ୱାଶିଂଟନ ଡିସି, ୨୪/୧୨ : ଆମେରିକାରେ ଡୋନାଲ୍ଡ ଟ୍ରମ୍ପ୍ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ତାଙ୍କ ଟିମ୍ ମୋଟା ଅଙ୍କର ଚାନ୍ଦା ଆଦାୟ କରିଛି । ରିପୋର୍ଟ ଅନୁସାରେ, ନିର୍ବାଚନ ପରେ ଟ୍ରମ୍ପ୍ ଓ ତାଙ୍କ ସହଯୋଗୀ ମିଶି ପ୍ରାୟ ୨୦୦ କୋଟି ଡଲାର ବା ୧୮ ହଜାର କୋଟି ଟଙ୍କା ବିଭିନ୍ନ ପାଣ୍ଠି ଓ ଯୋଜନା ନିମନ୍ତେ ସଂଗ୍ରହ କରିଛନ୍ତି । ଟ୍ରମ୍ପ୍ ଙ୍କ ନିର୍ବାଚନ ପ୍ରଚାର ପାଇଁ ସଂଗ୍ରହ ହୋଇଥିବା ରାଶିଠାରୁ ଏହା ବେଶ୍ ଅଧିକ ।
ରିପୋର୍ଟ ଦର୍ଶାଇଛି ଯେ ସରକାରୀ ଦସ୍ତାବିଜ, ପାଣ୍ଠି ରେକର୍ଡ ଏବଂ ଅନେକ ଲୋକଙ୍କ ସହ ଆଲୋଚନାରୁ ଜଣାପଡ଼ିଛି ଯେ ଅତିକମରେ ୩୪୬ ପ୍ରମୁଖ ଦାତାଙ୍କ ଠାରୁ ଚାନ୍ଦା ଆଦାୟ ହୋଇଛି । ଏମାନେ ପ୍ରତ୍ୟେକ ହାରାହାରି ୨.୫ ଲକ୍ଷ ଡଲାର କିମ୍ବା ତା’ଠାରୁ ଅଧିକ ଚାନ୍ଦା ଦେଇଛନ୍ତି । ଏହି ଲୋକମାନଙ୍କଠାରୁ ପ୍ରାୟ ୫୦ କୋଟି ଡଲାରରୁ ଅଧିକ ରାଶି ସଂଗୃହୀତ ହୋଇଛି । ଏମାନଙ୍କ ମଧ୍ୟରେ ୨୦୦ ଏଭଳି ଦାତା ରହିଛନ୍ତି ଯେଉଁମାନଙ୍କୁ କିମ୍ବା ଯେଉଁମାନଙ୍କ କାରବାରକୁ ଟ୍ରମ୍ପ୍ ସରକାରଙ୍କ ନିଷ୍ପତ୍ତିରୁ ଫାଇଦା ମିଳିଥିଲା । ଏମାନଙ୍କ ମଧ୍ୟରେ ସୁନ୍ଦର ପିଚାଇ ଓ ସତ୍ୟ ନାଦେଲାଙ୍କ ଭଳି ୬ ଜଣ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀ ଅନ୍ତର୍ଭୁକ୍ତ । କିନ୍ତୁ ଏହାକୁ ପ୍ରମାଣ କରିବା କଷ୍ଟକର ବୋଲି ରିପୋର୍ଟରେ ସ୍ପଷ୍ଟ କରାଯାଇଛି ।
ରିପୋର୍ଟ ମୁତାବକ, ଟ୍ରମ୍ପ୍ ଙ୍କ ସମର୍ଥିତ ପାଣ୍ଠିକୁ ଗୁଗଲ୍ ସିଇଓ ସୁନ୍ଦର ପିଚାଇ ୧୦ କୋଟି ଟଙ୍କା ଦାନ କରିଛନ୍ତି । ଏଆଇ ଆଇନ କୋହଳ ହେବା ଯୋଗୁ ଗୁଗଲ୍ କୁ ଫାଇଦା ମିଳିଥିଲା । ହ୍ୱାଇଟ୍ ହାଉସ୍ ଡାକି ତାଙ୍କୁ ପ୍ରଶଂସା ବି କରିଥିଲା । ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦେଲା ୨୯ କୋଟି ଟଙ୍କା ଦେଇଥିଲେ । ପ୍ରଯୁକ୍ତି ନିୟମ କୋହଳ ହେବା ଯୋଗୁ ଏହାର ସିଧା ଫାଇଦା କମ୍ପାନି ପାଇଥିଲା । ଆଇବିଏସ୍ ସିଇଓ ଅରବିନ୍ଦ କ୍ରିଷ୍ଣା ୬.୨ କୋଟି ଟଙ୍କା, ଆଡୋବ୍ ସିଇଓ ଶାନ୍ତନୁ ନାରାୟଣ ୮.୩ କୋଟି, ମାଇକ୍ରନ୍ ସିଇଓ ସଞ୍ଜୟ ମେହରୋତ୍ରା ୮.୩ କୋଟି, ବ୍ୟବସାୟୀ ଅଞ୍ଜନୀ ସିହ୍ନା ୮.୩ କୋଟି ଟଙ୍କା ଦେଇଥିଲେ ।
ଏହି ଖବରଟିକୁ ପଢନ୍ତୁ- ଲଣ୍ଡନରେ ଏକାଠି ପାର୍ଟି ମନାଉଥିବା ଦେଶର ଦୁଇ ପଳାତକ ଲଳିତ-ବିଜୟ, ଫଟୋ ଭାଇରାଲ୍