ବୌଦ୍ଧ, ୧୮/୧୧ : ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍। ୧୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଗୁରୁତର। ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଭୈରବୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଛି। 

ସୂଚନାନୁଯାୟୀ, ଶିବ ଶଙ୍କର ନାମକ ଏକ ଯାତ୍ରୀବାହୀ ଟୁରିଷ୍ଟ ବସ୍ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳରୁ ଦାରିଙ୍ଗବାଡ଼ି ବୁଲିବାକୁ ଯାଇ ଫେରୁଥିଲା। ବୌଦ୍ଧ ପଟକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହ ସାମ୍ନାସାମ୍ନି ଧକ୍କା ହୋଇଛି। ଫଳରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ କୌଣସି ଜୀବନ ହାନି ହୋଇନାହିଁ। ଏକ ବଡ଼ ଧରଣର ଅଘଟଣ ଅଳ୍ପକେ ବର୍ତ୍ତି ଯାଇଛି। ସେପଟେ ଦୁର୍ଘଟଣା ଘଟାଇ ଟ୍ରକ୍‌ଟି ଫେରାର୍ ମାରିଥିବା ବେଳେ ଘଟଣାସ୍ଥଳରେ ପୁରୁଣାକଟକ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।