ନୂଆଦିଲ୍ଲୀ,୨୪/୧୨: ଦେଶର ଦୁଇ ପଳାତକ ବ୍ୟବସାୟୀ ଲଳିତ ମୋଦି ଓ ବିଜୟ ମାଲ୍ୟା ଏବେ ଏକାଠି । ଭାରତରେ ପଳାତକ ଘୋଷିତ ଏହି ଦୁଇ ବଡ ଚେହେରାଙ୍କୁ ଲଣ୍ଡନରେ ଏକାଠି ପାର୍ଟି ମନାଉଥିବା ଦେଖିବାକୁ ମିଳିଛି। ଯାହାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସେହି ପାର୍ଟିରେ ସେ ଭାରତକୁ କଟାକ୍ଷ କରି ଲଳିତ ମୋଦି ବିଜୟ ମାଲ୍ୟାଙ୍କୁ କହୁଛନ୍ତି ଯେ, ଆମେ ଦୁଇ ଜଣ ପଳାତକ ଅପରାଧୀ । କ୍ୟାମେରାକୁ ଦେଖି ସେ ବଡପାଟିରେ ମଧ୍ୟ କହୁଛନ୍ତି ଆମେ ଭାରତର ସବୁଠାରୁ ବଡ ପଳାତକ । ତାଙ୍କର ଏକଥା ଶୁଣି ବିଜୟ ମାଲ୍ୟା ହସୁଥିବା ଦେଖାଯାଇଛି । ଉଭୟଙ୍କ ସହିତ ଜଣେ ମହିଳାଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।ଏହାର ଭିଡିଓ ଲଳିତ ମୋଦି ନିଜେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ସେଥିରେ ସେ କହୁଛନ୍ତି ଚାଲନ୍ତୁ ଭାରତରେ ଇଣ୍ଟରନେଟରେ ପୁଣିଥରେ ଧୁମ୍ ମଚାଇବା ।ମୋର ବନ୍ଧୁ ବିଜୟ ମାଲ୍ୟାଙ୍କୁ ଜନ୍ମଦିନର ଶୁଭକାମନା । ଲଭ୍ ୟୁ ।
ଭିଡିଓରେ ଲଳିତ ମୋଦି ଓ ବିଜୟ ମାଲ୍ୟାଙ୍କ ଘନିଷ୍ଠ ବନ୍ଧୁତ୍ୱ ଦେଖିବାକୁ ମିଳିଛି । ଏହି ପାର୍ଟି ବିଜୟ ମାଲ୍ୟାଙ୍କ ଜନ୍ମଦିନ ଉପଲକ୍ଷେ ଆୟୋଜିତ ହୋଇଥିଲା । କୁହାଯାଉଛି କି ଚଳିତମାସ ପ୍ରାରମ୍ଭରେ ଲଳିତ ମୋଦି ହିଁ ବିଜୟ ମାଲ୍ୟାଙ୍କ ପାଇଁ ଏହି ପାର୍ଟିର ଆୟୋଜନ କରିଥିଲେ । ମନି ଲଣ୍ଡରିଂ ସମେତ ଅନ୍ୟ ଆର୍ଥିକ ଅନିୟମିତତା ମାମଲାରେ ସମ୍ପୃକ୍ତ ଥିବା ଲଳିତ ମୋଦି ୨୦୧୦ରେ ଭାରତ ଛାଡି ବିଦେଶ ପଳାଇଥିଲା ବେଳେ ପ୍ରାୟ ୧୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଘୋଟାଲାରେ ସମ୍ପୃକ୍ତ ଥିବା ବିଜୟ ମାଲ୍ୟା ୨୦୧୬ରେ ଦେଶ ଛାଡି ଲଣ୍ଡନ ପଳାଇଯାଇଥିଲେ ।