ୱାଶିଂଟନ ଡିସି,୦୫/୦୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ୟୁକ୍ରେନ୍ ଓ ଇରାନ୍ ପ୍ରସଙ୍ଗରେ ପ୍ରାୟ ୭୫ ମିନିଟ୍ ଧରି ଫୋନ୍ରେ କଥା ହୋଇଛନ୍ତି । ଟ୍ରମ୍ପ୍ ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି ।
ତେବେ ଉଭୟ ନେତାଙ୍କ ମଧ୍ୟରେ ଗଠନମୂଳକ ଆଲୋଚନା ହୋଇଛି ସତ । କିନ୍ତୁ ତତ୍କାଳ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା ହୋଇନାହିଁ । ଚର୍ଚ୍ଚା ବେଳେ ପୁଟିନ୍ ସିଧାସଳଖ ଭାବେ ୟୁକ୍ରେନ୍ ଉପରେ ପ୍ରତିଶୋଧ ନେବା କଥା କହିଥିଲେ । କିଛିଦିନ ତଳେ ରୁଷ୍ ଉପରେ ୟୁକ୍ରେନ୍ ସାଙ୍ଘାତିକ ଡ୍ରୋନ୍ ଆକ୍ରମଣ କରିଥିଲା । ଏଥିରେ ରୁଷ୍ର ୪୧ଟି ବିମାନ ଧ୍ୱଂସ ହୋଇଯାଇଥିଲା । ତେଣୁ ୟୁକ୍ରେନ୍କୁ ଏହାର ଜବାବ ଦିଆଯିବା ନେଇ ଟ୍ରମ୍ପ୍ଙ୍କୁ ସିଧାସଳଖ ଭାବେ କହିଛନ୍ତି ପୁଟିନ୍ । ଏ କଥା ଟ୍ରମ୍ପ୍ ସୋସିଆଲ ମିଡିଆରେ କହିଛନ୍ତି ।
ଟ୍ରମ୍ପ୍ କହିଛନ୍ତି, ମୁଁ ପୁଟିନ୍ଙ୍କ ସହ ଇରାନର ପରମାଣୁ କାର୍ଯ୍ୟକ୍ରମ ବାବଦରେ ବି କଥା ହୋଇଛି । ଏହି କାର୍ଯ୍ୟକ୍ରମକୁ ତୁରନ୍ତ ରୋକାଯିବା ଉଚିତ ବୋଲି ମୁଁ ତାଙ୍କୁ କହିଥିଲି । ଏ ନେଇ ଇରାନ ସହ ରୁଷ୍ ଆଲୋଚନା କରିବ ବୋଲି ପୁଟିନ୍ ପ୍ରତିଶ୍ରୁତି ଦେଇଛନ୍ତି।