ମାଲକାନଗିରି/କାଲିମେଳା,୧୮/୧୨ : ଇଣ୍ଟରନେଟ ହ୍ବାଟ୍ସଅପ ଅତ୍ୟାଧୁନିକ ଯୁଗରେ ବି ଗୁଣି ଗାରେଡ଼ି ଭଳି ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରିଛନ୍ତି କିଛି ଲୋକ। ଏହି ଆନ୍ଧବିଶ୍ୱାସର କୁପରିଣତିରୁ ଯାଇଛି ଜଣଙ୍କ ଜୀବନ । ଗୁଣିଆ ସନ୍ଦେହରେ ଆଦିବାସୀ ବ୍ୟକ୍ତିର ଗଳାକାଟି ହତ୍ୟା କରାଯାଇଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଲିମେଳା ଥାନାସ୍ଥିତ ପୋଟେରୁ ଫାଣ୍ଡି ଅନ୍ତର୍ଗତ ଚିତ୍ରାଙ୍ଗପଲ୍ଲୀ ପଞ୍ଚାୟତ ଉସକାପାଲ୍ଲୀ ଗ୍ରାମରେ l ମୃତକ ହେଲେ ମୁକା ପଡ଼ିଆମୀ(୫୨) । ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଗ୍ରାମର ଇର୍ମା ପଡ଼ିଆମୀଙ୍କ ପତ୍ନୀ ଓ ତାଙ୍କ ସାନ ବାବାର ପୁଅ ଆଡ଼ମା ପଡିଆମୀଙ୍କ ପତ୍ନୀଙ୍କ ଗତ ବର୍ଷ ମୃତ୍ୟୁ ହୋଇଥିଲା । ଦୁଇ ଭାଇଙ୍କ ସ୍ତ୍ରୀ ମରିବା ଘଟଣା ଏବଂ ଘରେ ଦେହ ଭଲ ହେଉ ନ ଥିବାରୁ ଉଭୟଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଆସୁଥିଲା । ଏହାସହ ଆଡ଼ମାଙ୍କ ଗୋଡ଼ ଦୀର୍ଘ ମାସ ହେବ ଅଚଳ ହୋଇ ଯନ୍ତ୍ରଣା ଭୋଗୁଥିବାରୁ ଏହା ଗ୍ରାମର ମୁକା ପଡିଆମୀ ଦ୍ୱାରା ଗୁଣି ଗାରେଡି ଓ ବାଣପେସୀ ଥିବା ଯୋଗୁଁ ଏପରି ହୋଇ ଥିବାର ସନ୍ଦେହ କରୁ ଥିଲେ । ବିଶେଷ ସୂତ୍ରରୁ ଜଣାପଡ଼ିଛି ଗତକାଲି ଏହାକୁ ନେଇ ଏକ ଆଲୋଚନା କରିଥିଲେ । ଉଭୟ ଆଡ଼ମା ପଡିଆମୀ ଏବଂ ଇର୍ମା ପଡିଆମୀ ଦୁହେଁ ଗତ ରାତିରେ ନିଶାସକ୍ତ ଅବସ୍ଥାରେ ମୁକା ପଡିଆମୀଙ୍କ ଘରକୁ ଯାଇଥିଲେ । ମୁକା ଶୋଇଥିବା ଅବସ୍ଥାରେ ତାଙ୍କୁ ଧାରୁଆ ଅସ୍ତ୍ରରେ ବେକ କାଟି ବିଭତ୍ସ ଭାବରେ ହତ୍ୟା କରିଥିଲେ l ପରିବାର ଲୋକେ ଏ ସମ୍ପର୍କରେ ପୋଟେରୁ ପୁଲିସ ଫାଣ୍ଡିରେ ଜଣାଇଥିଲେ ।
ଫାଣ୍ଡି ଅଧିକାରୀ ଏଏସଆଇ ସଞ୍ଜୀବ କୁମାର ରାଜୁ ଖବରପାଇ ଗାଁରେ ପହଞ୍ଚି ମୃତଦେହ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ। ଦୁଇ ଜଣଙ୍କୁ ଅଟକ ରଖାଯାଇଥିବାବେଳେ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ ପରେ ମୃତଦେହ ଘଟଣାସ୍ଥଳରୁ ଉଠାଯାଇ ବ୍ୟବଛେଦ ପାଇଁ ପଠାଯିବ ବୋଲି ଥାନା ଅଧିକାରୀ ମୁକୁନ୍ଦ ମେଲକା କହିଛନ୍ତି l କେଶ ନଂ ୨୯୩/୨୫ରେ ଏକ ମାମଲା ରୁଜୁ କରାଯାଇ ଥାନା ଏସଆଇ ବିଷ୍ଣୁ ପ୍ରସାଦ ଶବର ଏହାର ତଦନ୍ତ ଜାରି ରଖିଛନ୍ତି ବୋଲି ଥାନା ଅଧିକାରୀ ଶ୍ରୀ ମେଲକା ସୂଚନା ଦେଇଛନ୍ତି l