ନୂଆଦିଲ୍ଲୀ: ଭାରତ ସହିତ ବିବାଦରେ ଛନ୍ଦି ହେବା ପରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସମୟ ଖରାପ ଚାଲିଛି। ବର୍ତ୍ତମାନ ତାଙ୍କ ରାଜନୈତିକ କ୍ୟରିୟର ସଂକଟରେ। ଟ୍ରୁଡୋଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବା ଥୟ। ତେଣୁ ବର୍ତ୍ତମାନ ଏହି ଦେଶରେ ରାଜନୈତିକ ଅସ୍ଥିରତା ଦେଖା ଦେଇଛି। ସବୁଠାରୁ ବଡ଼ କଥା ହେଲା ଟ୍ରୁଡୋଙ୍କ ପାଇଁ ବନ୍ଧୁ ସାଜିଛି ବୈରୀ।
ଟ୍ରୁଡୋଙ୍କ ମେଣ୍ଟରୁ ଅଲଗା ହେବା ପରେ ଜଗମିତ ସିଂହଙ୍କ ଦଳ ନ୍ୟୁ ଡେମୋକ୍ରାଟିକ ପାର୍ଟିର(ଏନଡିପି) ବିଦ୍ରୋହ ଘୋଷଣା କରିଛି। ଜିଷ୍ଟିନ ଟ୍ରୁଡୋ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଆଉଥରେ ନିର୍ବାଚନ କରାଇବାକୁ ଦଳ ଘୋଷଣା କରିଛି।
ଗତ ଶୁକ୍ରବାର(ଡିସେମ୍ବର ୨୦) ବିଦ୍ରୋହ ଘୋଷଣା କରି ଜଗମିତ କହିଛନ୍ତି ଟ୍ରୁଡୋଙ୍କ ଲିବରାଲ ଦଳର ସରକାରର ପତ୍ତନ ହେବ। ଆମେ ଦେଶର ଇଲେକ୍ସନ କରେଇବାରେ ସହଯୋଗ କରିବୁ। ଜାନୁଆରି ୨୭ରେ ଶୀତକାଳିନ ବିରତିରୁ ହାଉସ ଅଫ କମନ୍ସ ଇଲେକ୍ଟେଡ ଚାମ୍ବର ଫେରିବା ପରେ ନ୍ୟୁ ଡେମୋକ୍ରାଟିକ ପାର୍ଟିର(ଏନଡିପି)ର ନେତା ଜଗମିତ ସିଂ ଟ୍ରୁଡୋଙ୍କ ବିରୁଦ୍ଧରେ ଏହି ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯାଉଛନ୍ତି। ଏହି ଅନାସ୍ଥା ପ୍ରସ୍ତାବ ପାରିତ ହୋଇଗଲେ ଜଷ୍ଟିନ ଟ୍ରୁଡୋ ନିଜର କ୍ଷମତା ହରେଇପାରନ୍ତି।
ନ୍ୟୁଜ୍ ଏଜେନ୍ସି ରୟଟର୍ସ ମୁତାବକ, ଯଦି ଏହି ଅନାସ୍ଥା ପ୍ରସ୍ତାବ ପାରିତ ହୁଏ ତେବେ କାନାଡାର ପ୍ରଧାନମନ୍ତ୍ରୀଭାବେ ଦୀର୍ଘ ୯ ବର୍ଷ ଧରି ରହିଥିବା ଜଷ୍ଟିନ ଟ୍ରୁଡୋଙ୍କୁ ନିଜ ଆସନ ଛାଡିବାକୁ ପଡିବ। ତାଙ୍କ ଜାଗାରେ ନୂଆ ଭାବେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଏହି ସ୍ଥାନ ନେବେ ବୋଲି ଏହି ଏଜେନ୍ସି ଘୋଷଣା କରିଛି।
ଏନେଇ ଏନଡିପି ମୁଖ୍ୟ ଜଗମିତ ସିଂ କହିଛନ୍ତି ଶାସକଦଳର ସମୟ ଶେଷ ହୋଇଛି। ଲିବରାଲ ଦଳର କିଏ ନେତୃତ୍ତ୍ୱ ନେଉଛି ତାହା ଆମପାଇଁ ଏକ ବିଷୟ ନୁହେଁ। ଆମେ ସମ୍ପୂର୍ଣ୍ଣ ଦଳକୁ ହଟେଇବାକୁ ଚାହୁଁ। ଆମେ ହାଉସ ଅଫ କମନ୍ସରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ ଆଣିବାକୁ ଯାଉଛୁ ବୋଲି ସେ ଘୋଷଣା କରିଛନ୍ତି।
କାନାଡାର ପ୍ରମୁଖ ବିରୋଧି ଦଳ ବ୍ଲକ କ୍ୱିବେକୋଇସ ଏହି ଅନାସ୍ଥା ପ୍ରସ୍ଥାବକୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ଅନ୍ୟପଟେ କନଜରଭେଟିଭ ଦଳ ମଧ୍ୟ ଟ୍ରୁଡୋଙ୍କୁ ଗାଦିରୁ ହଟାଇବା ପାଇଁ ଅଣ୍ଟା ଭିଡୁଛି। ଗଭର୍ଣ୍ଣର ଜେନେରାଲ ତଥା ପ୍ରିନ୍ସ ଚାର୍ଲିଙ୍କ ବ୍ୟକ୍ତିଗତ ପ୍ରତିନିଧିଙ୍କୁ ଚଳିତ ବର୍ଷ ଶେଷ ପୂର୍ବରୁ ଅନାସ୍ଥା ଭୋଟ କରେଇବା ପାଇଁ ପାର୍ଲାମେଣ୍ଟ ଡାକିବାକୁ ବିରୋଧି ଦଳମାନେ ଅନୁରୋଧ କରିଛନ୍ତି।
ଜଗଜିତଙ୍କ ଏହି ଘୋଷଣା ପରେ ଟ୍ରୁଡୋଙ୍କ ପାଖରେ ବହୁ ସୀମିତ ବିକଳ୍ପ ରହିଛି। ଶୀତକାଳୀନ ଅବକାଶ ପୂର୍ବରୁ ଯଦି ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତି, ତେବେ ନିର୍ବାଚନ ପୂର୍ବରୁ ଲିବରାଲ ଦଳକୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଜଣେ ଯୋଗ୍ୟ ପ୍ରାର୍ଥୀ ଖୋଜିବାକୁ ପଡ଼ିବ। ଏଥିପାଇଁ ଦଳକୁ ଇଣ୍ଟିରିମ ନେତାମାନଙ୍କ ସହ ପ୍ରତିଯୋଗିତା କରିବାକୁ ପଡ଼ିବ। ଯଦି ଏପରି ହେଲା ତେବେ ଏହା କାନାଡ଼ା ପାଇଁ ପ୍ରଥମ ହେବ। କାରଣ କାନାଡା ଇତିହାସରେ ଏଭଳି ସ୍ଥିତି କେବେ ଉପୁଜି ନାହିଁ।