ନୂଆଦିଲ୍ଲୀ,୯।୧୧:  ଥମିନି ମଣିପୁର ହିଂସା। ପୁଣିଥରେ ଜଣେ ମହିଳାଙ୍କ ସହ ଅମାନବୀୟ ଘଟଣା। ଦୁଷ୍କର୍ମ ପରେ ମହିଳାଙ୍କୁ ପୋଡି ମାରିବା ଘଟଣା ସାମନାକୁ ଆସିଛି। ଜିରିବାମ ଜିଲ୍ଲାର ଏକ ଗାଁରେ ୩୧ ବର୍ଷୀୟ ଜଣେ ଆଦିବାସୀ ମହିଳାଙ୍କ ସହ ଦୁଷ୍କର୍ମ ପରେ ତାଙ୍କୁ ମାରି ଦିଆଯାଇଛି। ମହିଳାଙ୍କ ତିନୋଟି ସନ୍ତାନ ଅଛନ୍ତି। ଗୁରୁବାର କିଛି ବ୍ୟକ୍ତି ଅସ୍ତ୍ରଶସ୍ତ୍ର ଧରି ମହିଳାଙ୍କ ଘର ଉପରେ ଆକ୍ରମଣ କରିଥିଲେ।

ମୃତ ମହିଳାଙ୍କ ସ୍ବାମୀ ଥାନାରେ ମାମଲା ରୁଜୁ କରିଛନ୍ତି। ଏଫଆଇଆର ଅନୁସାରେ, ସାମ୍ପ୍ରଦାୟିକ ଓ ଜାତିଗତ ଆଧାରରେ ଏହି ହିଂସା ହୋଇଛି। ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତଙ୍କ ଚିହ୍ନଟ କରିପାରିନଥିଲା। କୁହାଯାଉଛି ଯେ, ଅଭିଯୁକ୍ତମାନେ ଘାଟି ଅଞ୍ଚଳରେ ରୁହନ୍ତି।

ପୀଡିତାଙ୍କ ସ୍ବାମୀ କହିଛନ୍ତି, ଜୌରାବନ ଗାଁରେ ତାଙ୍କ ଘର ପ୍ରଥମ, ଯେଉଁଠି ଏଭଳି ଆକ୍ରମଣ ହୋଇଛି। ମଣିପୁରରେ ଏଭଳି ଘଟଣା ପୂର୍ବରୁ ଦେଖିବାକୁ ମିଳିଛି। ଆଦିବାସୀ ମହିଳାଙ୍କୁ ନ୍ୟୁଡ୍ ପରେଡ୍‌ ଘଟଣା ସାମନାକୁ ଆସିଥିଲା। ପୋଲିସ କହିଛି, ମହିଳାଙ୍କ ମୃତଦେହକୁ ଫରେନସିକ୍ ଟେଷ୍ଟ ପାଇଁ ଆସାମ ପଠାଯାଇଛି।