ୱାଶିଂଟନ,୦୬/୦୩: ଆମଦାନି  ଶୁଳ୍କ ନେଇ ପୁଣି ଆମେରିକା ଟାର୍ଗେଟରେ  ଭାରତ । ଏଥର ଆମେରିକା କଂଗ୍ରେସର  ଯୁଗ୍ମ ଅଧିବେଶନରେ ଭାରତକୁ ନାଲି ଆଖି  ଦେଖାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏପ୍ରିଲ ୨ରୁ ଯେସାକୁ ତେସା ଆମଦାନି ଶୁଳ୍କ ଲାଗୁ କରିବାକୁ ଦେଇଛନ୍ତି ଧମକ ।  

ଟ୍ରମ୍ପ କହିଛନ୍ତି ଯେ, ଭାରତ ଆମ ଉପରେ ୧୦୦%ରୁ ଅଧିକ ଶୁଳ୍କ ଲଦୁଛି । ଏ ବ୍ୟବସ୍ଥା ଆମେରିକା ପାଇଁ ନ୍ୟାୟସଙ୍ଗତ ନୁହେଁ । ଏହା ଆମ ଉପରେ ଯେତିକି ଟିକସ ଲଗାଉଛି ଆମେ ମଧ୍ୟ ସମାନ ଟିକସ ଲଦିବାକୁ ତୟାର । ଆମେରିକୀୟ ଅଟୋମୋବାଇଲ କ୍ଷେତ୍ର ଉପରେ ଭାରତର ୧୦୦%ରୁ ଅଧିକ ଆମଦାନି ଶୁଳ୍କ ଗ୍ରହଣୀୟ ନୁହେଁ । 

ମୋଟା ଶୁଳ୍କ ଲଦି ଯଦି ଭାରତ ଆମକୁ  ସେଠାକାର ବଜାରରୁ ବଞ୍ଚିତ ରଖୁଛି,  ଆମେ ମଧ୍ୟ ସମାନ ପଦ୍ଧତି ମାଧ୍ୟମରେ ଆମ  ବଜାରରୁ ସେମାନଙ୍କୁ ଦୂରେଇ ରଖିବୁ ବୋଲି  ଟ୍ରମ୍ପ କହିଛନ୍ତି । ଯେଉଁ ରାଷ୍ଟ୍ର ଆମେରିକୀୟ  ସାମଗ୍ରୀ ଉପରେ ଯେତିକି ଟିକସ କଷିବ  ଉକ୍ତ ରାଷ୍ଟ୍ର ଉପରେ ସେତିକି ଶୁଳ୍କ ଲଗାଯିବ  ବୋଲି ସେ ପ୍ରକାଶ କରିଛନ୍ତି ।  

ଏକ ରିପୋର୍ଟ ଅନୁସାରେ, ଆମେରିକାର  ଯେସାକୁ ତେସା ଆମଦାନି ଶୁଳ୍କ ନୀତି ଦ୍ୱାରା ପ୍ରତି  ବର୍ଷ ଭାରତ ରପ୍ତାନି ବାବଦକୁ ୬୦,୦୦୦ କୋଟି  ଟଙ୍କାରୁ ଅଧିକ କ୍ଷତି ସହିବ । ଇଣ୍ଡିଆ ରେଟିଙ୍ଗ୍‌ସ  ଆଣ୍ଡ୍‌ ରିସର୍ଚ୍ଚ ଅନୁସାରେ, ଆମେରିକାକୁ ରପ୍ତାନି ୨୦୦ କୋଟି ଡଲାରରୁ ୩୫୦ କୋଟି ଡଲାର  ଖସିଲେ ଭାରତର ଜିଡିପି ଅଭିବୃଦ୍ଧି ୦.୦୫% ରୁ .୧୦% ସଂକୁଚିତ ହୋଇପାରେ । 

ଟ୍ରମ୍ପ କହିଲେ ଯେ, ଦଶନ୍ଧି ଦଶନ୍ଧି  ଧରି ଅନ୍ୟ ରାଷ୍ଟ୍ରଗୁଡ଼ିକ ଆମେରିକା ଉପରେ  ମୋଟା ଶୁଳ୍କ ଲଦି ଚାଲିଛନ୍ତି । ଏବେ ଆମ  ପାଳି । ଆମେ ବର୍ତ୍ତମାନ ଉକ୍ତ ରାଷ୍ଟ୍ରଗୁଡ଼ିକ  ଉପରେ ସମାନ ମାତ୍ରାରେ ଟିକସ ଲଦିବୁ ।  ୟୁରୋପୀୟ ସଂଘ, ଚୀନ୍‌, ବ୍ରାଜିଲ, ଭାରତ,  ମେକ୍ସିକୋ ଏବଂ କାନାଡା ଏସବୁ ରାଷ୍ଟ୍ର ଆମ  ଉପରେ ଚଢ଼ା ଶୁଳ୍କ ଲଗାଉଛନ୍ତି । ଆମେ ଯେତିକି  ଟିକସ ଲଗାଉଛୁ ତା’ଠାରୁ ଢେର ଗୁଣା ଅଧିକ ।  ଏହା ଅଯୌକ୍ତିକ । ଯେସାକୁ ତେସା ଶୁଳ୍କ ପାଇଁ  ରାଷ୍ଟ୍ରଗୁଡ଼ିକ ଏବେ ପ୍ରସ୍ତୁତ ରୁହନ୍ତୁ । କାନାଡା, ମେକ୍ସିକୋ ଏବଂ ଚୀନ୍‌ ଟ୍ରମ୍ପଙ୍କ  ଟାରିଫ୍‌ ବାଣକୁ ସାମ୍ନା କରୁଥିବାବେଳେ ଭାରତ  ବର୍ତ୍ତମାନ ସୁଦ୍ଧା ଏଥିରୁ ବାହାରେ ଅଛି । କିନ୍ତୁ  ଏପ୍ରିଲ ୨ରେ ଯେତେବେଳେ ରେସିପ୍ରୋକାଲ  ଟାରିଫ୍‌ ରାଷ୍ଟ୍ରଗୁଡ଼ିକ ଉପରେ ଲାଗୁ ହେବ ଭାରତ  ମଧ୍ୟ ବର୍ତ୍ତିପାରିବ ନାହିଁ ।  

ଅର୍ଥନୀତିଜ୍ଞଙ୍କ ମତରେ, ଆମେରିକୀୟ  ସାମଗ୍ରୀ ଉପରେ ଭାରତ ଯେତିକି ଆମଦାନି  ଶୁଳ୍କ ଲଗାଉଛି ତାହା ଭାରତୀୟ ସାମଗ୍ରୀ ଉପରେ  ଆମେରିକାର ଶୁଳ୍କ ତୁଳନାରେ ୧୦%ରୁ ଅଧିକ ।  ଟ୍ରମ୍ପଙ୍କ ଯେସାକୁ ତେସା ଶୁଳ୍କ ନୀତିକୁ ନେଇ  ଭାରତର ଅଟୋ ଶିଳ୍ପଠାରୁ ଆରମ୍ଭ କରି କୃଷି  ପର୍ଯ୍ୟନ୍ତ କ୍ଷେତ୍ର ଚିନ୍ତିତ । 

ସର୍ବାଧିକ ପ୍ରଭାବିତ ହେବାକୁ ଥିବା  କ୍ଷେତ୍ରଗୁଡ଼ିକ ହେଲା କେମିକାଲ, ଧାତବ  ଉତ୍ପାଦ, ଗହଣା, ଅଟୋମୋବାଇଲ,  ଫାର୍ମା ଏବଂ ଖାଦ୍ୟ ସାମଗ୍ରୀ । ସିଟି ଗ୍ରୁପ୍‌  ବିଶେଷଜ୍ଞଙ୍କ ଅନୁସାରେ, ୨୦୨୪ରେ ଭାରତ  ଆମେରିକାକୁ ପ୍ରାୟ ୭୪୦୦ କୋଟି ଡଲାର  ମୂଲ୍ୟର ସାମଗ୍ରୀ ରପ୍ତାନି କରିଛି । 

ଏଥିମଧ୍ୟରେ ୮୫୦ କୋଟି ଡଲାର ମୂଲ୍ୟର ମୋତି,  ରତ୍ନପଥର ଏବଂ ଗହଣା ରହିଥିବାବେଳେ ୮୦୦  କୋଟି ଡଲାର ମୂଲ୍ୟର ଫାର୍ମା ଉତ୍ପାଦ ଏବଂ ୪୦୦  କୋଟି ଡଲାର ମୂଲ୍ୟର ପେଟ୍ରୋକେମିକାଲ ରହିଛି ।  ୨୦୨୪ରେ ଭାରତକୁ ଆସିଛି ପ୍ରାୟ ୪୨୦୦ କୋଟି  ଡଲାରର ଆମେରିକୀୟ ସାମଗ୍ରୀ । ତେବେ ଏସବୁ  ସାମଗ୍ରୀ ପାଇଁ ଆମେରିକା ଯେତିକି ଟିକସ ଲଗାଉଛି  ତା’ଠାରୁ ଢେର ଅଧିକ ଶୁଳ୍କ କଷୁଛି ଭାରତ । କାଠ  ଉତ୍ପାଦ ଓ ଯନ୍ତ୍ରପାତିରେ ୭% ଅଧିକ, ଫୁଟ୍‌ୱେର୍‌ ଓ  ପରିବହନ ଉପକରଣରେ ୧୫%ରୁ ୨୦% ଅଧିକ ଏବଂ ଖାଦ୍ୟ ସାମଗ୍ରୀରେ ପ୍ରାୟ ୬୮% ଅଧିକ ଟିକସ  ଲଦୁଛି ଭାରତ । 

ଟ୍ରମ୍ପଙ୍କ ଯେସାକୁ ତେସା ଶୁଳ୍କ ନୀତି  ଦ୍ୱାରା ଭାରତୀୟ କୃଷି ଉତ୍ପାଦ ଉପରେ ଅଧିକ ପ୍ରଭାବ  ପଡ଼ିପାରେ । କାରଣ ଉଭୟ ଦେଶଗୁଡ଼ିକ ପକ୍ଷରୁ ଏ  କ୍ଷେତ୍ରରେ ଲଗାଯାଉଥିବା ପାରସ୍ପରିକ ଶୁଳ୍କ ପାର୍ଥକ୍ୟ  ଅଧିକ ରହିଛି । ବିଶେଷ କରି ଏ କ୍ଷେତ୍ରରେ କାରବାର  କମ୍‌ ରହିଛି । କିନ୍ତୁ ଶୁଳ୍କ ପାର୍ଥକ୍ୟ ଅଧିକ । ବୟନ ଶିଳ୍ପ  ସାମଗ୍ରୀ, ଚମଡ଼ା ଏବଂ କାଠ ଉତ୍ପାଦଗୁଡ଼ିକ ପାଇଁ ରିସ୍କ  କମ୍‌ ଅଛି । କାରଣ ଉଭୟ ରାଷ୍ଟ୍ର ମଧ୍ୟରେ ଏ କ୍ଷେତ୍ରରେ  ଶୁଳ୍କ ବ୍ୟବଧାନ କମ୍‌  । 

ଗତ ସପ୍ତାହରେ ଇଣ୍ଡିଆ ରେଟିଙ୍ଗ୍‌ସ ଆଣ୍ଡ୍‌  ରିସର୍ଚ୍ଚ ପ୍ରକାଶ କରିଥିଲା ଯେ, ଟ୍ରମ୍ପଙ୍କ ଯେସାକୁ ତେସା  ଆମଦାନି ଶୁଳ୍କ ନୀତି ଲାଗୁ ହେଲେ ୨୦୨୫-୨୬ ଆର୍ଥିକବର୍ଷରେ ଆମେରିକାକୁ ଭାରତର ରପ୍ତାନି ୨୦୦  କୋଟି ଡଲାରରୁ ୭୦୦ କୋଟି ଡଲାର ପର୍ଯ୍ୟନ୍ତ ହ୍ରାସ  ପାଇବ । ଚଳିତ ଆର୍ଥିକବର୍ଷର ଏପ୍ରିଲ-ଡିସେମ୍ବରରେ  ଆମେରିକାକୁ ଭାରତର ରପ୍ତାନି ୫.୫୭% ବଢ଼ି  ୫୯୯୩ କୋଟି ଡଲାର ରହିଛି । ସେହିଭଳି ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ସେଠାରୁ ଭାରତକୁ ଆମଦାନି  ୧.୯୧% ବଢ଼ି ୩୩୪୦ କୋଟି ଡଲାର ରହିଛି ।  

ସମ୍ପ୍ରତି ଭାରତର ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ  ପୀୟୂଷ ଗୋୟଲ ୱାଶିଂଟନ ଗସ୍ତରେ ଅଛନ୍ତି । ସେ  ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ୍‌ ଗ୍ରୀର୍‌ଙ୍କୁ  ଭେଟିବେ । ତେବେ ଏ ପରିପ୍ରେକ୍ଷୀରେ ଟାରିଫ୍‌ ଉପରେ  ଆଲୋଚନା ହୋଇପାରେ ବୋଲି ଅନୁମାନ ରହିଛି । 

ବାଣିଜ୍ୟ ବିବାଦ କମାଇବା ପାଇଁ ଭାରତ କେତେକ  ଆମେରିକୀୟ ସାମଗ୍ରୀରେ ଶୁଳ୍କ କମାଇଛି । ହାଇଏଣ୍ଡ୍‌  ମୋଟର୍‌ସାଇକେଲ୍‌ରେ ଶୁଳ୍କକୁ ୫୦%ରୁ ୩୦%କୁ ଏବଂ  ବର୍ବନ ହ୍ୱିସ୍କିରେ ଶୁଳ୍କକୁ ୧୫୦%ରୁ ୧୦୦%କୁ ଖସାଇଛି  ଭାରତ । ଅନ୍ୟାନ୍ୟ ସାମଗ୍ରୀରେ ଶୁଳ୍କ ହ୍ରାସ ଲାଗି ଭାରତ  ସମୀକ୍ଷା କରୁଛି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ  ସମୟରେ ଉଭୟ ଦେଶ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି  ନେଇ ଆଲୋଚନା ହୋଇଥିଲା । ଆଶା ଥିଲା, ଭାରତରେ  ଆମେରିକୀୟ ଉତ୍ପାଦଗୁଡ଼ିକ ପାଇଁ ବଜାରକୁ ଖୋଲି  ଭାରତ ଟ୍ରମ୍ପଙ୍କ ଟିକସ ବାଣରୁ ବର୍ତ୍ତିଯିବ । କିନ୍ତୁ ଏସବୁ  ଆଶା ମଉଳିଯାଇଛି । ଭାରତକୁ ପୁଣି ଶୁଳ୍କ ଧମକ  ଦେଇଛନ୍ତି ଟ୍ରମ୍ପ । ଏପରିକି ଆମେରିକାର ଯେସାକୁ  ତେସା ଆମଦାନି ଶୁଳ୍କରୁ ବର୍ତ୍ତିବା ପାଇଁ ଭାରତ  ଆଗୁଆ ଅନେକ ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ  କମାଇଥିଲା । ସେସବୁ କିଛି କାର୍ଯ୍ୟରେ ଆସିପାରିନାହିଁ ।