ଭୁବନେଶ୍ୱର,୧୦/୦୯ : ମାଆ ପାଇଁ ବୃକ୍ଷଟିଏ (ଏକ ପେଡ୍ ମା କେ ନାମ) । ଏହି ପ୍ରୟାସର ଅଂଶସ୍ୱରୂପ ଓଡ଼ିଶା ସରକାର । ଏନେଇ ଆସନ୍ତା ୧୭ ତାରିଖରେ ୭୫ ଲକ୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ମହତ ପ୍ରୟାସରେ ସହଭାଗୀ ହୋଇଛି କୃଷି ଓ କୃଷକ ସଶକ୍ତିକରଣ ବିଭାଗ । ସମସ୍ତ ଜିଲ୍ଲାରେ ଥିବା କୃଷି ବିଭାଗ କାର୍ଯ୍ୟାଳୟ, ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏବଂ ଅନ୍ୟାନ୍ୟ ଉପଲବ୍ଧ ସ୍ଥାନରେ ୨୩ ଲକ୍ଷରୁ ଅଧିକ ଚାରା ରୋପଣ ନେଇ ନିଷ୍ପତ୍ତି ନିଆଯାଇଛି ।
ସମସ୍ତ ଜିଲ୍ଲାର କୃଷି ବିଭାଗ ଅଧିକାରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଅତି କମ୍ରେ ଗୋଟିଏ ଲେଖାଏଁ ଚାରା ରୋପଣ ପାଇଁ କୃଷି ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପରାମର୍ଶ ଦେଇଛନ୍ତି । ସମସ୍ତ ୨୩ ଲକ୍ଷ ଚାରା ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ୱାରା ଯୋଗାଇ ଦିଆଯିବ। ଏଥି ସହିତ ଚାରା ରୋପଣର ଫଟୋ ଉଠାଇ ଏହାକୁ MeriLiFE ପୋର୍ଟାଲରେ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତୁ ସମସ୍ତଙ୍କ ମିଳିତ ପ୍ରୟାସରେ ପୃଥିବୀକୁ ପୁଣିଥରେ ସବୁଜିମା ଭେଟି ଦେବା ବୋଲି ଡ. ପାଢ଼ୀ କହିଛନ୍ତି ।