ୍ଦ୍ରଟି ୫ମହଲା ବିଶିଷ୍ଟ । ଏହି ଟ୍ରମା କେୟାର ସେଣ୍ଟରରେ ୨୦୦ ଶଯ୍ୟା ରହିବ । ଆଶୁ ଚିକିତ୍ସା (କାଜୁଆଲିଟି)ରୁ ରୋଗୀ ସଂଖ୍ୟା କମାଇବା ପାଇଁ ଟ୍ରମା କେୟାର ୟୁନିଟରେ ଅସ୍ଥିଶଲ୍ୟ,ସର୍ଜରୀ ବିଭାଗ ସହ ମଡ୍ୟୁଲାର ଓଟି, ପ୍ଲାଷ୍ଟିକ୍ ସର୍ଜରୀ, ନିଶ୍ଚେତକ ବିଭାଗ ଓ ବିଭିନ୍ନ ରୋଗୀ ୱାର୍ଡ ରହିଛି । ଏହା କାର୍ଯ୍ୟକ୍ଷମ ହେଲେ ବଡ଼ ଦୁର୍ଘଟଣା ହେଉ ବା ଆଘାତ ଜନିତ ଅତ୍ୟାଧୁନିକ ଚିକିତ୍ସା ମିଳିପାରିବ। ବର୍ତ୍ତମାନ ଏଠାରେ କେବଳ ଛୋଟ ଧରଣର ଆଘାତ ଜନିତ ଚିକିତ୍ସା କରାଯାଉଛି । ଗୁରତର ରୋଗୀଙ୍କୁ ବିଭିନ୍ନ କଟକ ଏସ୍ସିବି ବା ଏମ୍ସ ଭଳି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଉଛି। ପିଜିଆଇଏମ୍ଇଆର ପ୍ରଶାସନିକ ବିଲ୍ଡିଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ଓ ଛାତ୍ରାବାସ ଆଦି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ପାଇଁ ସଂସ୍ଥା ଚିଠି ଖେଲି ଜଣାଇଛି।