ନୂଆଦିଲ୍ଲୀ,୨୧/୦୩ : ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୨ତମ ଦିନରେ ପହଞ୍ଚିଛି । ତେବେ ଏହି ଯୁଦ୍ଧରେ ସହଯୋଗ କରୁନଥିବାରୁ ନାଟୋ ସଦସ୍ୟ ରାଷ୍ଟ୍ରମାନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ତୀବ୍ର ସମାଲୋଚନା କରିଛନ୍ତି । କହିଛନ୍ତି ନାଟୋ ଦେଶମାନେ ଭୀରୁ (କାପୁରୁଷ) । ଆମେରିକା ବିନା ସେମାନେ କାଗଜ ବାଘ । ସେମାନଙ୍କର ସତ୍ତା ବୋଲି କିଛି ନାହିଁ ।
ସୋସିଆଲ ମିଡିଆ ଆକାଉଣ୍ଟ ଟ୍ରୁଥ୍ ସୋସିଆଲରେ ଟ୍ରମ୍ପ ଲେଖିଛନ୍ତି, ନାଟୋ ଦେଶମାନେ ଆଣବିକ ଶକ୍ତିସମ୍ପନ୍ନ ଇରାନକୁ ରୋକିବା ଲାଗି ଚାଲିଥିବା ଲଢ଼େଇରେ ସାମିଲ ହେବାକୁ ଚାହୁନାହାନ୍ତି । ସାମରିକ ଶକ୍ତି ମାଧ୍ୟମରେ ଏହି ଲଢ଼େଇ ଆମେ ଜିତିବାକୁ ଯାଉଛୁ । କିନ୍ତୁ ଏହି ସମୟରେ ନାଟୋ ଦେଶମାନେ ତୈଳ ଦର ବୃଦ୍ଧି ପାଉଥିବା ଅଭିଯୋଗ କରୁଛନ୍ତି । ହର୍ମୁଜ ପ୍ରଣାଳୀ ଟ୍ରମ୍ପ କହିଛନ୍ତି, ଏହାକୁ ଖୋଲିବା ଲାଗି ସୈନ୍ୟ ସହାୟତା କରିବା ଅତି ସହଜ । କିନ୍ତୁ ସହଯୋଗୀ ଦେଶମାନେ ଏଥିରୁ ପଛକୁ ହଟିଯାଇଛନ୍ତି । ଏହା ଅତି ସହଜ ସୈନ୍ୟ ଅଭିଯାନ । ସେଭଳି କୌଣସି ବଡ଼ ବିପଦ ମଧ୍ୟ ନାହିଁ । କିନ୍ତୁ ସେମାନେ ସହଯୋଗ କରିବାକୁ ଚାହୁନାହାନ୍ତି । କାରଣ ସେମାନେ କାପୁରୁଷ । ସେମାନଙ୍କୁ ଆମେ ମନେରଖିବୁ । ଟ୍ରମ୍ପଙ୍କ ଏଭଳି ବୟାନରୁ ସ୍ପଷ୍ଟ ହେଉଛି କି ଇରାନ ଯୁଦ୍ଧକୁ ନେଇ ଆମେରିକା ଓ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ମତଭେଦ ଆହୁରି ତୀବ୍ର ହୋଇଛି ।
ଏହା ବି ପଢନ୍ତୁ...ଏମିତି ଘଟଣା ଯେମିତି ପୁନର୍ବାର ନଘଟେ : ଟିଭି ସାମ୍ୱାଦିକଙ୍କ ଉପରେ ଆକ୍ରମଣ ନେଇ ଇସ୍ରାଏଲ ଉପରେ ବର୍ଷିଲା ରୁଷ୍
ସେହିଭଳି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଗଣମାଧ୍ୟମକୁ କହିଛନ୍ତି ଯେ ୨୦ ଦିନର ଯୁଦ୍ଧରେ ଇରାନ ପାଖରେ ପରମାଣୁ ସମ୍ବର୍ଦ୍ଧନ କ୍ଷମତା ଆଉ ନାହିଁ । ବାଲିଷ୍ଟିକ ମିସାଇଲ ନିର୍ମାଣ କ୍ଷମତା ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଆଉ ଯାହା କିଛି ରହିଛି ତାକୁ ସମୂଳେ ଧ୍ୱଂସ ଲାଗି ଆକ୍ରମଣ ଜାରି ରହିବ । ଯୁଦ୍ଧ ପାଇଁ ଆମେ ୩ଟି ଟାର୍ଗେଟ ରଖିଛୁ । ପ୍ରଥମ ଟାର୍ଗେଟ ଇରାନର ପରମାଣୁ ବିପଦର ଅନ୍ତ, ଦ୍ୱିତୀୟ ବାଲିଷ୍ଟିକ ମିସାଇଲ ବିପଦ ଦୂର ଏବଂ ଇରାନୀ ଲୋକଙ୍କ ପାଇଁ ସ୍ୱାଧୀନତା ପ୍ରତିଷ୍ଠା । ଯୁଦ୍ଧ ଆମେ ଜିତିବାକୁ ଯାଉଛୁ । ଇରାନ ନେତୃତ୍ୱରେ ବିବାଦ ଆରମ୍ଭ ହୋଇଛି । ନେତନ୍ୟାହୁ କହିଛନ୍ତି ଯେଇରାନର ସାଉଥ ପାର୍ସ ଗ୍ୟାସ୍ ଫିଲ୍ଡରେ କେବଳ ଇସ୍ରାଏଲ ହିଁ ଆକ୍ରମଣ କରିଛି । ଏଥିରେ ଆମେରିକାର ସମ୍ପୃକ୍ତି ନାହିଁ । ଟ୍ରମ୍ପ ନିଜ ଇଚ୍ଛାରେ ଏହି ଯୁଦ୍ଧରେ ସାମିଲ ହୋଇଛନ୍ତି । ଇରାନରେ କ୍ଷମତା ପରିବର୍ତ୍ତନ କରିବାକୁ ହେଲେ କେବଳ ବିମାନ ଆକ୍ରମଣ ଯଥେଷ୍ଟ ନୁହେଁ । ସ୍ଥଳଭାଗରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । କିନ୍ତୁ ଏହି କାର୍ଯ୍ୟ ଇରାନୀ ଲୋକଙ୍କୁ ଖୋଦ୍ କରିବାକୁ ହେବ ।