ନୂଆଦିଲ୍ଲୀ ୩୦/୧୨: ଦେଶର ସମ୍ମାନିତ ଉଦ୍ୟୋଗପତି ରତନ ଟାଟାଙ୍କ ପରଲୋକର ପ୍ରାୟ ୩ ମାସ ହେବାକୁ ବସିଛି । କିନ୍ତୁ ଅଦ୍ୟାବଧି ମଧ୍ୟ ତାଙ୍କୁ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି । ତାମିଲନାଡୁର ଏକ ବେକରି ଦୋକାନ ଏବେ ରତନ ଟାଟାଙ୍କ ସମ୍ମାନରେ ୭ ଫୁଟ ଉଚ୍ଚତାର ଆଇସ୍ କେକ୍ ମୂର୍ତ୍ତି ପ୍ରସ୍ତୁତ କରିଛି । ସେଥିରେ ରତନଙ୍କୁ ତାଙ୍କର ପ୍ରିୟ କୁକୁର ସହିତ ଦେଖିବାକୁ ମିଳୁଛି । ରତନ ଟାଟା ଏକ ନୀଳ ରଙ୍ଗର ସାର୍ଟ ଓ ଗ୍ରେ ପ୍ୟାଣ୍ଟ ପିନ୍ଧି ହସୁଥିବାବେଳେ ନିଜର ଜର୍ମାନ ଶେଫର୍ଡ କୁକୁର ଟିଟୋ ସହିତ ହାତ ମିଳାଉଛନ୍ତି । ଟିଟୋର ମୁହଁରେ ଏକ ବଲ୍ ରହିଛି । ୬୦ କିଗ୍ରା ଚିନି ଓ ୨୫୦ ଅଣ୍ଡାରେ ପ୍ରସ୍ତୁତ ଏହି କେକ୍କୁ ରତନଙ୍କର ପଶୁଙ୍କ ପ୍ରତି ପ୍ରେମର ପ୍ରତୀକ ଭାବେ ମନେ କରାଯାଉଛି ।

ଐଶ୍ୱର୍ଯ୍ୟା ବେକରିର ଏହି କଳାକୃତିକୁ ଲୋକେ ଜୋରଦାର ପ୍ରଶଂସା କରୁଛନ୍ତି । ଅନେକ ଲୋକ ବିଶେଷକରି ଛାତ୍ରଛାତ୍ରୀ ବେକରି ବାହାରେ ରଖାଯାଇଥିବା ସେହି ମୂର୍ତ୍ତି ସହିତ ଫଟୋ ଉଠାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ବେକରିର ମାଲିକ କହିଛନ୍ତି, ପ୍ରତିବର୍ଷ ସେମାନେ ଖ୍ରୀଷ୍ଟମାସ ଓ ନୂଆବର୍ଷ ଅଭିମୁଖେ କିଛି ନୂଆ କରି ଦେଖାଇଥାନ୍ତି । ଏବର୍ଷ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ସେମାନେ ସ୍ଥିର କରିଥିଲେ । ରତନ ଟାଟା କେବଳ ଜଣେ ଉଦ୍ୟୋଗପତି ନୁହନ୍ତି, ତାଙ୍କର ମାନବିକତା ତାଙ୍କୁ ବହୁ ମାତ୍ରାରେ ପ୍ରଭାବିତ କରିଥିବା ସେ ପ୍ରକାଶ କରିଛନ୍ତି ।