ନୂଆଦିଲ୍ଲୀ, ୧୫।୩: ବିଶ୍ୱ ରାଜନୀତିରେ ପୁଣି ଥରେ ଉଷ୍ମତା ବଢ଼ିବାରେ ଲାଗିଛି । ଇରାନର ବିବାଦୀୟ ପରମାଣୁ କାର୍ଯ୍ୟକ୍ରମ ଏବଂ ୟୁରାନିୟମ ମହଜୁଦକୁ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ମତଭେଦ ସ୍ପଷ୍ଟ ହୋଇଛି । ରୁଷ ପକ୍ଷରୁ ଦିଆଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଟ୍ରମ୍ପ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି ।

କ’ଣ ଥିଲା ପୁଟିନଙ୍କ ପ୍ରସ୍ତାବ ?

ସମ୍ପ୍ରତି ଇରାନ ନିଜର ୟୁରାନିୟମ ସମୃଦ୍ଧିକରଣ ପ୍ରକ୍ରିୟାକୁ ଦ୍ରୁତ କରିଥିବାରୁ ବିଶ୍ୱ ସମୁଦାୟ ଚିନ୍ତିତ । ଏହି ପରିପ୍ରେକ୍ଷୀରେ, ପୁଟିନ ଟ୍ରମ୍ପଙ୍କୁ ପ୍ରସ୍ତାବ ଦେଇଥିଲେ କି ଇରାନ ଦ୍ୱାରା ବିକଶିତ ସମସ୍ତ ୟୁରାନିୟମକୁ ରୁଷକୁ ସ୍ଥାନାନ୍ତର କରାଯାଉ । ରୁଷ ପାଖରେ ଏହା ସୁରକ୍ଷିତ ରହିଲେ ଇରାନ ଆଉ ଆଣବିକ ଅସ୍ତ୍ର ନିର୍ମାଣ କରିପାରିବ ନାହିଁ । ଏହାଦ୍ୱାରା ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ଥମିଯାଇପାରେ ।

ଏହା ବି ପଢ଼ନ୍ତୁ... ହୋର୍ମୁଜ ଦେଇ ଜାହାଜ ଚଳାଚଳ ପାଇଁ ସର୍ତ୍ତ ରଖିଲା ଇରାନ୍, ଚୀନ୍ ମୁଦ୍ରାରେ ବିନିମୟ କଲେ ଛଡ଼ାଯିବ ତେଳ ଟ୍ୟାଙ୍କର

ଟ୍ରମ୍ପଙ୍କ ରୋକଠୋକ୍ ‘ନା’:

‘ଏକ୍ସିଓସ’ ରିପୋର୍ଟ ଅନୁସାରେ, ଚଳିତ ସପ୍ତାହରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ୍ କଥାବାର୍ତ୍ତା ସମୟରେ ଟ୍ରମ୍ପ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି । ଟ୍ରମ୍ପଙ୍କ ଯୁକ୍ତି ହେଉଛି ଇରାନର ୟୁରାନିୟମ ରୁଷ ପରିବର୍ତ୍ତେ ଆମେରିକା କିମ୍ବା ଆମେରିକା ସମର୍ଥିତ ବ୍ୟବସ୍ଥା ମଧ୍ୟରେ ରହିବା ଅଧିକ ସୁରକ୍ଷିତ । ରୁଷ ପାଖରେ ଏତେ ପରିମାଣର ୟୁରାନିୟମ ରହିଲେ ତାହା ଭବିଷ୍ୟତରେ ଅନ୍ୟ କୌଣସି ବିପଦ ସୃଷ୍ଟି କରିପାରେ ବୋଲି ୱାଶିଂଟନ ଆଶଙ୍କା କରୁଛି ।

କାହିଁକି ବଢୁଛି ବିପଦ ?

ଇରାନ ବର୍ତ୍ତମାନ ପରମାଣୁ ବୋମା ନିର୍ମାଣର ଅତି ନିକଟତର ହୋଇସାରିଛି । ତଥ୍ୟ ଅନୁସାରେ ଇରାନ ପାଖରେ ପ୍ରାୟ ୪୫୦ କିଲୋଗ୍ରାମ ୟୁରାନିୟମ ଅଛି, ଯାହାକୁ ସେ ୬୦% ପର୍ଯ୍ୟନ୍ତ ବିକଶିତ କରିସାରିଛି । ବୈଜ୍ଞାନିକଙ୍କ ମତରେ, ୟୁରାନିୟମ ୯୦% ସମୃଦ୍ଧ ହେଲେ ତାହା ପରମାଣୁ ଅସ୍ତ୍ର ପାଇଁ ବ୍ୟବହୃତ ହୋଇଥାଏ । ଇରାନ ଏହି ସୀମାର ଖୁବ୍ ନିକଟରେ ଥିବାରୁ ଇସ୍ରାଏଲ ଏବଂ ଆମେରିକା ପାଇଁ ଏହା ମୁଣ୍ଡବିନ୍ଧାର କାରଣ ସାଜିଛି । ପୁଟିନ ଏହାକୁ ଏକ ଶାନ୍ତି ପ୍ରସ୍ତାବ ଭାବେ ଉପସ୍ଥାପନ କରିଥିଲେ ସୁଦ୍ଧା, ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ନୀତି ଏବଂ ରୁଷ ଉପରେ ଅବିଶ୍ୱାସ ଏହି ଚୁକ୍ତି ପଥରେ ବାଧା ସାଜିଛି । ଇରାନର ଏହି ୟୁରାନିୟମ କେଉଁଠି ରହିବ ଏବଂ କିପରି ନଷ୍ଟ କରାଯିବ, ତାହା ଉପରେ ଏବେ ସାରା ବିଶ୍ୱର ନଜର ।