ୱାଶିଂଟନ,୧୪/୦୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆସନ୍ତା ୧୫  ତାରିଖରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର  ପୁଟିନ୍‌ଙ୍କୁ ଅଲାସ୍କାରେ ଭେଟିବାକୁ  ଯାଉଛନ୍ତି । ଦୁଇ ନେତା ମୁଖ୍ୟତଃ ୟୁକ୍ରେନ୍‌  ଯୁଦ୍ଧ ପ୍ରସଙ୍ଗରେ ଚର୍ଚ୍ଚା କରିବା ନେଇ  କୁହାଯାଉଛି । ତେବେ ତାହା ପୂର୍ବରୁ ଟ୍ରମ୍ପ୍‌ ବୁଧବାର ପୁଟିନ୍‌ଙ୍କୁ ଧମକ ଦେଇଛନ୍ତି ।  

ଆମେରିକା ରାଷ୍ଟ୍ରପତି କହିଛନ୍ତି, ଅଲାସ୍କା  ବୈଠକରେ ଯଦି ସେ ପୁଟିନ୍‌ଙ୍କଠାରୁ  କୌଣସି ଠୋସ୍‌ ଜବାବ ନ ପାଆନ୍ତି,  ତେବେ ମସ୍କୋକୁ ସାଙ୍ଘାତିକ ପରିଣତି  ଭୋଗିବାକୁ ପଡ଼ିବ । ୱାଶିଂଟନର କେନେଡି  ସେଣ୍ଟରରେ ସାମ୍ବାଦିକଙ୍କୁ ସୂଚନା ଦେଇ  ଟ୍ରମ୍ପ୍‌ କହିଛନ୍ତି, ଅଲାସ୍କା ସମିଟ୍‌ ପରେ ପୁଟିନ୍‌ ଓ ଜେଲେନ୍‌ସ୍କି (ୟୁକ୍ରେନ୍‌  ରାଷ୍ଟ୍ରପତି)ଙ୍କ ସହ ମୁଁ ତୁରନ୍ତ ଦ୍ୱିତୀୟ ବୈଠକ କରିବାକୁ ଚାହିଁବି । ଅଲାସ୍କା  ବୈଠକରେ କିଛି ନିର୍ଯାସ ବାହାରିବା ନେଇ ଆଶା କରୁଛି । 

ଅନ୍ୟପକ୍ଷରେ ପୁଟିନ୍‌-ଟ୍ରମ୍ପ୍‌ଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ  ଜେଲେନ୍‌ସ୍କି କହିଛନ୍ତି, ଆମେ ରୁଷ୍‌କୁ ଇଞ୍ଚେ ବି ଜମି ଛାଡ଼ିବୁ ନାହିଁ । କାରଣ ଜମି ନେବା ପରେ ମଧ୍ୟ ରୁଷ୍‌ ଭବିଷ୍ୟତରେ ପୁଣି ଆକ୍ରମଣ କରିପାରେ ।