ୱାଶିଂଟନ ଡିସି,୦୫/୦୬:  ଆମେରିକା ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପ୍‌ ବୁଧବାର ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ  ସହ ୟୁକ୍ରେନ୍‌ ଓ ଇରାନ୍‌ ପ୍ରସଙ୍ଗରେ ପ୍ରାୟ ୭୫ ମିନିଟ୍‌ ଧରି  ଫୋନ୍‌ରେ କଥା ହୋଇଛନ୍ତି । ଟ୍ରମ୍ପ୍‌ ସୋସିଆଲ ମିଡିଆରେ ଏ  ନେଇ ସୂଚନା ଦେଇଛନ୍ତି ।

ତେବେ ଉଭୟ ନେତାଙ୍କ ମଧ୍ୟରେ  ଗଠନମୂଳକ ଆଲୋଚନା ହୋଇଛି ସତ । କିନ୍ତୁ ତତ୍କାଳ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା ହୋଇନାହିଁ । ଚର୍ଚ୍ଚା ବେଳେ ପୁଟିନ୍‌ ସିଧାସଳଖ ଭାବେ ୟୁକ୍ରେନ୍‌ ଉପରେ ପ୍ରତିଶୋଧ ନେବା  କଥା କହିଥିଲେ । କିଛିଦିନ ତଳେ ରୁଷ୍‌ ଉପରେ ୟୁକ୍ରେନ୍‌ ସାଙ୍ଘାତିକ ଡ୍ରୋନ୍‌ ଆକ୍ରମଣ କରିଥିଲା । ଏଥିରେ ରୁଷ୍‌ର  ୪୧ଟି ବିମାନ ଧ୍ୱଂସ ହୋଇଯାଇଥିଲା । ତେଣୁ ୟୁକ୍ରେନ୍‌କୁ  ଏହାର ଜବାବ ଦିଆଯିବା ନେଇ ଟ୍ରମ୍ପ୍‌ଙ୍କୁ ସିଧାସଳଖ ଭାବେ  କହିଛନ୍ତି ପୁଟିନ୍‌ । ଏ କଥା ଟ୍ରମ୍ପ୍‌ ସୋସିଆଲ ମିଡିଆରେ  କହିଛନ୍ତି । 

ଟ୍ରମ୍ପ୍‌ କହିଛନ୍ତି, ମୁଁ ପୁଟିନ୍‌ଙ୍କ ସହ ଇରାନର ପରମାଣୁ କାର୍ଯ୍ୟକ୍ରମ ବାବଦରେ ବି କଥା ହୋଇଛି । ଏହି  କାର୍ଯ୍ୟକ୍ରମକୁ ତୁରନ୍ତ ରୋକାଯିବା ଉଚିତ ବୋଲି ମୁଁ ତାଙ୍କୁ  କହିଥିଲି । ଏ ନେଇ ଇରାନ ସହ ରୁଷ୍‌ ଆଲୋଚନା କରିବ  ବୋଲି ପୁଟିନ୍‌ ପ୍ରତିଶ୍ରୁତି ଦେଇଛନ୍ତି।