ଭୁବନେଶ୍ବର,୫/୨ : ଉଦଯାପିତ ହୋଇଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା ୨୦୨୬ । ଭୁବେନଶ୍ବରର ୟୁନିଟ-୧ସ୍ଥିତ ଆଦିବାସୀ ପଡ଼ିଆଠାରେ ଗତ ୧୧ଦିନ ଧରି ଚାଲିଥିବା ମେଳା ସଫଳତାର ସହ ଶେଷ ହୋଇଛି । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମେଳାର ସଫଳତା ବିଷୟରେ ସୂଚନା ଦେଇଛନ୍ତି । ଉଦଯାପନୀ ସମାରୋହରରେ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ବା.ପରମେଶ୍ବରନ୍, ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ପ୍ରେମଜିତ୍ ନାୟକ, ଅତିରିକ୍ତ ଶାସନ ସଚିବ ସୁରେନ୍ଦ୍ର କୁମାର ମୀନା, ବିତ୍ତ ପରାମର୍ଶଦାତା ବନିତା ଦାଶ, ସ୍ଵତନ୍ତ୍ର ଶାସନ ସଚିବ ସୁଜାତା ମିଶ୍ର, ଅତିରିକ୍ତ ଶାସନ ସଚିବ ଦେବେନ୍ଦ୍ର ନନ୍ଦ, SCSTRTI ନିର୍ଦ୍ଦେଶକ ତଥା ATLCମେମ୍ବର ସେକ୍ରେଟାରୀ ସୁଧାକର ଶବର ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ଚଳିତ ବର୍ଷ ଆଦିବାସୀ ମେଳାରେ ୧୦ଲକ୍ଷରୁ ଅଧିକ ଜନସମାଗମ ହୋଇଥିବାବେଳେ ୪ କୋଟି ୨୨ ଲକ୍ଷ ବ୍ୟବସାୟ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଭୋକାଲ୍ ଫର୍ ଲୋକାଲ୍ ସ୍ଲୋଗାନକୁ ଆଦିବାସୀ ମେଳା ପ୍ରତିଫଳିତ କରିଛି । ଏହି ମେଳା ଆମକୁ ମନେ ପକାଇଦେଇଛି ଯେ, ପ୍ରଗତିର ଅର୍ଥ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ବରଂ ସଂସ୍କୃତି, ପରିଚୟ ଓ ମାନବିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ମଧ୍ୟ ପ୍ରଗତିର ଅଭିନ୍ନ ଅଂଶ । ଏଥିସହ ଆଦିବାସୀ ସାମଗ୍ରୀ ଓ ଆଦିବାସୀ କୁଡ଼ିଆକୁ ବେଶ୍ ପ୍ରଶଂସା କରିଛନ୍ତି ମନ୍ତ୍ରୀ। ଆଦିବାସୀଙ୍କ ଭାଷା, ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ଓ ପ୍ରୋତ୍ସାହିତ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ରାଜ୍ୟରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଗଠନ କରାଯାଇଛି । ଜନଜାତି ଛାତ୍ରଛାତ୍ରୀଙ୍କ ନିମନ୍ତେ ଛାତ୍ରବୃତ୍ତି ବୃଦ୍ଧି, ଡ୍ରପଆଉଟ୍ ହାର ହ୍ରାସ କରିବା ନିମନ୍ତେ ପ୍ରୋତ୍ସାହନ ରାଶି ଏବଂ ପି.ଏମ ଜନମନ, ଜନଜାତୀୟ ଗ୍ରାମ୍ୟ ଉତ୍କର୍ଷ ଅଭିଯାନ, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ, ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ, ପ୍ରଧାନମନ୍ତ୍ରୀ ପିଭିଟିଜି ବିକାଶ ମିଶନର ପ୍ରଗତି ସମ୍ପର୍କରେ ମତ ପ୍ରକାଶ କରି କହିଛନ୍ତି, ବାସଗୃହ, ସଂଯୋଗୀକରଣ, ସ୍ବାସ୍ଥ୍ୟ, ଶିକ୍ଷା, ବିଦ୍ୟୁତିକରଣ ଏବଂ ଆର୍ଥିକ ବିକାଶକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି । କେନ୍ଦ୍ର ସରକାରଙ୍କ ମିଳିତ ପ୍ରୟାସରେ ରାଜ୍ୟ ଆଦିବାସୀ କଲ୍ୟାଣ ନିମନ୍ତେ ନିରନ୍ତର ପ୍ରୟାସ ଜାରି ରଖିଛି ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ଏଥିସହ ମନ୍ତ୍ରୀ ଆଦିବାସୀ ମେଳାର ସଫଳ ଆୟୋଜନ ନିମନ୍ତେ ବିଭାଗର ସମସ୍ତ ଅଧିକାରୀଙ୍କ ପ୍ରଶଂସା କରିଛନ୍ତି । ଆୟୁକ୍ତ ତଥା ଶାସନ ସଚିବ ବା.ପରମେଶ୍ବରନଙ୍କ ନେତୃତ୍ବରେ ATLC ମେମ୍ବର ସେକ୍ରେଟାରୀ ସୁଧାକର ଶବର ଏବଂ ବିଭାଗୀୟ ସମସ୍ତ ଅଧିକାରୀ, କର୍ମକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମରେ ରାଜ୍ୟସ୍ତରୀୟ ମେଳାର ସଫଳ ଆୟୋଜନ ହୋଇପାରିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ସେହିପରି ବିଭାଗର ଅତିରିକ୍ତ ଶାସନ ସଚିବ ସୁରେନ୍ଦ୍ର କୁମାର ମୀନା କହିଛନ୍ତି, ଆଜିର ପ୍ରତିଯୋଗିତାମୂଳକ ସମୟରେ ଆଦିବାସୀମାନଙ୍କୁ ମୁଖ୍ୟସ୍ରୋତର ସାମିଲ କରିବାର ଆବଶ୍ୟକତା ରହିଛି । ଆଦିବାସୀ ମେଳା କେବଳ ଐତିହ୍ୟର ପରିଚୟ ନୁହେଁ ବରଂ ଆଦିବାସୀ ସାମଗ୍ରୀକୁ ଏକ ବଜାର ଦେବାର ଏକ ପ୍ରୟାସ । ଏହା ମାଧ୍ୟମରେ ଆମେ ଆଦିବାସୀ ଭାଇ ଭଉଣୀ ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିପାରୁଛୁ । ତେବେ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ସ୍ଵତନ୍ତ୍ର ଶାସନ ସଚିବ ସୁଜାତା ମିଶ୍ର ଧନ୍ୟବାଦ ଅର୍ପଣ କରିଛନ୍ତି । ଉଦଯାପନୀ ସନ୍ଧ୍ୟାରେ ଗବେଷଣା ପତ୍ରିକା ‘ବନଜା’ର ଶୁଭ ଉନ୍ମୋଚିତ ହୋଇଥିବାବେଳେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ସ୍ମରଣିକା ‘ପାହାଚ ୨୦୨୬’କୁ ମୁଖ୍ୟ ଅତିଥି ଅନାବରଣ କରିଛନ୍ତି । ୧୦ଜଣ ସଫଳ ଜନଜାତି ଚାଷୀ, କୁଶଳୀ କାରିଗର ଙ୍କୁ ସମ୍ମାନିତ କରାଯାଇଥିବା ବେଳେ ୩ ଗୋଟି ଶ୍ରେଷ୍ଠ କୁଡ଼ିଆ- କୁଟିଆ କନ୍ଧ ଘର, ଜୁଆଙ୍ଗ ମଣ୍ଡ ଘର, ପାହାଡ଼ିଆ ଖରିଆ ଘର ଓ ୩ ଜଣ ଜନଜାତି କ୍ଷୁଦ୍ର ବ୍ୟବସାୟୀ- ସୁନୟନା ସ୍ଵୟଂ ସହାୟକ ଗୋଷ୍ଠୀ, ସୁକନ୍ୟା ସ୍ଵୟଂ ସହାୟକ ଗୋଷ୍ଠୀ, ମହାଲକ୍ଷ୍ମୀ ମହିଳା ସଞ୍ଚୟ ସମିତିଙ୍କୁ ପୁରସ୍କୃତ କରାଯାଇଛି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆଦିବାସୀ ଭାଷା ଓ ସଂସ୍କୃତି ପ୍ରତିଷ୍ଠାନ, ଭୁବନେଶ୍ୱର ଦ୍ୱାରା ଆଦିବାସୀ ମେଳା ଅନୁଷ୍ଠିତ ହୋଇଥିଲା। ଆଦିବାସୀ ଗାଁ, ଆଦିବାସୀ ହାଟ, ଆଦିବାସୀ କଳା ଏବଂ କଳାବସ୍ତୁ ପ୍ରସ୍ତୁତି ପ୍ରଦର୍ଶନୀ, ଖାଦ୍ୟ ପ୍ରାଙ୍ଗଣ ସହ ଆଗାମୀ ଜନଗଣନାକୁ ଧ୍ୟାନରେ ରଖି ଏକ ସ୍ବତନ୍ତ୍ର ଷ୍ଟଲ୍ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏକ ଷ୍ଟଲର ମଧ୍ୟ ପ୍ରସ୍ତୁତି କରାଯାଇଥିଲା ।