ନୂଆଦିଲ୍ଲୀ ୦୮/୦୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଏଆଇ ଭିଡିଓ ଯୋଗୁ ଏବେ ପୁଣି ଚର୍ଚ୍ଚାରେ । ଶନିବାର ନିଜର ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଟ୍ରୁଥ ସୋସିଆଲ୍ରେ ସେ ଏଆଇ ମାଧ୍ୟମରେ ପ୍ରସ୍ତୁତ ସେହି ଭିଡିଓକୁ ସେୟାର କରିଥିଲେ । ଭିଡିଓରେ ଟ୍ରମ୍ପଙ୍କୁ ବିଭିନ୍ନ ଡିଜିଟାଲ ଅବତାରରେ ଦେଖିବାକୁ ମିଳୁଛି । କେତେବେଳେ ସେ ଭାରତର ରାସ୍ତାରେ ବାଇକ୍ ଚଳାଉଛନ୍ତି ତ କେତେବେଳେ ଜଙ୍ଗଲରେ ସିଂହ ଉପରେ ବସି ବୁଲିବାର ମଜା ନେଉଛନ୍ତି । ଏହାଛଡ଼ା ତାଙ୍କୁ ମରୁଭୂମିରେ ଓଟ ପିଠିରେ ବସିବା, ପାରାଗ୍ଲାଇଡିଙ୍ଗ କରିବା, ସ୍ପେସ୍ସୁଟ ପିନ୍ଧି ଚନ୍ଦ୍ରରେ ଆମେରିକାର ପତାକା ଲଗାଉଥିବାର ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ, ପିଜ୍ଜା, ଡବଲ ଡେକର ବସ୍, ବିଭିନ୍ନ ହୋର୍ଡିଂ, ନଦର୍ନ ଲାଇଟ, ମାଉଣ୍ଟ ରଶମୋରରେ ମଧ୍ୟ ତାଙ୍କର ଚେହେରା ନଜର ଆସୁଛି ।
ଭିଡିଓର ବ୍ୟାକ୍ଗ୍ରାଉଣ୍ଡରେ ‘ସମସ୍ତେ ଟ୍ରମ୍ପଙ୍କୁ ପସନ୍ଦ କରନ୍ତି’ ବୋଲି ଏକ ଗୀତ ଲଗାତର ବାଜୁଛି । ସେହି ଗୀତରେ ମେକ୍ସିକୋ, ମଧ୍ୟପ୍ରାଚ୍ୟ, ଚୀନ୍ ଏବଂ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଲୋକେ ଟ୍ରମ୍ପଙ୍କୁ ପସନ୍ଦ କରୁଥିବା ଦାବି କରାଯାଇଛି । ଏକ ମିନିଟ୍ ଅବଧିର ସେହି ଭିଡିଓରେ ‘ଟ୍ରମ୍ପ’ ଶବ୍ଦ ୪୫ ଥର ଏବଂ ‘ଡୋନାଲ୍ଡ’ ୨୯ ଥର ବ୍ୟବହୃତ ହୋଇଛି । ପୋଷ୍ଟ ହେବା ପରଠାରୁ ସେହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
ସୂଚନା ଅନୁସାରେ, ଏହି ଗୀତକୁ ଟ୍ରୁଥ ସୋସିଆଲରେ ‘ଏସି୧୩୨’ ନାମକ ଜଣେ ୟୁଜର ବନାଇଥିଲେ । ଭିଡିଓ ଶେଷରେ ଏହାର ଶ୍ରେୟ ଆନ୍ଥୋନି କନଷ୍ଟାଣ୍ଟିନୋ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦିଆଯାଇଛି । ଆନ୍ଥୋନି କନଷ୍ଟାଣ୍ଟିନୋ ନ୍ୟୁୟର୍କରୁ ଟ୍ରମ୍ପଙ୍କ ସମର୍ଥିତ ରିପବ୍ଲିକାନ୍ ପ୍ରାର୍ଥୀ । ଏପରିସ୍ଥଳେ ଟ୍ରମ୍ପ ଭିଡିଓଟିକୁ ନିଜ ପ୍ରୋଫାଇଲରେ ସେୟାର କରିବା ପରେ ଏହା ତାଙ୍କ ଲାଗି ଗର୍ବର କଥା ବୋଲି କନଷ୍ଟାଣ୍ଟିନୋ କହିଛନ୍ତି । ଇତିମଧ୍ୟରେ ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଅନେକ ୟୁଜର ଏହାକୁ ମଜାଦାର ବୋଲି କହିଥିବାବେଳେ କିଛି ଜଣ ଏହା ଟ୍ରମ୍ପଙ୍କ ଆତ୍ମପ୍ରଚାର ପୋଷ୍ଟ ବୋଲି କହିଛନ୍ତି । ଜଣେ ୟୁଜର ଟ୍ରମ୍ପ କୌଣସି କମିକ୍ ବୁକ୍ର ସୁପରହିରୋ ଭଳି ଲାଗୁଥିବା ଦର୍ଶାଇଛନ୍ତି ।
ଟ୍ରମ୍ପ ଏଆଇ ଦ୍ୱାରା ପ୍ରସ୍ତୁତ ଭିଡିଓ ସେୟାର କରିବାର ଏହା ପ୍ରଥମ ଘଟଣା ନୁହେଁ । ବିଗତ କିଛି ମାସ ଧରି ସେ ଏଭଳି ଅନେକ ପୋଷ୍ଟ କରିଛନ୍ତି ଯେଉଁଥିରେ ତାଙ୍କୁ ଭିନ୍ନ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ସେ ଜେମ୍ସ ବଣ୍ଡ ଷ୍ଟାଇଲରେ ଏକ ଭିଡିଓ ସେୟାର କରିଥିଲେ । ତା’ ପୂର୍ବରୁ ଗତ ମାସରେ ପୋଷ୍ଟ କରିଥିବା ଭିଡିଓରେ ସେ ନିଜକୁ ପ୍ରଭୁ ଯୀଶୁଙ୍କ ରୂପରେ ପ୍ରଦର୍ଶିତ କରିଥିଲେ । ସେହି ପୋଷ୍ଟକୁ ନେଇ ଅନେକ ବିବାଦ ହୋଇଥିଲା । ଶେଷରେ ସେ ପୋଷ୍ଟକୁ ହଟାଇଥିଲେ । କିନ୍ତୁ କ୍ଷମାପ୍ରାର୍ଥନା କରିନଥିଲେ ।
ଆହୁରି ପଢ଼ନ୍ତୁ...Kidney Disease : ଡରାଇରାଣି ନୂଆ ଅଧ୍ୟୟନ, ୨୦୪୦ ସୁଦ୍ଧା ଅକାଳ ମୃତ୍ୟୁର ପ୍ରମୁଖ କାରଣ ହେବ କିଡ୍ନୀ ରୋଗ
ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ, ଟ୍ରମ୍ପଙ୍କର ଏଆଇ ବ୍ୟବହାର କେବଳ ମନୋରଞ୍ଜନ ଲାଗି ଉଦ୍ଦିଷ୍ଟ ନୁହେଁ । ସେ ନିଜର ଡିଜିଟାଲ ବ୍ରାଣ୍ଡିଂକୁ ମଜଭୁତ କରିବାକୁ ପ୍ରୟାସ କରୁଛନ୍ତି । ଏହି ସବୁ ଭିଡିଓ ମାଧ୍ୟମରେ ଟ୍ରମ୍ପ ନିଜକୁ ଅସାଧାରଣ ଏବଂ ସର୍ବଶକ୍ତିମାନ ଭାବେ ଦର୍ଶାଉଛନ୍ତି । ତେବେ ଏଭଳି ବିଷୟବସ୍ତୁ ଯୋଗୁ ଲୋକେ ବାସ୍ତବିକତା ଏବଂ କଳ୍ପନା ମଧ୍ୟରେ ପ୍ରଭେଦ କରିବା ଏତେ ସହଜ ହୋଇନଥାଏ । ତେଣୁ ଏହାଦ୍ୱାରା ଭ୍ରମ ପ୍ରସାରିତ ହେବାର ବିପଦ ରହିଥାଏ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।