ନୂଆଦିଲ୍ଲୀ,୦୨/୦୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡରେ କେବଳ ଟାରିଫ୍ ଚିନ୍ତା । ହୁଏତ ମନରେ ନୋବେଲ ପୁରସ୍କାର ପାଇବା ଆଶା । ଡବଲ ରେସ୍ ଦୌଡରେ ଅଛନ୍ତି ଟ୍ରମ୍ପ । ଭାରତ ସମେତ ବିଭିନ୍ନ ଦେଶ ଉପରେ ଟାରିଫ୍ ବୋଝ ଲଦୁଛନ୍ତି । ଭାରତର ଅର୍ଥନୀତିକୁ ଡେଡ୍ ଇକୋନୋମି କହି ଲାଞ୍ଚନା ମାରିଥିଲେ । ଏବେ ଆଉ ଏକ ବୟାନ ପାଇଁ ଚର୍ଚ୍ଚାରେ ଟ୍ରମ୍ପ । ସେ କହିଛନ୍ତି ମୁଁ ଶୁଣିଲି ଭାରତ ଋଷଠାରୁ ଆଉ ତେଲ କିଣିବ ନାହିଁ । ଏହା ଭଲ ପଦକ୍ଷେପ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ଭାରତ ଉପରେ ଟାରିଫ୍ ଲଗାଯିବା କିମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କୌଣସି ଆଲୋଚନା କରାଯିବ କି ନାହିଁ ବୋଲି ପଚରାଯାଇଥିବା ପ୍ରଶ୍ନରେ ଟ୍ରମ୍ପ କହିଛନ୍ତି ," ମୁଁ ଶୁଣିଛି ଯେ ଭାରତ ଆଉ ରୁଷଠାରୁ ତେଲ କିଣିବ ନାହିଁ । ମୁଁ ଜାଣିନାହିଁ ଏହା ଠିକ୍ କି ଭୁଲ । ଏହା ଏକ ଭଲ ପଦକ୍ଷେପ । ଦେଖାଯାଉ କ’ଣ ହେଉଛି । ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ରୁଷର ଆୟକୁ ସୀମିତ କରିବା ପାଇଁ ଅନ୍ତର୍ଜାତୀୟ ଚାପ ପକାଉଛି ।
ଭାରତ ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଆମଦାନୀକାରୀ ଦେଶ ଏବଂ ୨୦୨୨ରୁ ରିହାତି ମୂଲ୍ୟରେ ରୁଷୀୟ ଅଶୋଧିତ ତୈଳର ଏକ ପ୍ରମୁଖ କ୍ରେତା । ରିପୋର୍ଟ ଅନୁଯାୟୀ, ହ୍ରାସ ପାଉଥିବା ରିହାତି ଏବଂ ଲଜିଷ୍ଟିକ୍ ଚ୍ୟାଲେଞ୍ଜ ଯୋଗୁଁ ଭାରତ ସରକାରୀ ରିଫାଇନାରୀଗୁଡ଼ିକ ଅସ୍ଥାୟୀ ଭାବରେ ରୁଷଠାରୁ ତେଲ କିଣିବା ବନ୍ଦ କରିଦେଇଛି । ଭାରତ ସରକାର ଏ ବିଷୟରେ କୌଣସି ସରକାରୀ ବିବୃତ୍ତି ଦେଇନାହାଁନ୍ତି । ଆମେରିକା ଏହି ବାଣିଜ୍ୟକୁ ଭୂରାଜନୈତିକ ଦୃଷ୍ଟିକୋଣରୁ ଭୁଲ ବୋଲି ବିବେଚନା କରୁଛି । ଚାହୁଁଛି ଯେ ଭାରତ ରୁଷଠାରୁ ଶକ୍ତି ଏବଂ ଅସ୍ତ୍ରଶସ୍ତ୍ର କିଣିବା ବନ୍ଦ କରୁ ।
ଆମେରିକା ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିଛି- ଆମେରିକା ଘୋଷଣା କରିଛି ଯେ, ସେ ଭାରତରୁ ସମସ୍ତ ରପ୍ତାନି ଉପରେ ୨୫% ଶୁଳ୍କ ଲାଗୁ କରିବ । ରୁଷ ସହିତ ଶକ୍ତି ବାଣିଜ୍ୟ ଜାରି ରଖିବା ପାଇଁ ମଧ୍ୟ ଦଣ୍ଡ ଲାଗୁ କରାଯିବ । ଟ୍ରମ୍ପ ଗତ ସପ୍ତାହରେ କହିଥିଲେ ଯେ, ଯଦି ଭାରତ ରୁଷଠାରୁ ଶକ୍ତି ଏବଂ ସାମରିକ ଉପକରଣ କିଣେ ଏବଂ ଆମେରିକୀୟ ଉତ୍ପାଦ ଉପରେ ବହୁତ ଅଧିକ ଶୁଳ୍କ ଲାଗିଥାଏ । ଯାହା ଫଳରେ ବ୍ୟବସାୟରେ ସମସ୍ୟା ଦେଖାଦିଏ ।